Unknown

 

 

 

 

 

 

 

 

 

 

ସାରଳା ମହାଭାରତ

କାଇଁଶିକାପର୍ବ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

ବିଷୟ

୧।

ଅଶ୍ୱତ୍‌ଥାମା କର୍ତ୍ତୃକ ଦ୍ରୌପଦୀଙ୍କ ପଞ୍ଚପୁତ୍ର ଶିରଚ୍ଛେଦନ ଓ ଦୁର୍ଯ୍ୟୋଧନର ଦେହତ୍ୟାଗ

୨।

ପାଞ୍ଚାଳୀ ପଞ୍ଚପୁତ୍ରର ପୂର୍ବଜନ୍ମ ବିବରଣ, ପର୍ଶୁରାମ ଓ ବିଶ୍ୱାମିତ୍ରଙ୍କ ବିବାଦ, କାମଧେନୁଙ୍କର ସମର, ଅଷ୍ଟବସୁଙ୍କୁ ଶାପ ଓ ବିଶ୍ୱାମିତ୍ରଙ୍କ ତପସ୍ୟା

୩।

ଶ୍ରୀକୃଷ୍ଣଙ୍କର ଇନ୍ଦ୍ରପ୍ରସ୍ଥ ଆଗମନ, ପାଣ୍ଡବଙ୍କୁ ପୀଞ୍ଚାଳୀ ପଞ୍ଚପୁତ୍ର ସହ ଧୃଷ୍ଟଦ୍ୟୁମ୍ନ ଶିରଚ୍ଛେଦନ ବାର୍ତ୍ତାପ୍ରଦାନ  ଓ ଅଶ୍ୱତ୍ଥମା ଅସ୍ତ୍ରହରଣ

୪।

ଶ୍ରୀକୃଷ୍ଣଙ୍କଠାରୁ ନନ୍ଦ ଓ ବସୁଦେବଙ୍କର ମହାଭାରତ

୫।

ପାଣ୍ଡବ ବଧାର୍ଥ ଅଶ୍ୱତ୍ଥମାର କାଇଁଶିକା ଶର ପ୍ରୟୋଗ

୬।

ଶ୍ରୀକୃଷ୍ଣଙ୍କଦ୍ୱାରା ପରୀକ୍ଷିତଙ୍କ ଜୀବଦାନ

 

ଅଶ୍ୱତ୍‌ଥାମାକର୍ତ୍ତୃକ ଦ୍ରୌପଦୀଙ୍କ ପଞ୍ଚପୁତ୍ର ଶିରଚ୍ଛେଦନ ଓ
ଦୁର୍ଯ୍ୟୋଧନର ଦେହତ୍ୟାଗ

ଶୁଣ ହୋ ମନୁରାୟ ବଦୟନ୍ତି ବ୍ରହ୍ମସୁତ

ଦ୍ୱାରିକାୟେ ପାଣ୍ଡବେ ଯେ ରହିଲେ ନିଚିନ୍ତ।୧।

ଦ୍ରିଯୋଧନକୁ ଭୀମ ଯେତେବେଳେ ସମରେ ନିପାତି

ନିଯୋଗୀମାନେ ନିଯୋଗ ଘେନିଣ ଧାମନ୍ତି।୨।

ଭୀମସେନର ଯେ ବେନିଦିନ ମୁଣୋହିଂ ନାହିଂ

ବ୍ୟାଧ ତାଟକା ହୋଇଲା କାଠପେଡ଼ାରେ ଚକୁଆ ଚକୋଇ ତ ନାହିଂ।୩।

ୟେମନ୍ତ ବୋଲି ବ୍ୟାଧ ମନରେ ଭାଳଇ

ମଡ଼ଫୁଲିକି ଲୋଡ଼ିଲେ ଯେ କିସ ଦେବି ମୁହିଂ।୪।

ଧାଇଂଲା ଭୀମ ମଡ଼ଫୁଲି ଘରକୁ ଯୁଗତେ

ଆରେ ବ୍ୟାଧ ପଚ୍ଛୀ ଆଣ ବୋଲି ଡାକଇ କୋପ ଚିତ୍ତେ।୫।

ବାତୁଳ ହୋଇଣ ବ୍ୟାଧ ସେ ବୋଲଇ

କାଠପେଡ଼ା ଫାଟି ଚକୁଆଚକୋଇ ଉଡ଼ିଯାଇ।୬।

ପୁଣ ଘରଦ୍ୱାର ସେ ତେଜି ଧାମଇଂ ଘୋରବନେ

କାଠପେଡ଼ା ଫାଟିଲା ବୋଲଇ ବଚନେ।୭।

ଅକାରଣ ହୋଇଣ ସେ ବୁଲଇ ମହାତମା

ତୁଙ୍ଗଭଦ୍ରା ନଦୀତୀରେ ଭେଟିଲେ ଅଶସ୍ତମା।୮।

କିହୋ ବେଣ୍ଟକାର ତୁହୋ ଭୀମର ନିଯୋଗୀ

ବନ ଭିତରେ କିମ୍ପେ ତୁ ବୁଲୁ ବେଗିବେଗି।୯।

ବାତୁଳଭାବ ହୋଇଣ ସେ ବ୍ୟାଧ ଯେ ବୋଇଲା

କି ବୋଲ ଗୋସାଇଂ ହୋ ଚଡ଼ାଇ କାଠପେଡ଼ା ଫାଟିଗଲା।୧୦।

ବାତୁଳ ଭାବ ହୋଇ ସେ କହଇ ଛନଛନ

କାଠପେଡ଼ା ଫାଟିଗଲା ବୋଲି ବୋଲଇ ଘନଘନ।୧୧।

ଭୀମସେନ ଠାକୁରେ ଯେ ପ୍ରତଗ୍ୟାଂ କଲେକାଲି

ଦ୍ରିଯୋଧନକୁ ନମାଇଲେ ମୁଣୋହିଂ ନାହିଂ ବୋଲି।୧୨।

ଭୀମସେନ ମୁଣୋହିଂ ନ କଲେ ସେ କାଲି

ଚକୁଆ ଚକୋଇ କାଠପେଡ଼ା ଭିତରେ ଦୁଇପୁଞ୍ଜି ଥୋଇଥିଲି।୧୩।

କାଠପେଡ଼ା ଗୋଟିତ ହୋଇଲା ଦୁଇଫାଳ

କପାଳ ଫାଟିଲା ବୋଲି କହଇ ବାତୁଳ।୧୪।

ଭୀମସେନ ଠାକୁରେ ମାଇଲେ ମାନଗୋବିନ୍ଦ ରାଜାଂକୁ

ନିଯୋଗ କରିବେ ଦେବ ମୁଣୋହିଂ ଠାବକୁ।୧୫।

ବେଣ୍ଟକାର ବଚନେ ଅଶସ୍ତମାୟେ ବୋଇଲେ

ସେ ପଚ୍ଛୀ ୟେକଠାବେ ନୋହନ୍ତି ଶ୍ରୀରାମଂକ ଶାପରେ।୧୬।

ରାତ୍ରେ ପତିପତ୍ନୀ ସେ ନୋହନ୍ତି ଏକସଙ୍ଗ

ତୁ ନଷ୍ଟ କିମ୍ପାଇଂ ତାକୁ କଲୁ ୟେକ ଯୋଗ।୧୭।

ଶ୍ରୀରାମ ଠାକୁରଂକର ଶାପ ବାକ୍ୟବଳେ

କାଠପେଡ଼ା ଫାଟିଲା ପଳାଇଲେ ଗଗନମଣ୍ଡଳେ।୧୮।

ଶାପର ଚରିତ ଅଶସ୍ତମା କହିଲେ ବ୍ୟବସ୍ଥା

ସତ୍ୟକରି କହ ତୁ ଦ୍ରିଯୋଧନର ବାରତା।୧୯।

ଅଶସ୍ତମା ବୋଇଲେ ନୟନରେ ଦେଖିଲୁକି ସମର

ବ୍ୟାଧ ବୋଇଲା ମାନଗୋବିନ୍ଦ ପଡ଼ିଅଛି ବ୍ୟାସ ସରୋବର
ତୀର।୨୦।

ସମରେ ମାଇଲେ ତାଂକୁ ଠାକୁର ଭୀମସେନ

ପ୍ରାଣ ନଯାଇଣ ସେ ପଡିଛି ଦ୍ରିଯୋଧନ ରାଜନ।୨୧।

ତହୁଂ କୋପେ ଅଶସ୍ତମା ଆସଇ ବେଗହୋଇ

ଚଞ୍ଚଳ ବିଜୁଳି ଜାଣି ମଞ୍ଚଭୁବନେ ଗମଇଂ।୨୨।

ଅନ୍ଧାର ବେଳେ ଆସି ସଇନ ସେ ହାବୋଡ଼ି

ଦେଖିଲା ଦ୍ରିଯୋଧନ ରାଜା ତହିଂ ଅଛି ପଡ଼ି।୨୩।

ଜାନୁରେ ସୀମସ୍ଥାନ ଦେଇ ଅଛଇ ଦୃଦକ୍ଷ

ମାନଗୋବିନ୍ଦ ବୋଇଲା ତୁମ୍ଭନ୍ତ ଆଶ୍ରେକରି ମୁଂ ହୋଇଲି
ନିରଖେ।୨୪।

ଅଶସ୍ତମା ବୋଇଲା ମୁଂ କି ନ ବୋଇଲି ତୋତେ

ସେନାପତି କରିଣ ମୁକୁଟ ବାନ୍ଧସି ହାଦେ ମୋତେ।୨୫।

ମୋର ବଚନେ ଉପହାସ୍ୟ କରି ତୁ କୋପିଲୁ କୁରୁବୀର

ପାଣ୍ଡବଙ୍କର ମୃତଭେଦ ଥିଲା ମୋହୋର ହାତର।୨୬।

ୟେଡେ ବଡ଼ ପଣ ଯେ ହରାଇଲୁ ଅକାର୍ଯେ

ମୁହିଂ ତୋହର ଅବସ୍ଥା ଦେଖିବାକୁ ଅଇଲି ନିଲଜେ।୨୭।

ୟେବେହେଂ ମୁକୁଟ ବାନ୍ଧସି ରାଜା ମୋତେ

ମାରିବି ପାଣ୍ଡବନ୍ତ ଭସ୍ମ ଅଂକୁରାଇବି ତୋତେ।୨୮।

ଦ୍ରିଯୋଧନ ବୋଇଲା ହୋ ବହିଗଲା ପାଣି

ବନ୍ଧ ବାନ୍ଧି ନୁଆରିଲ ତ ବେଳକାଳ ଜାଣି।୨୯।

ଆଦିହୁଂ ଯେବେ ମୁଂ ନ ପାଳନ୍ତି ସତ୍ୟବ୍ରତ

ସରିଲା ବେଳକୁ ଆଉ କାହିଂକି ନିସତ।୩୦।

ମାନଗୋବିନ୍ଦ ବୋଇଲା ୟେବେ ମୁଂ କରିବି ସେନାପତି

ରଥ ଗଜ ଅଶ୍ୱ ନାହିଂ ନାହିଂନା ପାଦାନ୍ତି।୩୧।

ତାଡ଼ ତୋଢର ଯେ ନାହିଂ ସରଳ ଜଗଦଳା

ମଣିମାଣିକ୍ୟ ନାହିଂ ମୁକୁଟ କର୍ଣ୍ଣଞ୍ଚଳା।୩୨।

ୟେତେବେଳେ ୟେମାୟନ୍ତ ମୁଂ ପାଇବଇଂ କାହିଂ

ଶ୍ରୀଲକ୍ଷ୍ମୀ ବୁଡ଼ାଇଲି କାହିଂ କିଛିନାହିଂ।୩୩।

ଅଶସ୍ତମାୟେ ବୋଇଲେ ତୁ କର ସନମତେ

କାର୍ଯ୍ୟ କଲେ ପଛେ ସେମାନ ଭୂଷଣ କର ମୋତେ।୩୪।

ୟେ ବଚନ ଶୁଣି ରାଜା ଦୃଦକ୍ଷକୁ ଚାହିଂଲା

ଶୁଆଂଳ ଲତାୟେ ଅଶସ୍ତମା ଶିରରେ ବାନ୍ଧିଲା।୩୫।

ଦୁଜେ ଶ୍ୱେତ ଦୁବ ଲୋଚାୟେଂ ଦିଲେ ଶିରେ

ଚଳିଲେ ଅଶସ୍ତମା ସେନାପତି ତ୍ରିଧାର ଶସ୍ର ଧରି କରେ।୩୬।

ସମ୍ପୂର୍ଣ୍ଣ ନିଶିଅର୍ଦ୍ଧ ହୋଇଅଛି ରାତି

ନବର ସିଂଘଦ୍ୱାରେ ଯାଇଂ ମିଳିଲା ମହାଛତ୍ରୀ ଝାତି।୩୭।

ଦ୍ୱାରେ ଦେଖିଲା ବୀର ଭଇରୋବୀ ପ୍ରତିମା

ତାହାର ତୁଲେ ବେନିଘଡ଼ି ସମର କଲା ଅଶସ୍ତମା।୩୮।

ସେ ଭଇରବୀ ପ୍ରତିମାକୁ ବୀର ଜିଣି ନୁଆରିଲା

କାନ୍ଥ ଭାଞ୍ଜି ଅଶସ୍ତମା ଭିତରେ ପଶିଲା।୩୯।

ନିଦ୍ରା ନଥିଲା ଅଷ୍ଚାଦଶ ଦିବସ ପରିଯନ୍ତେ

ସେଦିନ ଶୋଇଛନ୍ତି ଭିତରେ ନିଚିନ୍ତେ।୪୦।

ଅଜାଣତେ ଭିତରେ ପଶିଲା ଯାଇ ଦ୍ରୋଣୀ

ଦୁଇକ୍ଷଉଣୀ ବଳ ସବୁ ପକାଇଲା ହାଣି।୪୧।

ଦ୍ୱାରେ ଶୋଇଥିଲେ ସେ ଧୃଷ୍ଟ ଯେ ଦ୍ୟୁମନ

କେଶ ଧରି ତାହାକଇଂ କଲାକ ଛେଦନ।୪୨।

ତହୁଂଯାଇଂ ପଶିଲା ଅଶସ୍ତମା ଚନ୍ଦ୍ରଶାଳା ପୁରେ

ପାଞ୍ଚାଳୀ କୁମରେ ଶୋଇଛନ୍ତି ପଲ୍ୟଂକ ଉପରେ।୪୩।

ଚନ୍ଦ୍ରକେଶରୀ ବୋଲି ଯୁଝେଷ୍ଠିଂକ ପ୍ରଥମପୁତ୍ର

ବୀରକେଶରୀ ବୋଲି ଭୀମସେନର ସୁତ।୪୪।

ନରକେଶରୀ ବୋଲି ଅର୍ଜୁନର ସୁତ

ମହାକେଶରୀ ବୋଲି ନକୁଳ ତହୁଂ ଜାତ।୪୫।

ତ୍ରଇଲୋକ୍ୟ କେଶରୀ ବୋଲି ସହଦେବଂକର ସୁତ

ୟେ ବିଧି ପାଞ୍ଚାଳୀଂକର ପାଞ୍ଚକୁମାର ଖ୍ୟାତ।୪୬।

ମହାନିଶାକାଳେ ଯାଇଂ ଅଶସ୍ତମା ଭେଟି

ୟେକା ପ୍ରହାରକେ ପାଞ୍ଚଂକରି ମୁଣ୍ଡକାଟି।୪୭।

ଧନୁରେ ଭାର କରି ପାଞ୍ଚମୁଣ୍ଡ ଘେନି

ବାହୁଡ଼ଇ ଅଶସ୍ତମା ରାତ୍ରପ୍ରହର ତିନି।୪୮।

ମନେ ଅନେକ ସାନନ୍ଦେ ଗମଇ ପବନ ବେଗେ ଦ୍ରୋଣି

ବ୍ୟାସ ସରୋବର ତୀରେ ପ୍ରବେଶ ବିକ୍ରମ ସିଂଘଠାଣି।୪୯।

ରଜନୀ ଶେଷେ ପାହାନ୍ତି ହୋଇଲାକ ଆସି

ପ୍ରଭାତ ସନ୍ଧ୍ୟାକାଳେ ଅଳ୍ପ ଅଳ୍ପ ଦିଶି।୫୦।

ଦୃଦକ୍ଷ ବୋଇଲା ସ୍ୱାମୀ ଶୁଣିମା ଦଣ୍ଡଧାରୀ

ଅଶସ୍ତମା ପାଣ୍ଡବଂକ ମୁଣ୍ଡ ଛେଦି ଆଣଇ ଭାରକରି।୫୧।

ନୟନ ଫେଡ଼ି ରାଜା ଚାହିଂଲା ମାନଗୋବିନ୍ଦ

ପାଣ୍ଡବନ୍ତ ପ୍ରାୟେ ବୁଝି ମନେଣ ସାନନ୍ଦ।୫୨।

ସାଧୁ ସାଧୁ ଅଶସ୍ତମା ବୋଲି ମାନଗୋବିନ୍ଦ ପ୍ରଶଂସି

ତୋତେ ସେନାପତି ନ କରି ଅଗାଦ ସମୋଦ୍ରେ ଗଲି ଭାସି।୫୩।

ହରାଇ କରି ପଛେ ଶିଖିଲି ମୁଂ ବୁଦ୍ଧି

ପାଦଣେ ଟାଳିଲି ମୁଂ ୟେଡ଼େକ ସଂପ୍ରଧି।୫୪।

ବାଳୁତ କାଳହୁଂ ଯାହାକୁ ପାଇଲଇଂ ସାଖି

ଚିହ୍ନି ନୁଆରିଲି ମୁଂ ତାକୁ ହୋଇଲି ନିରିମାଖି।୫୫।

ଅନେକ ଉତସଲ୍ୟ ଦେଖିଣ ଧୃତିରାଷ୍ଚି

ଛାମୁରେ ନେଇ ପକାଇଲା ପାଞ୍ଚଂକରି ମୁଣ୍ଡଗୋଟି।୫୬।

ବୋଲଇ ଅଶସ୍ତମା ଶୁଣହୋ ଦ୍ରିଯୋଧନ

ପିତାର ଶତ୍ରୁୟେଟି ଧୃଷ୍ଟ ଯେ ଦ୍ୟୁମନ।୫୭।

ଦେଖିଣ ସାନନ୍ଦ ହୋଇଲେ ଦ୍ରିଯୋଧନ ରାୟେ

ବୋଇଲେ ବେଗେ ଦଣ୍ଡଛତ୍ର ଧର ତୁ ରାଜାୟେ।୫୮।

ଦେଖିଣ ବୋଇଲା ଚିହ୍ନି ଯେ କୁମାର ଦୃଦକ୍ଷ

ପାଣ୍ଡବେ ନୋହନ୍ତି ୟେ ଦ୍ରୋପତୀ ପାଞ୍ଚବତ୍ସ।୫୯।

ରଜନୀ ପ୍ରଭାତରେ ଦେଖିଲା ଧୃତରାଷ୍ଟି

ପାଞ୍ଚାଳୀ କୁମରଂକର ଶିର ପାଞ୍ଚଗୋଟି।୬୦।

ମୃଚ୍ଛାଗତ ହୋଇଲା ଦେଖି ମାନଗୋବିନ୍ଦ

ହା ହା ଦଇବ ବୋଲି କପାଳେ କର ଧିନ୍ଦ।୬୧।

ଆହୋ ଅଶସ୍ତମା ଆଦିହୁଂ ଅଟୁ ନଷ୍ଟ

ତୋହର ପ୍ରକୃତି ଜାଣି ମୁଂ ନ ବାନ୍ଧିଲି ମୁକୁଟ।୬୨।

ସମର ଶେଷକାଳେ ମୋତେ ଯେ କଲୁ ୟେହା

ବାଳୁତ ବଧ ଦୋଷେ କଲୁରେ ପାମର ଦୋରେହା।୬୩।

ଅଭିମନ୍ୟୁ ମଲା ଘଟଉତ୍କଚ ନାଶଗଲା

ଲକ୍ଷଣକୁମାର ହିଂ ପଡିଲା ବଂଶହିଂ ସରିଲା।୬୪।

ୟେହାନ୍ତେ ରଖିଲି ମୁଂ ବଂଶ ରକ୍ଷାର ନିମନ୍ତେ

ଗତ ଆଗତ ବୁଡ଼ିଲା ୟେ ତୋହର କୃତ୍ୟେ।୬୫।

ଭୋ ଦଇବ ସନ୍ତାନ କଳପତରୁଂ ଯେ ବୋଲ ବୋଲି

ଅଶସ୍ତମା ପ୍ରସନ୍ନେ ଗତଆଗତ ଦୁଇ କୁଳ ବୁଡ଼ାଇଲି।୬୬।

ତୋହୋର ମୁଖ ପୁଣ ମୁଂ ନ ଚାହିଂରେ ଦୋରେହା

ବଂଶ ନିଅଂଶ କଲୁରେ ମୋହୋର ମୁଖ ତୁ ନ ଚାହାଂ।୬୭।

ପଞ୍ଚଭୂତ ଆତ୍ମା କିମ୍ପେ ଅଛି ହୋ ନିର୍ଲଜ

ୟ ପଞ୍ଚୁ ପୁଅଂକ ଅବସ୍ଥା ଦେଖି କିମ୍ପେ ନୁହଇ ଦହିଜ।୬୮।

ପାଞ୍ଚକରି ମୁଣ୍ଡଦିଅ ମୋହୋରି କୋଳାଗ୍ରତେ

କୋଳକରି ଧରି ମୁଂ ହୋଇବି କିନା ମୁକତେ।୬୯।

ଦ୍ରିଯୋଧନ ବାକ୍ୟ ଶୁଣି ଦୃଦକ୍ଷ ସତ୍ୱର

ରାଜା କୋଳେ ଦିଲା ନେଇ ପଞ୍ଚବଚ୍ଛ ଶିର।୭୦।

ପାଞ୍ଚଂକରି ମୁଣ୍ଡ କୋଳେ ଦେଖିଣ ଧୃତିରାଷ୍ଟି

ପ୍ରାଣ ବିସର୍ଜ୍ଜିଲା ମୃଧୁନା ଗଲାଫାଟି।୭୧।

ଲଜ୍ଜା ପାଇ ବନସ୍ତେ ପଶିଲା ଅଶସ୍ତମା

ତୁଙ୍ଗଭଦ୍ରା ନଦୀକୂଳେ ଭେଟିଲେ କୃପବ୍ରହ୍ମା।୭୨।

ଅଶସ୍ତମା କହିଲେ ଯେ ସକଳ ବାରତ

ପାଣ୍ଡବନ୍ତ ବୋଲି ମାଇଲି ପାଞ୍ଚାଳୀ ପାଞ୍ଚ ପୁଅନ୍ତ।୭୩।

 

ପାଞ୍ଚାଳୀ ପଞ୍ଚପୁତ୍ରର ପୂର୍ବଜନ୍ମ ବିବରଣ, ପର୍ଶୁରାମ ଓ ବିଶ୍ୱାମିତ୍ରଙ୍କର ଜନ୍ମ, ବଶିଷ୍ଠ ବିଶ୍ୱାମିତ୍ରଙ୍କ ବିବାଦ, କାମଧେନୁଙ୍କର ସମର, ଅଷ୍ଟବସୁଙ୍କୁ ଶାପ ଓ
ବିଶ୍ୱାମିତ୍ରଙ୍କ ତପସ୍ୟା

ବଇବସୁତ ମନୁ ବୋଇଲେ ଅଗସ୍ତିଂକି

ବଡ଼ାଇ ଦୁରାପଦ କହିଲ ତ ବାକି।୧।

ପାଞ୍ଚାଳୀକୁମାର ତ ସାତ ସାତ ବରଷ ଅଗିଆନ

ଅଦୋଷେ ଶିରଚ୍ଛେଦ କେଉଣ କାରଣ।୨।

ଦାରା ଯୋଗେଣ ଶିରଚ୍ଛେଦନ ବୋଲିଜାଣି

ଅଦାରା ଯୋଗେ ଶିରଚ୍ଛେଦନ ଶାହାସ୍ରେ ନ ଶୁଣି।୩।

ବଦୟନ୍ତି ଅଗସ୍ତି ଶୁଣ ହୋ ମହୀପାଳେ

କେମନ୍ତେ ନାଶଗଲେ ପାଞ୍ଚାଳୀ କୁମରେ।୪।

ବିଷ୍ଣୁପ୍ରଭବ ବୋଲିଣ ୟେକ ସତ୍ୟଯୁଗେ

ଗୋରେଖ ନାମେଣ ଇନ୍ଦ୍ର ବସଇ ମଧ୍ୟସ୍ୱର୍ଗେ।୫।

ସତ୍ୟଯୁଗେ ବିଷ୍ଣୁଭଦ୍ର ନାମେଣ ନୃପତି

ମର୍ତ୍ତ୍ୟଭୁବନରେ କରିଥାଇ ଯେ ବସତି।୬।

ବିଷ୍ଣୁଭଦ୍ର ନନ୍ଦନ ଯେ ଅଟଇ ବିଶ୍ୱାବସୁ

ତାହାଂକର ନନ୍ଦନ ଜାଣ ରୁକଣ ବସୁ।୭।

ଅନଙ୍ଗ ରୁକଣବସୁର ଅଟଇ ଆତ୍ମଜ

ଅନଙ୍ଗର ନନ୍ଦନ ଅରୁଣ ମନସିଜ।୮।

ଅରୁଣ ନନ୍ଦନ ନାମ ଅଟଇ ସଦାଶିବ

ୟେହାଂକର ନନ୍ଦନ ଯେ ଅନୁର ମାଧବ।୯।

ମାଧବରାଜାଂକ ନନ୍ଦନ ଅଟେ ଅରବିନ୍ଦ

ତାହାଂକର ନନ୍ଦନ ନୃପତି ମକରନ୍ଦ।୧୦।

ମକରନ୍ଦର ନନ୍ଦନ ବଳାନିକ ରାଜ

ଅନିଳକ ବୋଲି କରି ତାହାର ଆତ୍ମଜ।୧୧।

ନିର୍ମଳତନୁ ବୋଲି ୟେହାର ତନୁଜ

ତାହାର ନନ୍ଦନ ନାମ ଅଟଇ ସରୋଜ।୧୨।

ସରୋଜର ସୁତ ସନକ ନାମେଣ ନୃପତି

ଗ୍ୟାଧି ନାମେ ତାହାର ଯେ ହୋଇଲା ସନ୍ତତି।୧୩।

ତିନିଲକ୍ଷ ବରଷ ଭୋଗକଲା ଗ୍ୟାଧିରାଜା

ପ୍ରଧାନ ବଂଶୀୟା ନବଶତତା ଭାରିଜା।୧୪।

ରେଣୁକା ସଉନିକା ଉମାବସୁର ସୁତା

ସଉନିକା ଅଟନ୍ତି ଗ୍ୟାଧିରାଜାର ବନିତା।୧୫।

ରେଣୁକାକୁ ବିବାହ ହୋଇଲେ ଜମଦଗ୍ନୀ

ଅପୁତ୍ରିକା ହୋଇ ରହିଥାଆନ୍ତି ବେନିଭଗ୍ନୀ।୧୬।

ଗ୍ୟାଧିରାଜାୟେ ବୋଇଲେ ଯେ ସଉନିକାକୁ ରାଇ (୨୪୮୨)

ଜନନୀପୁରକୁ ତୁମ୍ଭେ ଯାଅ ବେଗେହୋଇ।୧୭।

ଜନନୀଘରକୁ ତୁମ୍ଭେ ବେଗ ହୋଇ ଯିବ

ସନ୍ତାନ ନିମନ୍ତେ କହି ଯାଗ କରାଇବ।୧୮।

ଗ୍ୟାଧିରାଜାର ଆଗ୍ୟାଂରେ ସଉନିକା ଗଲେ

ମଳୟ ପର୍ବତେ ଯାଇଂ ପ୍ରବେଶ ହୋଇଲେ।୧୯।

ସଉନିକାକୁ ଦେଖି ଅନେକ ଅର୍ଚ୍ଚନା କଲେ ଜମଦଗ୍ନି

ଜ୍ୟେଷ୍ଠଶାଶୁ ସାମାନ୍ୟେ କଲେକ ଦୟିନୀ।୨୦।

ସଉନିକା କହିଲେ ରହି ରେଣୁକାର ପାଶ

ପୁତ୍ରପାଇଂ ପେଶିଛନ୍ତି ଗ୍ୟାଧି ନରଈଶ।୨୧।

ଜୁଆଇଂ ଜମଦଗ୍ନିକୁ କହ ତୁମ୍ଭେ ଯାଇଂ

ମୁହିଂ ଧନ ଦେବି ଯାଗେ ଯେତେକ ଲାଗଇ।୨୨।

ରେଣୁକା ଯାଇଂ କହିଲେ ଜମଦଗ୍ନିଂକ ପୁରତେ

ଜ୍ୟେଷ୍ଠଭଗ୍ନୀ ଆସିଛନ୍ତି ସନ୍ତାନ ନିମନ୍ତେ।୨୩।

ପାଞ୍ଚକୋଟି ରତ୍ନ ଯେ ଦିଲେ ସଉନିକା

ସନ୍ତାନ ନିମନ୍ତେ ତୁମ୍ଭେ ଯାଗ କର ୟେକା।୨୪।

ସୁଲଭ ଭୂମିରେ ମୁନି ବୁଣିଲେକ ତିଳ

ତିଳ ଫୁଲ ଝଡୁ ତହିଂ ହେଲା ଯାଗଶାଳ।୨୫।

ଋଷିକୁଲ୍ୟା ବୋଲିଣ ଯେଉଂଣ ନଦୀ ଗୋଟି

ସରସ୍ୱତୀ ନଦୀଧାରୁ ସେ ଉତ୍ତରକୁ ଆସିଚ୍ଛଇଂ ଫୁଟି।୨୬।

ସର୍ପିଣୀ ତଟର ତଳେ ଯାଗ ଆରମ୍ଭିଲେ

ମହାମନ୍ତ୍ର ପଢି ତହୁଂ ଆବାହନ କଲେ।୨୭।

ସନ୍ତାନ ନିମନ୍ତେ ଆରମ୍ଭିଲେ ମହାତମା

ପ୍ରାଣ ଅପ୍ୟାନ ବ୍ୟାନ ଉଦାନ ସମାନାଦି ନିରୋଧିଲେ ପଞ୍ଚୁଆତ୍ମା।୨୮।

ପଞ୍ଚଦଶ ବର୍ଷ ତହିଂ ବସି କଲେ ଯାଗ

ଅଗ୍ନି ବାମାବର୍ତ୍ତେ ନ ଦିଅନ୍ତି ହବିର୍ଭାବ।୨୯।

ପଞ୍ଚଦଶ ବର୍ଷ ତହିଂ ଯାଗ ଆରୋପିଲେ

ଆହାର ମଇଥୁନ ନିଦ୍ରା ସକଳ ତେଜିଲେ।୩୦।

ବାୟୁ ସେବନ କରିଣ ଜଳମାତ୍ର ଭକ୍ଷି

ନିରାଶେ ମହାମୋହ ଯେ ହୋଇଲେ ନିର୍ମାକ୍ଷୀ।୩୧।

ମାନଧାତା ପାଞ୍ଚଲକ୍ଷ ତିନିସସ୍ର ଅଂକେ

ଇନ୍ଦ୍ରପ୍ରଭବ ବୋଲି ଜାଣ ୟେକ ବରଷକେ।୩୨।

ସେ ବରଷ ମକର ମାସ ଅସିତ ପଞ୍ଚମୀ

ବୃହସ୍ପତି ବାରେ ଋକ୍ଷ ଉତ୍ତରା ଫାଲଗୁନୀ।୩୩।

ସେଦିନ ପ୍ରବେଶ ହୋଉଂ ପାଞ୍ଚଦଣ୍ଡ ରାତି

ପୂର୍ବାବର୍ତ୍ତ ଅଗ୍ନି ଚିହ୍ନି ଦିଲେକ ଆହୂତି।୩୪।

ଡାହାଣ ପାଖରୁ ଯହୁଂ ଅନଳ ବୁଲିଲେ

ଶୁଭଜାଣି ମୁନି ଯାଗେ ହବିର୍ଭାଗ ଦେଲେ।୩୫।

ଶିଖାମାନ ଟେକିଣ ଯେ ଅନଳ ବୁଲନ୍ତି

ଶୁଭମନ୍ତ୍ର ପଢି ମୁନି ଦିଲେ ଯେ ଆହୂତି।୩୬।

ଆର କୁଣ୍ଡେ ଦିଲେ ନେଇ ଛତ୍ରିୟର ଭାଗ

ୟେ ବିଧିରେ ମୁନିଶ୍ରେଷ୍ଠ କଲେ ଯାଗ ସାଙ୍ଗ।୩୭।

ୟେକ ଯାଗ ଯାଗ୍ନିକ ଯେ ତହିଂ ୟେକ ତପୀ

ବେନି ମନ୍ତ୍ରେ ଚରୁ ଫୁଟାଇଲେ ଯେ ତଥାପି।୩୮।

ସନ୍ତାନ ନିମନ୍ତେ ଚରୁ ଫୁଟାଇଲେ

ବ୍ରହ୍ମଛତ୍ରୀ ଭିନ୍ନ ଭିନ୍ନ ଆରୋପଣ କଲେ।୩୯।

ରେଣୁକାକୁ ଡାକିଣ ଯେ କହନ୍ତି ମହାମୁନି

ଦୁହେଂଯାକ ଯେଝା ଚରୁ ଖାଇବ ଯେ ଚିହ୍ନି।୪୦।

ଅଗ୍ନିକୋଣେ ଅଛି ଯେଉଂ ଚରୁ ଦିଅ ତାଂକୁ

ଖାଇବା ପାଇଂକି ଦେବ ଗ୍ୟାଧି ଭାରିଯାଂକୁ।୪୧।

ଅଈଶାନ୍ୟ କୋଣରେ ଅଛି ଯେଉଂ ଚରୁଅନ୍ନ

ତୁମ୍ଭେ ଶଉଚ ହୋଇ ତାହା କରିବ ଆପ୍ୟାନ।୪୨।

ୟେହା କହି ଜମଦଗ୍ନି ଆହାନିକେ ଗଲେ

ଶୁଣି ଦୁଇଭଗ୍ନୀଯାକ ଆନନ୍ଦିତ ହେଲେ।୪୩।

ସଉନିକା ମହାସ୍ୱତୀ ଗ୍ୟାଧିର ବନିତା

ସ୍ରାନ କରିଣ ଆଗହୋଇ ଅଇଲେ ତୁରିତା।୪୪।

ଅଈଶାନ୍ୟ କୋଣରେ ଯେଉଂ ଚରୁ ରହିଥିଲା

ଆଗଯାଇଂ ତାହାକଇଂ ଆହାର ଯେ କଲା।୪୫।

ଜମଦଗ୍ନି ଭାରିଯା ଯେ ରେଣୁକା ଅଟନ୍ତି

ବ୍ରାହ୍ମଣର ନାରୀ ସେ ସାକ୍ଷାତେ ମହାସ୍ୱତୀ।୪୬।

ସ୍ରାହାନ ସାରି ପରେ ସେ ଅଇଲେ ହୋଇ ଶୁଚି

ଦେଖିଲେ ସେ ଅଗ୍ନିକୋଣ ଚରୁ ମାତ୍ର ଅଛି।୪୭।

ରେଣୁକା ବୋଇଲେ ବଦଳାଇ କରି ଅପା

ମୋହୋର ଚରୁ ଭକ୍ଷଣ କଲ ତୁମ୍ଭେ କିମ୍ପା।୪୮।

ୟେହାକହି ଯେଉଂ ଚରୁଥିଲା ଅଗ୍ନିକୋଣେ

ରେଣୁକା ତାହାକୁ ଗ୍ରାସ କଲେକ ଆପଣେ।୪୯।

କପଟ ବିଚାରି ସଉନିକା ୟେହା କଲା

ବ୍ରହ୍ମଛତ୍ରୀ ଚରୁ ତହିଂ ପାଲଟ ହୋଇଲା।୫୦।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଛତ୍ରୀମତେ ଯେଉଂ ଚରୁ ଦେଇଥିଲେ ଯତି।୫୧।

ତାହାନେଇ ପ୍ରାଶନ ଯେ କଲାକ ରେଣୁକା

ଋଷିଭାଗ ଚରୁ ଗ୍ରାସକଲେ ସଉନିକା।୫୨।

ଗ୍ୟାଧି ରାଜା ପୁତ୍ରହେଲା ବିଶ୍ୱାମିତ୍ର ନାମ

ଜମଦଗ୍ନିଂକ ଅଉରସେ ହେଲେ ପ୍ରଶୁରାମ।୫୩।

ଋଷିଂକର ଘରେ ଉତପତ୍ତି ହୋଇଲାକ ଛତ୍ରୀ

ଛତ୍ରୀଘରେ ଜନ୍ମହେଲେ ବିଶ୍ୱାମିତ୍ର ଯତି।୫୪।

ଆପେ ଥାଇ ପୁତ୍ରକୁ ଯେ ଗ୍ୟାନ ଦିଲେ ଗ୍ୟାଧି

ମାରନ୍ତି ଦୁଷ୍ଟ ଦଇତଂକୁ ବିଶ୍ୱାମିତ୍ରେ ଖେଦି।୫୫।

ବାହୁବଳେ ସାଧ୍ୟକଲେ ଗ୍ୟାଧିରାଜା ସୁତ

ନବସସ୍ର ରାଜାଥିଲେ ଯେତେକ ଦୁରାନ୍ତ।୫୬।

ଚଉରାଶୀ କ୍ଷଉଣୀ ବଳ ଅଟଇ ତାହାର

ଅନୁବ୍ରତେ ଦିଗବିଜେ ହୁଅନ୍ତି ବାହାର।୫୭।

ସର୍ବସାଧି ଜଗୁଜିତା ହେଲେ ବିଶ୍ୱାମିତ୍ର

ଯାଗ ହୋମ ଆରମ୍ଭ ଯେ କରନ୍ତି ନିୟତ।୫୮।

ସୁବୃଷ୍ଟି କରଇ ଇନ୍ଦ୍ର ସୁଖୀ ସର୍ବ ପ୍ରଜା

ସୁଖେ ଆମଦାନୀ ରାଜା କରେ କର ସଞ୍ଜା।୫୯।

ସୁଖେ ପ୍ରଜାପାଳେ ବିଶ୍ୱାମିତ୍ର ମହାରାଜ

ପାଞ୍ଚ ସହସ୍ର ଯୋଜନ ଅଟଇ ସେ ରାଜ୍ୟ।୬୦।

ମକର ଶୁକଳ ପକ୍ଷ ନବମୀର ଦିନ

ଗୁରୁବାର ରୋହେଣୀ ନକ୍ଷତ୍ର ବିଦ୍ୟମାନ।୬୧।

ସେହିଦିନ ବିଶ୍ୱାମିତ୍ର ଦଳବଳ ସଙ୍ଗେ

ଦିଗବିଜୟକୁ ବାହାରିଲେ ନବରଙ୍ଗେ।୬୨।

ତୁଙ୍ଗଭଦ୍ରା ନଦୀ ଦେଇ ସଇନ ଗଲେ ମାଡ଼ି

ହିମବନ୍ତଠାରୁ ଗଲେ ସାତଯୂଣ ଛାଡ଼ି।୬୩।

ମହାବଳୀ ଦଇତଂକୁ ଯେ ମାଇଲେ ବନେ ପଶି

ବନଫଳ ଭକ୍ଷିଣ ବୁଲନ୍ତି ଅହର୍ନିଶି।୬୪।

ଲେଉଟିଲେ ମାଘଶୁକ୍ଳ ଦ୍ୱାଦଶୀର ଦିନ

ଯାଗ କରିବାକୁ ବିଜେକଲେ ଯେ ବହନ।୬୫।

ପାତାଳ ଗଙ୍ଗାରେ ସେ ଯେ ନିତ୍ୟକର୍ମ ସାରି

ଗଣ୍ଡୁକୀ ନଦୀ ତୀରେ ଆସନ୍ତି ବିଜେକରି।୬୬।

ସେ ନଦୀତୀରେ ବଶିଷ୍ଠଂକର ଯେ ଆଶ୍ରମ

ତହିଂ ପ୍ରବେଶିଲେ ବିଶ୍ୱାମିତ୍ର ଅବିଶ୍ରାମ।୬୭।

ବଶିଷ୍ଠଂକ ପାଦେ ବିଶ୍ୱାମିତ୍ର ପରିଣାମି

ବୋଇଲେ ଅଇଲୁ ଚଉବିଂଶ ବନ ଭ୍ରମି।୬୮।

ଭକ୍ଷ କିଛୁ ନମିଳିଲା ୟେହି ବନ ଦେଶେ

ଚାରିଦିନ ହେଲା ରହିଅଛୁ ଉପବାସେ।୬୯।

ବଶିଷ୍ଠ ବୋଇଲେ ସ୍ରାହନ ସାରିଆସ ବାବୁ

କ୍ଷଣକେ ରହିଲେ ବାବୁ ଅନ୍ନପାଣି ଦେବୁ।୭୦।

ରାଜା ବୋଇଲେ ଋଷି ସଇନି କ୍ଷୁଧାର୍ତ୍ତି

ୟେହାଂକୁ ଭକ୍ଷ ଦିଅ ଯେମନ୍ତେ ହୋଅନ୍ତି ତ୍ରିପୁତି।୭୧।

କେମନ୍ତେ ଅନ୍ନ ଭୁଞ୍ଜିଣ ଆମ୍ଭେ ୟେକା ହେବୁଂ ତୋଷ

ବିଶ୍ୱାମିତ୍ର ବୋଇଲେ ଥାଠଯାକ ଅଛନ୍ତି ଯେ ଉପାସ।୭୨।

ତହୁଂ ବଶିଷ୍ଠ ବୋଇଲେ ତୁମ୍ଭେ ସମସ୍ତେହେଂ ବସ

ଚରୁ ଅନ୍ନଟିୟେ ଦେବୁ ଆମ୍ଭେ ରହିଥିବ ଯଶ।୭୩।

ସମସ୍ତେ ଯେ ୟେକ ୟେକ ପତ୍ର ପାତି ବସ

ଦେଉଅଛୁଂ ଆମ୍ଭେ ଅନ୍ନ ଯେତେ ଯେ କର ଗ୍ରାସ।୭୪।

ଶିଷ୍ୟ ସହ ଆମ୍ଭେ ଯେ ପରଷିବୁଂ ସମସ୍ତଂକୁ

ଭୋଜନ କରିଣ ଯିବ ଯେ ଯାହା ବାସ ଭବନକୁ।୭୫।

ତହୁଂ ସେ ସଇନେ ବସିଲେ ତିନିଯୂଣ ମାଡ଼ି

ସମସ୍ତେ ଆଗରେ ୟେକ ୟେକ ପତ୍ର ପାଡ଼ି।୭୬।

ବଶିଷ୍ଠ ଋଷିଂକର ଯେ ତିନିସସ୍ର ଶିଷ୍ୟ

ସର୍ବେ ପରଶନ୍ତି ଅନ୍ନ ହୋଇଣ ହରଷ।୭୭।

ବଶିଷ୍ଠଂକ ଭାରିଯା ଯେ ଅଟନ୍ତି ଅରୁନ୍ଧତୀ

ସାକ୍ଷାତେ ଲକ୍ଷ୍ମୀ ସେ ଯେ କୋଟିକଳ୍ପ ମହାସତୀ।୭୮।

କୁଡୁଆ ଗୋଟିୟେକ ଯେ ଭାତ ରାନ୍ଧିଛନ୍ତି

ତହୁଂ ଢାଳି ଅନ୍ନ ନିଜ ସ୍ୱାମୀ କରେ ଦ୍ୟନ୍ତି।୭୯।

ବଶିଷ୍ଠ ଆଶ୍ରମୁଂ ଆଣି ଦିଅନ୍ତି ଶିଷ୍ୟଂକ କରେ

ଶିଷ୍ୟମାନେ ପରଶନ୍ତି ଯେ ଅତି ଖରତରେ।୮୦।

ବଶିଷ୍ଠଂକର ନନ୍ଦନ ଯେ ସୁସଞ୍ଜ ବ୍ରାହ୍ମଣ

କାମଧେନୁ ଗୋଟିକ ଯେ ଭାଣ୍ଡେ କରନ୍ତି ଦୋହାନ।୮୧।

ତହୁଂ ସାତକ୍ଷେଉଣୀ ଘେନି ଭୁଞ୍ଜି ବସିଲେ ବିଶ୍ୱାମିତ୍ରେ

କୁଣ୍ଢୋଇକ ଅନ୍ନ ଗାଈ ଗୋଟିକର ଦୁଧେ ଶାନ୍ତିକଲେ
ଭଗବନ୍ତେ।୮୨।

ତ୍ରିପୁତି ହୋଇଣ ଭୁଞ୍ଜ ପୂରୋଇଣ ପେଟ

ବିନୟ ହୋଇଣ ତହିଂ ବୋଲନ୍ତି ବଶିଷ୍ଠ।୮୩।

ବ୍ରାହ୍ମଣର ଅନ୍ନ ଯେ ଅଟଇ ପରମାନ୍ନ

ମନ ପୂତ କରି ସର୍ବେ କର ହୋ ଭୋଜନ।୮୪।

ଯଗ୍ୟଂ ଅନ୍ନ ବୋଲି ଯାହା ହୋଇବ ତ୍ରିପୁତି

ଯେଝା ଅନରୂପେ ଭୁଞ୍ଜ ଲଭ ତୁମ୍ଭେ ଶାନ୍ତି।୮୫।

ପୁଣି ବୋଇଲେ ତୁମ୍ଭେ ତ ରାଜପୁତ୍ରମାନେ

ତ୍ରିପୁତି କରି ଆମ୍ଭେ ଦେଇପାରିବୁଂ କେସନେ।୮୬।

ସାତଘଡ଼ିଠାରୁ ସର୍ବେ ଭୁଞ୍ଜି ଯେ ବସିଲେ

କ୍ଷୁଧାଶ୍ରମେ ଭୁଞ୍ଜୁ ଭୁଞ୍ଜୁ ସୂର୍ଯ୍ୟ ଅସ୍ତ ହେଲେ।୮୭।

ଯାର ଇଚ୍ଛା ଯେତେ ତାଂକୁ ଦିଅନ୍ତି ସତ୍ୱରେ

କୁଣ୍ଢୋଇକ ଭାତ ଧେନୁ ଗୋଟିକ ଦୁଧ ଯେ ନ ସରେ।୮୮।

ଭକ୍ଷଣ କରି ଉଠି ନୁଆରନ୍ତି ବଳେ

ଗଣ୍ଡୁକୀ ନଦୀର ତୀରେ ଶୋଇଲେ ସକଳେ।୮୯।

ବଶିଷ୍ଠଂକୁ ପୁଚ୍ଛନ୍ତି ଯେ ବିଶ୍ୱାମିତ୍ର ରାୟେ

ୟେ ବଡ଼ ଅଦ୍ଭୁତ କଥା ତୁମ୍ଭର ମୁନିହେ।୯୦।

କୁଣ୍ଢୋଇୟେ ଅନ୍ନ ଆଉ ୟେକ ଗାଈ ଦୁଧ

ସାରି ନୁଆରି ସଭିୟେ ହୋଇଲେ ପ୍ରବୋଧ।୯୧।

ବଶିଷ୍ଠେ ବୋଇଲେ ୟେବେ ବିଜେ କର ରାଜା

ଗହଳ ଲାଗିଲା ୟେଥୁଂ ବହନ ହୋଇ ଯାଯା।୯୨।

ବିଶ୍ୱାମିତ୍ର ବୋଇଲେ ମୁନିହେ ତୁମ୍ଭନ୍ତ ମୋହର ସେବା

ୟେ କାମଧେନୁ ଗୋଟିକୁ ମୋତେ ଦେବା।୯୩।

ବଶିଷ୍ଠେ ବୋଇଲେ ମହାରାଜା ହୋଇଣ ୟେହେନେକ ବିଚାରୁ

ରାଜା ହୋଇ କେମନ୍ତେ ନେମୁଂ ବ୍ରାହ୍ମଣର ଗୋରୁ।୯୪।

ମାଗିଲେ ଗାଈ ଯହୁଂ ନ ଦିଲେ ବଶିଷ୍ଠେ

ବିଶ୍ୱାମିତ୍ରଂକୁ ବୁଝାଇଲେ ଅମନାତ୍ୟ ଦୁଷ୍ଟେ।୯୫।

ବିଶ୍ୱାମିତ୍ର ବୋଇଲେ ବନସ୍ତେ ଥିବାଟିକି

ଚରିଗଲେ ଗାଈଗୋଟି ଅଡ଼ାଇ ନେମାକି।୯୬।

ଗାଈ ଦୁହିଂ ବନସ୍ତକୁ ଦିଲେ ମୁନି ମେଲି

ବଳାତ୍କାରେ ନ ଯିବୁଟି ମହାମନ୍ତ୍ରେ ବୋଲି।୯୭।

ଗାଈ ଚରନ୍ତେଣ ଯାଇ ବେଢିଲେ ସଇନି

ଅଡାଇ ନେମାକୁ ହାଥେ ନଉଡ଼ିୟେ ନଉଡ଼ିୟେ ଘେନି।୯୮।

ବେଢିଣ ଅଡ଼ାଇ ନେମାକୁ ଲୋଡୁଛନ୍ତି ବଳେ

ଦେଖିଣ ଗୋମାତା ଯେ ଧାଇଂଲା କୋପାନଳେ।୯୯।

ମହାକୋପ ଅନଳ ନୟନେ ଚାହିଂଲାକ ତୋଳି

ସହସ୍ରେ ଯୋଦ୍ଧା ପଡ଼ିଲେ ହୋଇଲେ ଭସ୍ମଧୂଳି।୧୦୦।

ପୁଣିହିଂ ଅନେକ ଯୋଦ୍ଧା ମିଳିଲେକ ଆସି

ଶିଙ୍ଗେଣ ଗୋମାତା ସକଳ ସଇନ ଧ୍ୱଂସି।୧୦୧।

ଗୋମାତାର ଶିଙ୍ଗ ଖୁରା କୋଠାର ତୀଖ ପରଶୁ

ରୋମେ ରୋମେ ନାରାଜ ଯାଇଣ ବରଷୁ।୧୦୨।

ୟେକ ରୋମେ ପଡ଼ନ୍ତେ କୋଟିୟେ ସହସ୍ର ଶର ବୃଷ୍ଟି

ରଥ ଗଜ ଅଶ୍ୱ ସମସ୍ତେ ପଡ଼ନ୍ତି ମହୀ ଲୋଟି।୧୦୩।

ଅନ୍ତରାଳେ ବୁଲାବଇ ଗୋମାତା ଶିଙ୍ଗଗୋଟି

ପବନହୁଂ ବେଗ ହୋଇ ସଇନ୍ୟନ୍ତ ଯାଇଂ ଘୋଟି।୧୦୪।

ଗୋମାତାଂକ ଶିଙ୍ଗ ତେଜ ଅମୋହ ଶକତି

ନୟନେ ଅନଳ ଶରୀରେ ବିକାଶନ୍ତି ଜ୍ୟୋତି।୧୦୫।

ମହା ଭଇରୋବ ହୁଂକାର ଶବଦେକ ଦିଲା

ନିଶ୍ୱାସ ଘାତେ ସମସ୍ତ ସଇନ ନାଶ କଲା।୧୦୬।

ମହାବାତେ ଯେହ୍ନେ ଉଡ଼ି ପଡନ୍ତି ପତଙ୍ଗେ

ପଡିଲେ ସମୋଦ୍ରେ ଉଡ଼ି, କେ ଉଡ଼ିଗଲେ ଗଗନ ମାର୍ଗେ।୧୦୭।

ସେ କାମଧେନୁର ମୁଖ ନିଶ୍ୱାସର ବାତେ

ବିଶ୍ୱାମିତ୍ର ରାଜା ଉଡ଼ିପଡ଼ିଲେ ମହାକୂଟ ପର୍ବତେ।୧୦୮।

ଭଗନସ୍ତ ହୋଇଣ ସେ ବିଶ୍ୱାମିତ୍ର ମହାରାଜା

ଆପଣା ରାଜ୍ୟକୁ ନଯାଇ ପାଇଲା ବଡ଼ଲଜ୍ଜା।୧୦୯।

ଚଳଇ ବିଶ୍ୱାମିତ୍ର ରାଜା ନିଜ ଦେଶ ମଣ୍ଡଳେ

ଅଷ୍ଟବସୁନ୍ତ ରାଇ ସେ ବୋଲଇ ମହୀପାଳେ।୧୧୦।

ଆହୋ ଅଷ୍ଟବସୁ ତୁମ୍ଭେ ଯିବ ୟେହିକ୍ଷଣି

ଚଉର୍ଯ୍ୟ କରି ବଶିଷ୍ଠଂକର ଗାଈଗୋଟି ଦେବଆଣି।୧୧୧।

ବିଶ୍ୱାମିତ୍ରଂକର ବୋଲ ସେ ଭାଙ୍ଗିତ ନୁଆରି

ସେ ଅଷ୍ଟବସୁ ଗଲେ ଗାଈ ଚୋରିକରି।୧୧୨।

ଦୁହନକରିଗାଈଗୋଟିମୁନିମେଲିଦିଲେବନସ୍ତେ

ଗଣ୍ଡୁକୀ ନଦୀତୀରେ ସେ କାମଧେନୁ ଚଳଇ ନିଚିନ୍ତେ।୧୧୩।

ଗୋହରଣ ମନ୍ତ୍ର ଯେ ଜାଣନ୍ତି ଅଷ୍ଟବସୁ

ମନ୍ତ୍ରଧୂଳି ପକାଇଲେ ଗାଈ ଚରିଆସୁଂ।୧୧୪।

ମନ୍ତ୍ରବଳେଣ ପଛେ ଗୋଡ଼ାଇଲାକ ଗାଈ

ଆଗ ଆଗ ହୋଇ ଚଳନ୍ତି ଯେ ଅଷ୍ଟଭାଇ।୧୧୫।

କାମଧେନୁ ଘେନିଣ ଚଳନ୍ତି ଅଷ୍ଟବସୁ

ଦିନକର ହୋଇଲେ ପହରେକ ଆସୁ ଆସୁ।୧୧୬।

ୟେମନ୍ତର ସମୟେ ସୁମନ୍ତେକ ଗାଈ ଲୋଡ଼ିଗଲେ

ଗଣ୍ଡୁକୀ ନଦୀ ତୀରେ ଯାଇଂ ଲୋଡ଼ି ନ ପାଇଲେ।୧୧୭।

ବଶିଷ୍ଠଂକୁ କହିଲେ ଗୋମାତା କାହିଂ ନାହିଂ

ଚଉକତି ଲୋଡ଼ି ତ ନପାଇଲୁଂ କାହିଂ।୧୧୮।

ଧ୍ୟାନ କରିଣ ଜାଣିଲେ ବଶିଷ୍ଠ ମହାମୁନି

ବୋଇଲେ ଅଷ୍ଟବସୁ ଚୋରି କରି ଗଲେଘେନି।୧୧୯।

ବଶିଷ୍ଠ ମହାଋଷି ଗୋଡ଼ାଇଣ ଆସି

ଆଦିତ୍ୟ ଦେବତା ଆସି ତିନିପ୍ରହର ବିକାଶି।୧୨୦।

ଋଷିକୁଲ୍ୟା ନଦୀ ତୀରେ ଧର୍ମକେଳି ପର୍ବତ

ସେ ପର୍ବତ ତଳେ ନେଇ ଲୁଚାଇଲେ ଗୋମାତ।୧୨୧।

ମନ୍ତ୍ରବଳେଣ ବାନ୍ଧିଲେ ବାଳବଚ୍ଛା

ପର୍ବତ ତଳେ ଅଛନ୍ତି କେହି ନାହିଂ ରକ୍ଷା।୧୨୨।

ଗଣ୍ଡା ଗୋଟିୟେକ ବସୁୟେ ଆଣିଲେକ ମାରି

ପର୍ବତ ତଳେଣ ସେ ଅଗ୍ନି ସଂଜାଳ କରି।୧୨୩।

ଅତି ଯତ୍ନ କରି ଚର୍ମ ଉତାରିଣ ମାୟେଂସ

ରାଈପତ୍ରେ ପୂରାଇଲେ ସୂକ୍ଷ୍ମ ଯେ ମାୟେଂସ।୧୨୪।

ପତ୍ର ସିଂଇ କରିଣ ଯେ ଭରିଲେ ଅଗ୍ନିର

ସଉରି ବିଧିକରି ଅଗ୍ନି ଜାଳି ପାକକଲେ ତହିଂର ଉପର।୧୨୫।

ଗାଈର ତହୁଂଯେ ଦୁହିଂଲେ ଦୁଧ ଫୁଟି

ଗଣ୍ଡାର ମାୟେଂସ ସହ ଅଷ୍ଚଭୋଗ କରି ବାଣ୍ଟି।୧୨୬।

ଦାରାକ୍ଷ ଫଳ ଯେ ଗୁଡାୟେକ ଲୋଡ଼ି ଆଣି

ଭୋଜନ କରନ୍ତି ସେ ଯେ ଅମିୟ ରସ ଜାଣି।୧୨୭।

ବଶିଷ୍ଠେ ଲୋଡ଼ନ୍ତେ ଯେ ଆଦିତ୍ୟ ଅସ୍ତଗଲେ

ସେ ପର୍ବତ ତଳେ ମୁନି ଗାଈକି ଭେଟିଲେ।୧୨୮।

ବଶିଷ୍ଠ ମହାମୁନି ଗାଈ ଘେନି ଆସୁଂ

ପର୍ବତୁ ଡେଇଂପଡିଲା ଅନିଳେକ ବସୁ।୧୨୯।

ଧାଇଂଲା ଅନିଳେକ ବସୁ ଘେନିଣ ନଉଡ଼ି

ବଶିଷ୍ଠଂକ ଉପରେ ପିଟିଲା ନେଇ ବାଡ଼ି।୧୩୦।

ବାଡ଼ି ବାଜନ୍ତେ ବଶିଷ୍ଠଂକର ବଡ଼ କୋହ

ରାଗେଣ ଶାପଦିଲେ ତୁରେ ଅନ୍ଧହୋଅ।୧୩୧।

ବଇକୂଲ୍ୟେ ଶାପ ଯେ ଦିଲେ ତପୋନିଷ୍ଠି

ଅନିଳେକ ବସୁର ତକ୍ଷଣେ ଚକ୍ଷୁଗଲା ଫୁଟି।୧୩୨।

କାମ୍ୟେକ ବନରେ ଯେ ପଡ଼ିଲା ଅନ୍ଧହୋଇ

ଉଚ୍ଚସ୍ୱରେ ଡାକଇ ମୋତେ ବଶିଷ୍ଠ କର ତ୍ରାହି।୧୩୩।

ଭକତ ମତ୍ସଳ ସେ ଯେ ଅଟନ୍ତି ତପୋନିଷ୍ଠି

ବୋଇଲେ ଆପଣେ ନାଶକଲୁ ତୋହୋର ଗ୍ୟାନ ଗୋଟି।୧୩୪।

ସତ୍ୟଯୁଗ ସତରଲକ୍ଷ ଅଠାଇଶ ସସ୍ରଯାନ୍ତେ

ତ୍ରେତୟା ଯୁଗ ବାରଲକ୍ଷ ଛୟାଣୋଇ ସହସ୍ରର ଅନ୍ତେ।୧୩୫।

ତଥାପି ତୋହର ଅନ୍ଧପଟଳ ନ ଫିଟିବ

ୟେ ମୋହୋର ବଚନ ଯେ ଅବଶ୍ୟ ଫଳିବ।୧୩୬।

ଦ୍ୱାପରଯୁଗେ ସୋମବଂଶେ ଜାତ ହୋଇବେ ଯୁଝେଷ୍ଠି

ଅର୍ଜୁନ ଅରଣ୍ୟେ ଘେନିଆସି କାମ୍ୟେକ ବନେ ତୋତେ
ଭେଟି।୧୩୭।

ଯୁଝେଷ୍ଠିଂକ ଦ୍ରଶନେ ତୁ ପାଉ ସିନା ଚକ୍ଷୁ

ଦୋଷକଲା ଅବସ୍ଥାକୁ କିମ୍ପେ ବିକଳ ହେଉଅଛୁଂ।୧୩୮।

ପୁଣ କୋପେ ଗୋଡ଼ାଇ ଆସି ଭେଟିଲେ ଉମାବସୁ

ବଶିଷ୍ଠଂକୁ ଓଗାଳିଲେ ଗାଈ ଘେନିଆସୁ।୧୩୯।

ଅପାର ଭ୍ରଚ୍ଛନାକରି ବଶିଷ୍ଠଂକୁ ରାଗେଣ ଓଗାଳି

କୋପେଣ ବଶିଷ୍ଠଂକୁ ପକାଇଦିଲା ପେଲି।୧୪୦।

ଉତ୍ତାନଶାହୀ ହୋଇଣ ପଡ଼ିଲେ ବଶିଷ୍ଠେ

କୋପେଣ ବୋଇଲେ ଆରେ ଆରେ ରେ ପାପିଷ୍ଠେ।୧୪୧।

ବିହନ୍ତା ପୁରୁଷ ହୋଇ ତୁମ୍ଭେ ୟେଡ଼େ ମନ୍ଦ ଅଟ

ଜନ୍ମ ହୋଇଣ ତୁମ୍ଭେରେ ହୋଅ ମୁଣ୍ଡକାଟ।୧୪୨।

ଉମାବସୁ ବୋଇଲେ ବଶିଷ୍ଠଂକୁ ତୋଳି

ଶାଳପତ୍ର ଘେନି ବଶିଷ୍ଠଂକ ଶରୀର ଶୀତଳି।୧୪୩।

ଉମାବସୁର ବଶିଷ୍ଠ ଘେନିଲେ ଭଗତ

ତୁ ରକ୍ଷାହୋଅ ନ ଛିଡୁ ତୋହର ଗାତ୍ର।୧୪୪।

ଉମାବସୁ ବୋଇଲେ ତୋହର ଯେ କୋପ

ମୁକତି କାରଣ ମୋତେ କହିବା ସରୂପ।୧୪୫।

ବଶିଷ୍ଠେ ବୋଇଲେ ତୁହୋ ଶୁଣ ଉମାବସୁ

ଗଙ୍ଗାର ଓଦରେ ଜାତହୋଅ ସେ ତୁମ୍ଭନ୍ତ ନାଶୁ।୧୪୬।

ଛଡଂକଇ ମୁଣ୍ଡ ଯେ ଛେଦୁଂ ସେ ଜାହ୍ନବୀ

ୟେକା ମାତ୍ର ତୁହିଥିବୁ ଶରୀର ସମ୍ଭବୀ।୧୪୭।

ଗଙ୍ଗାର ଗର୍ଭେ ତୋହର ଭୀଷ୍ମ ନାମ ହୋଉ

ଭାରଥ ଯୁଦ୍ଧରେ ଶରଶେଯ୍ୟାର ତୋହର ଦିନଯାଉ।୧୪୮।

ୟେ ଛଡ଼ବୀରେ ଗଙ୍ଗାର ହାଥେ ଶିରଚ୍ଛେଦ ହୋଅନ୍ତୁ

ଜଇନ୍ତା ଶବରୁଣୀ ଉଦରେ ଜନମ ପାଆନ୍ତୁ।୧୪୯।

ଯଦୁର ଘରେ ତୁମ୍ଭେ ପାଞ୍ଚେ ହୋଅ ଦହି

ଆରେ ତୁମ୍ଭେ ମୋତେ ଯେ ଅନେକ ଅବସ୍ଥା ଅଛ ଦେଇ।୧୫୦।

ପାଣ୍ଡବନ୍ତ ତୁମ୍ଭେ ରେ ଉପୁଗାର କରି

ଗୋରୁ ଚୋର ଦୋଷ ଯେ ହୋଉ ତୁମ୍ଭରି ପାରି।୧୫୧।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ପାଣ୍ଡବଂକର ହିତେ ସେ ହୋଇଲେ ଉତପତ୍ତି।୧୫୨।

ଅନିଳ ବସୁ ଯେ ଅନ୍ଧ ହୋଇଥିଲା

ଯୁଝେଷ୍ଠିଂକ ଦରଶନେ ଚକ୍ଷୁ ସେ ପାଇଲା।୧୫୩।

ପଞ୍ଚବସୁ ଦହନ ହୋଇଲେ ପାଣ୍ଡବଂକ ହିତେ

ପୁରୋଚନ ଦହିହେଲା ପାଣ୍ଡବଂକ ଅର୍ଥେ।୧୫୪।

ପାଣ୍ଡବ ହିତେ ଗାଙ୍ଗେବ ହୋଇଲେ ଶରଶଯ୍ୟା

ବଶିଷ୍ଠଂକ ଶାପୁଂ ସେ ହୋଇଲେ ପରିତେଜ୍ୟା।୧୫୫।

ଆହୋ ଚଇତନ ସତ୍ୟ ତ୍ରେତୟା ଦ୍ୱାପର କଳିଯୁଗେ

ଗୋରୁ ଚୋରାଇ ଅଷ୍ଟବସୁ ନରହିଲେ ତିନିସ୍ୱର୍ଗେ।୧୫୬।

ବିଶ୍ୱାମିତ୍ର ଅର୍ଥେ ଅଷ୍ଟବସୁ ନାଶଗଲେ

କାମଧେନୁ ଗାଈ ଘେନି ବଶିଷ୍ଠେ ଚଳିଗଲେ।୧୫୭।

ଚଇତନ ପୁଚ୍ଛା ଯେ କଲେକ ମନୁକୁ

ୟେ ପଞ୍ଚ କୁମାର କଥା କହିବା ମୁନି ମୁକୁ।୧୫୮।

ଶୁଣହୋ ମହାତମା ତୁ ଯାହା ପୁଚ୍ଛସି

ୟେକ ମନ କରି ତୁ ଯେ ତଲୟେ କରସି।୧୫୯।

ବିଶ୍ୱାମିତ୍ର ତୁଲେ ଯେ ବଶିଷ୍ଠ ଅପ୍ରୀତି

କାଳେ କାଳେ ଚୋର ହୋଇଲେ ଅପକୀର୍ତ୍ତି।୧୬୦।

ଶୂନ୍ୟ ପାତାଳ ବିତାଳ ସୁତଳ ଭୁବନେ

କାହିଂ ପଶି ନୁଆରିଲେ ବିହନ୍ତା ପୁରୁଷମାନେ।୧୬୧।

ଆହୋ ଚଇତନ ଅବଦ ନାମେ କାଳ ସତ୍ୟଯୁଗେ

ବିହନ୍ତା ପୁରୁଷେ ରହି ନୁଆରିଲେ ତିନି ସ୍ୱର୍ଗେ।୧୬୨।

ୟେଥୁ ଅନନ୍ତରେ ବିଶ୍ୱାମିତ୍ର ନରପତି

ବଶିଷ୍ଠଂକ ଆଶ୍ରମରେ ମିଳିଲେ ଯାଂଇ ଧାତି।୧୬୩।

ବିନୟ କରି କହନ୍ତି ତୁମ୍ଭରେ କାରଣ ମୋତେ ହୋଇବ ହେ ବଶିଷ୍ଠ

ସଂକଳ୍ପ କରି ଅଇଲି ଗାଢେ ମୁଂ ହୋଇବି ତପୋନିଷ୍ଠ।୧୬୪।

ବଶିଷ୍ଠ କହିଲେ ତପକଇଂ ବିଧି

ବିଶ୍ୱାମିତ୍ର ବୋଇଲେ ତୁମ୍ଭର ପ୍ରାୟେ ହୋଇବି ସଂସିଦ୍ଧି।୧୬୫।

ତୁମ୍ଭକଇଂ ଦହନ କରିତେ ମୋହୋର ଇଚ୍ଛା

ତେବେ ସେ ପୂରୋଇବି ମୋହର ମନବାଞ୍ଛା।୧୬୬।

ତହୁଂ ରାଜ୍ୟ ତ୍ୟାଗକରି ବଶିଷ୍ଠଂକ ରାଗେ

ତପ କରିବାକୁ ଗଲା ହିମାଳ ପଚ୍ଛିମ ଭାଗେ।୧୬୭।

ସିଦ୍ଧ ଧବଳାଙ୍ଗୀ ଯେ ମାଳତୀ ନାମେ ନଦୀ

ଈଶାନ୍ୟ ଭାଗୀ ସେ ପୁଣ୍ୟତୋୟା ସରସ୍ୱତୀ ଭେଦି।୧୬୮।

ହିଙ୍ଗୁଳା ପର୍ବତ ତହିଂ ମାଳତୀ ନଦୀ ତଟେ

ତହିଂର ପଛଭାଗେ ପର୍ପଟୀ ନାମେ ବଟେ।୧୬୯।

ସେ ବଟତଳରେ ରାଜା ବସିଲା ଦୃଢ ଆସନେ

ନିରାହାର ହୋଇଣ ସେ ଭକ୍ଷିଲା ପବନେ।୧୭୦।

ନିରଞ୍ଜନ ଲୟେ କରି ବସିଲା ନିରାଶେ

ୟେକ ଆସନେ ବସିଲା ଅଷ୍ଟୋତ୍ତର ଶତେ ଯେ ବରଷେ।୧୭୧।

ନାରଦେ କହିଲେ ଯାଇଂ ଦେବ ଅସକନ୍ଦେ

ବିଶ୍ୱାମିତ୍ର ରାଜା ତପେ ବସିଲା ବଶିଷ୍ଠଂକ ବାଦେ।୧୭୨।

ରାଜ୍ୟଭାର ସିଂଘାସନ ସମସ୍ତ କଲା ତେଜ୍ୟା

ମହାନିରାଶେ ବସିଲା ଆହାର ମଇଥୁନ ନାହିଂ ଶେଯ୍ୟା।୧୭୩।

ବ୍ରହ୍ମା ଇନ୍ଦ୍ର ରୁଦ୍ର ପଦକୁ ସେ କରିଅଛଇ ଇଚ୍ଛା

ବିଚାରି ଦିଗପାଳେ ବହନେ ହୋଅ ଅରକ୍ଷା।୧୭୪।

ନାରଦଂକ ବଚନେ ଯେ ଇନ୍ଦ୍ର କଲା ଶଂକା

ସନ୍ନିଧ୍ୟେ ହକାରିଲା ଅପକ୍ଷରୀ ମେନକା।୧୭୫।

ତା ସଙ୍ଗେ ଦେଇ କନ୍ଦର୍ପ ବସନ୍ତ ସମୀର

ବିଶ୍ୱାସ କରିଣ ଯେ କହଇ ପୁରନ୍ଦର।୧୭୬।

ବଶିଷ୍ଠଂକ ତୁଲେ ବିଶ୍ୱାମିତ୍ର ଯେ ବିବାଦୀ

ନିରାକାର ବୋଧି ମୋର ସମ୍ପଦ ଘେନିମ ଆଚ୍ଛାଦି।୧୭୭।

ଋଷି ବିପ୍ର ତୁଲେ ୟେ ଭଜନ୍ତ ତପୋଧନୀ

ବିଶ୍ୱାମିତ୍ର ତପ ଭଗ୍ନ କର ମଳୟ ବସନ୍ତ ଘେନି।୧୭୮।

ମୋହୋର ନିମନ୍ତେ ତୁହି ସହ ୟେବେ ଦୁଖ

ନ ସାଧିଲେ ୟେ କାର୍ଯ୍ୟ ମୁଂ ହୋଇବି ନିରେଖ।୧୭୯।

ଶୁଣିଣ ସାଆସ ଯେ ଉଡ଼ିଲା ମେନକା

ତିନିପୁର ଲୋକ ଯେବଣ ମୁନିଂକି କରନ୍ତି ଶଂକା।୧୮୦।

ହାରିଲେ ଯାହାକୁ ହିମ ବସନ୍ତ କନ୍ଦର୍ପ

ମୁଂ କିସ ଭଗ୍ନକରିବି ତାର ଘୋର ତପ।୧୮୧।

ତୁମ୍ଭେ ଦେବ ଜଗୁଜନ ସୟଳ ହିତକାରୀ

ଭୋ ମହାପ୍ରଭୁ ମୋତେ ଆଗ୍ୟାଂଦିଅ ହେ ବିଚାରି।୧୮୨।

କେଉଂଣ ଦୋଷ ମୁଂ ତୁମ୍ଭର କରିଥିଲି ପୂର୍ବେ

ତହିଂକି ଶାସ୍ତି ଦେବ ବିହିଲ ନାଥ ୟେବେ।୧୮୩।

ଚଉଷଠି କୋଟି ଅପକ୍ଷରୀ ମଧ୍ୟେ ହେଲି ମୁଂ ଅପରାଧି

ମୋତେ ନାଶ କରି ନାଥ ଚାହିଂଲ କେଉଂଣ ସଂପ୍ରଧି।୧୮୪।

ଇନ୍ଦ୍ର ବୋଇଲେ ରେ ବାଳା ତୁ ମୋର ଦୁଖେ ଦୁଖୀ

ୟେ ମହାସଂକଟୁ ମୋତେ ବାରେ ରଖ ଶଶୀମୁଖୀ।୧୮୫।

ଉଠିଣ ମଘବା ଧଇଲେ ମେନକାର ବେନି ହାଥ

ମୋହର ପାଇଂ ପ୍ରାଣେନାଶ ହୋଇବୁ ରେ ସଂଘାତ।୧୮୬।

ଅନେକ ବିନୟେ ଯହୁଂ କହିଲେ ପୁରୁହୂତ

ଶୁଣିଣ ମେନକା ଯେ କଲାକ ସନମତ।୧୮୭।

ଅନେକ ଅଳଂକାର ଯେ କୁବେର ଯୋଗାଇ

ଅମଳାଣ ବସ୍ର ଆଣି ଆଦିତ୍ୟ ଯେ ଦେଇ।୧୮୮।

ଦିବ୍ୟବେଶ ହୋଇଣ ସେ ତ୍ରିଜଗ ମୋହିନୀ

ଚଳଇ ମେନକା ମଳୟ ବସନ୍ତକୁ ଘେନି।୧୮୯।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଦେବ ଇନ୍ଦ୍ର ବଚନେ ମେନକା ଛାଡ଼ିଲା ଅମର ବାରସ୍ୱତୀ।୧୯୦।

ମନ ବଚନ କର୍ତ୍ତବ୍ୟ ନିରୋଧ ପଞ୍ଚୁଆତ୍ମା

ଦେବବରଷେ ଅଷ୍ଟଉତ୍ତର ଶତେବରଷ ଚକ୍ଷୁ ନ ଫେଡ଼ିଲେ ମହାତ୍ମା।୧୯୧।

ମେନକା ଅପକ୍ଷରୀ ମିଳିଲା ସନ୍ନିଧ୍ୟାନେ

ମଧୁରେ ବୀଣା ବଜାଇ ସେ କରଇ ଗାୟନେ।୧୯୨।

ସାରୀ ପ୍ରେମ ମଧୁରଧୁନି ସପତସ୍ୱରେ ବାଣୀ

ଉଂକାରେ ଭର ହରଷ କଲା ସେ ଅଣ୍ଡିର କୋକିଳ ଜାଣି।୧୯୩।

ଥମ୍ବନ ମୋହୋନ ବଶ ଉଚ୍ଚାଟନ ଆଦି ପଞ୍ଚୁବାଣ

ସନ୍ନିଧ୍ୟେ ପୂରୋଇଣ ରହିଅଛି ଯେ ମୟାଣ।୧୯୪।

ବସନ୍ତ ପବନ ଘେନି ମଳୟ ବହଇ

ଯାହାର ବହନ୍ତେ ଶୁଖିଲା ତରୁ ପଲ୍ଲବଇ।୧୯୫।

ଅବସନ୍ତେ ବସନ୍ତ ଯେ ବହଇ ଘନ ଘନ

କସ୍ତୁରୀ ଗନ୍ଧ ଘେନି ବହଇ ମଳୟ ପବନ।୧୯୬।

କ୍ଷଣକେ ଗୀତନାଦ କ୍ଷଣକେ କରତାଳି

ଉନମତ୍ତ ସୁନ୍ଦରୀ ଭରହରଷେ ଭୋଳି।୧୯୭।

ବହଇ ସମୀର ସୁସଞ୍ଚ ମଳୟାନିଳ

ବାତ ବିଘାତେ ଦେହରୁ ଉଡଇ ଅଞ୍ଚଳ।୧୯୮।

ଅସମ୍ଭାଳ ହୋଇ ଯେ ଦେଖାୟେ ସ୍ତନ ବେନି

ଦିଶେ ବେନି ଜାନୁ ଫୁଟିଣ ଝୀନପତନୀ।୧୯୯।

ମଳୟ ବସନ୍ତ ଘେନିଣ ଯହୁଂ ବହଇ ମୟାଣ

ପଲ୍ଲବିତ ହେଲେ ତହୁଂ ଶୁଖିଲା ବୃକ୍ଷମାନ।୨୦୦।

ପୃଥିବୀ ଆପ ତେଜ ବାଇବ ଆକାଶ

ପଞ୍ଚଧାତୁ ସନ୍ଧିଲେ ସେ ଧର୍ମ ଗଲାନାଶ।୨୦୧।

ପାଷାଣ ତରଳି ଯେ ନିର୍ଝର ବହଇ

ଖଣ୍ଡ ଖଣ୍ଡ ହୋଇଣ ଶିଳା ଗିରିରୁ ଖସଇ।୨୦୨।

ବସନ୍ତ ଋୁତୁରେ କୋକିଳ ରାବଇ ଘନଘନ

ଅକାଳେ ପଲ୍ଲବିତ ହୋଇଲେ ତରୁଲତାଗଣ।୨୦୩।

ବନଜୀବ ଆଦି କରି ହରିଣ ହରିଣୀ

କୋକିଳ ନାଦ ଶୁଣିଣ ହୋଇଲେ ବିରହିଣୀ।୨୦୪।

ୟେକାକାର ହୋଇଲେ ଯେ ମାନିତା ଗଉରୋବୀ

ଧାରି ଧାରି ହୋଇଲେ ଟଳଇ ଭୂବୀଦେବୀ।୨୦୫।

ବିଶ୍ୱାମିତ୍ରଂକ ସନ୍ନିଧ୍ୟେ ପ୍ରବେଶ ମେନକା

ବନ ଜୀବଜନ୍ତୁ ନାହିଂ ସୁନ୍ଦରୀ ତହିଂ ୟେକା।୨୦୬।

ଯୁବା ସେ ସୁନ୍ଦରୀ ଯେ ବିଶେଷେ ବିରହିତା

ଜଗୁଜନ ମୋହିନୀ ଯେ ଆବର ଫୁରଣ ସଂଗୀତା।୨୦୭।

ଭରହର ନାୟେକା ସେ ଅଳପ ହସ ହସ

ଅବଲୋକନ ଚାହାଂନ୍ତେ ନାରାଜ ଅତି ତୀଚ୍ଛ।୨୦୮।

ମଦନ ମାଦନ ହୋଇଣ ସେ ଆରତ ହୋୟେ କାମ

ବିଶ୍ୱାମିତ୍ର ଶରୀରେ ପଡ଼ିଲା ପଞ୍ଚୁବାଣ।୨୦୯।

ମଦନ ଅସକତେ ଯେ ଶରୀର ବିକୋତି

ମଉନେ ସମସ୍ୟା ନ ଦିଅନ୍ତି ମହାଯତି।୨୧୦।

ସନ୍ନିଧ୍ୟାରେ ଥାଇଣ ନାୟେକା କରେ ସେବା

ଦେଖାଇଣ ଉରଜ ବେନି ଅଙ୍ଗଭଙ୍ଗୀ ଶୋଭା।୨୧୧।

ମେନକା ବୋଇଲା ମୁଂ ସଂସାର କଲି ଯେ ଉପେକ୍ଷା

ତପେଣ କାମନା ମୋର ବନକୁ ବଡ଼ ଇଚ୍ଛା।୨୧୨।

ମହା ପୁଣ୍ୟତୋୟା ସେ ପରମପଦ ଭୂମି

ତୁମ୍ଭ ଚରଣେ ଖଟିଥିବି ଆଗ୍ୟାଂ ଦିଲେ ଦେବସ୍ୱାମୀ।୨୧୩।

ତପର ପ୍ରତିଆଶେ ମୁନି ବାଚା ନ ଫୁଟିଲା ମଉନେ

ହାଥ ଠାରି ବୋଇଲେ ରହିଥାଅ ଆମ୍ଭ ସନ୍ନିଧ୍ୟାନେ।୨୧୪।

ଧୂରକୁ ନଯିବୁ ୟେଥେଂ ଅଛନ୍ତି ବ୍ୟାଘ୍ର ଯେ ଭଲ୍ଲୁକ

ଦଇତେ ଦାନବେ ଛନ୍ତି ପିଶାଚ ରାକ୍ଷସ ଅନେକ।୨୧୫।

ୟେମାନେ ଦେଖିଲେ ଅବଶ୍ୟ ତୋତେ କରିବେଟି ଭକ୍ଷ

ବନ୍ଧୁ ସୋଦର କେ ବି ନାହିଂ ଅଟୁ ତୁ ନିରେଖ।୨୧୬।

ମାୟା ଚାଟୁ ପଟଳ ସେ ପାତିଲା ଚତୁରୀ

ମତିଭ୍ରମ କରାଇଲା ୟେଡ଼େକ ବ୍ରହ୍ମଚାରୀ।୨୧୭।

ଆହେ ବୁଧଜନେ ନାରୀ ୟେଡ଼େ ମୋହକାରୀ

ଯେଡ଼େ ଯତି ହେଉ ନିଅନ୍ତି ତାର ଚିତ୍ତ ହରି।୨୧୮।

ମହାଲୟେ ତପ ଅଷ୍ଟଉତ୍ତର ଶତେ ବରଷ

ମେନକା ଯେ ଖଟିଥାଇ ରୟଣୀ ଦିବସ।୨୧୯।

ମେନକା ଯେ ରହିଲା ତହିଂ ତୃତୀୟ ବରଷ

ବିଶ୍ୱାମିତ୍ର ସଂଗତେ ସେ କଲା ପରିହାସ।୨୨୦।

ନିଶାକାଳେ ମହାତମା ତପ ଛାଡ଼ି ଗଲେଉଠି

ମେନକାକୁ କୋଳ କରି ଧଇଲେ ସାଉଁଟି।୨୨୧।

ସେ ମେନକା ସଲଜିତ ଭାବେ ପୁଣ ବୋଲି

ଧର୍ମ ଧର୍ମ ହୋଇଣ ମୁନିଂକି ଦିଲା ପେଲି।୨୨୨।

ୟେଡ଼େବଡ଼ ମହାରାଜା ଭାର ସିଂଘାସନ ନିରାଶ

ତୁମ୍ଭର କୋପକଲେ ମୁଂ ସମ୍ପୋଡ଼େ ଯିବିନାଶ।୨୨୩।

ତୁମ୍ଭପାଦେ ଆଶ୍ରେକରି ରହିଲି ଯୋଗେ କରି ଇଚ୍ଛା

ମୁହିଂ ଯେ ଅନାସ୍ତୁଣୀ ନାରୀ ମୋତେ ବାରେ କର ରକ୍ଷା।୨୨୪।

ମେନକା ବୋଇଲା କେଶ ବାସ ମଳିନ ତୁମ୍ଭର

ଅତିହିଂ ପୂତିଗନ୍ଧ ତୁମ୍ଭର ଜଟା ଭାର।୨୨୫।

ନଦୀର ଭିତରେ ଯାଇଂ ପଶିଲେ ତପୋଧନୀ

ଜଟା ଛଡ଼ାୟେ ମେନକା କରେ କୁଠାର ଯେ ଘେନି।୨୨୬।

ପୂତିଗନ୍ଧ ଅଙ୍ଗରୁ ଯେ ଛଡ଼ାଇ କାମିନୀ

ଆପଣେ କେଶ ସେ ଯେ ପୋଛନ୍ତି ମହାମୁନି।୨୨୭।

ସ୍ରାହାନ ସାରି ସେ ବିଶ୍ୱାମିତ୍ର ମହାମତି

ଭୋଗ ଇଚ୍ଛାକରି ସେ ଛାଡ଼ିଲେ ତପବୃତ୍ତି।୨୨୮।

କଟି କଷା କଉପୁନୀ ଦୂରେ ଦିଲେ ଫିଙ୍ଗି

ପିନ୍ଧିଲେ ଦେବାଙ୍ଗ ବାସ କର୍ପୂର ତାମ୍ବୁଳ ଭୋଗୀ।୨୨୯।

ଅମୃତ ଲଡୁ ନେଇ ପରଶଇ ଚତୁରୀ

ହରଷଇ ଭୁଞ୍ଜିଲେ ସେ ବିଶ୍ୱାମିତ୍ର ତପଚାରୀ।୨୩୦।

ଭୋଜନ ସାରି ଯତି ମେନକା ସଙ୍ଗ ମେଳେ

ବଢିଲା ରତିରସ ଯେ ପର୍ପଟୀ ବଟତଳେ।୨୩୧।

ସାତ ରାତ୍ର ଆବର ଦିବସ ପରିଯନ୍ତେ

କ୍ଷଣକେ ବିଶ୍ରାମ ନାହିଂ ଶୃଙ୍ଗାର ଅନୁବ୍ରତେ।୨୩୨।

ରାତ୍ର ଅର୍ଦ୍ଧମାନରେ ଗଲା ସେ ମେନକା

ମାଳତୀ ନଦୀତୀରେ ମୁନି ରହିଲେ ଯେ ୟେକା।୨୩୩।

ନିଦ୍ରାରୁ ତେଜି ଉଠିଲେ ଯହୁଂ ପ୍ରସର ହେଲା ରାତି

ମେନକା ମେନକା ବୋଲି ଡାକନ୍ତି ଚଉକତି।୨୩୪।

ମେନକାକୁ ନଦେଖି ସେ ଲୋଡ଼ନ୍ତି ଘୋରବନେ

ଅନେକ ଗିରିକନ୍ଦର ଭେଦି ପଶିଲେ ଗହନେ।୨୩୫।

ତହୁଂ ଗଲା ଅପକ୍ଷରୀ ହୋଇଣ ସାନନ୍ଦ

ଅମର ସଭାରେ ଯାଇଂ ଭେଟିଲା ଅସକନ୍ଦ।୨୩୬।

ସମସ୍ତ କଉତୁକ ସେ କହଇ ଚତୁରୀ

ଅନେକ ହରଷ ହେଲେ ଶୁଣି ବଜ୍ରଧାରୀ।୨୩୭।

ମେନକାକୁ ନପାଇଣ ଯେ ମନରେ ବିଷାଦ

ଜାଣିଲେ ମୁନିବର ୟେ ଦେବତାକଂର ଛନ୍ଦ।୨୩୮।

ବ୍ରହ୍ମା ମୋଠାରେ ଯେବେ କଲାକ ୟେସନ

ବ୍ରହ୍ମପଦ ଘେନିମି ମୋର ଦୃଢ ୟେ ବଚନ।୨୩୯।

ୟେତେବୋଲି ମହାତମା କଲାକ ସଂକଳ୍ପ

ପୁଣି ଉର୍ଦ୍ଧରେତା ହୋଇ ଆରମ୍ଭକଲା ତପ।୨୪୦।

ତଳରେ ଥାପିଲେ ସେ କାଳାନଳ ଆହୂତି

ଅଗ୍ନିକୁଣ୍ଡକୁହିଂ ତହିଂ ଜାଳୁଛି ବିକୋତି।୨୪୧।

ବେନିଖମ୍ବ ପୋତି ପକାଇଲା ଧାରଣା ୟେକାକାଠେ

ତହିଂ ଉପରେ ନେଇ ଛନ୍ଦିଲା ପାଦପୃଷ୍ଠେ।୨୪୨।

ମହାଆହୂତି ଉପରେ ଥୋଇ ତମ୍ବାର କପୋରା

ମହାତେଜ ଅନଳରେ ମହାତେଜ ଭାରା।୨୪୩।

ହୋମକୁଣ୍ଡ ଅଗ୍ନିତେଜ ଉପରକୁ ଉଠି

ପଶିଲା ଦେହରେ ନାସା କର୍ଣ୍ଣ ତାଳୁ ଫୁଟି।୨୪୪।

ଗଙ୍ଗାଧର ପ୍ରାୟେକ ରୁଧିର ହେଲା ବୃଷ୍ଟି

ୟେପରି କଠୋର ତପ କରେ ତପୋନିଷ୍ଠି।୨୪୫।

ସେ ରୁଧିର ଝର ଝର ପଡ଼ଇ ତମ୍ବାଭାଣ୍ଡେ

ସେ ରୁଧିର ଆହୂତି ଯେ କଲେ ମୁନି ଅଗ୍ନିକୁଣ୍ଡେ।୨୪୬।

ସେ ଅଗ୍ନିରେ ଦହିଜ ହୋଅଇ ବିଶ୍ୱାମିତ୍ର କାୟେ

ମାଂସ ମିଳାଇଣ ପଡ଼ଇ ଅନଳର ଘାୟେ।୨୪୭।

ୟେ ବିଧିରେ ଶତେବର୍ଷ ଘୋର ତପ କଲା

ବଇଶ୍ୟାନର ମୁଖରୁ ସେ ପୁଣି ଉବୁରିଲା।୨୪୮।

ସେ ବେଳର ପାପ ସବୁ କଲାକ ସେ ହତ

ପୁଣ୍ୟମାନ ସେ ରାଜାର ଯେ ହୋଇଲା ଉଦିତ।୨୪୯।

ପୁଣି ବିଶ୍ୱାମିତ୍ର ସେ ମହାଅନଳୁଂ ଉତୁରି

ମାଂସ ପକାଇ ଅଗ୍ନିରେ ହୋମ ଯେ ଆଚରି।୨୫୦।

ପୁଣ ପୁଣ ପୋଡୁ ପୋଡୁ ରହିଲା ମାତ୍ର ଅସ୍ଥି

ପୁଣି ଅଗ୍ନିରୁ ଶରୀର ହେଲା ଉତପତ୍ତି।୨୫୧।

ସଭାବ ସାଦୃଶେ ପୂର୍ବପରି ହେଲା କାୟେ

ପାପ ଆତ୍ମା ଛାଡ଼ି ରାଜା ନିରାକୁଳ ହୋୟେ।୨୫୨।

ପବନ ବହଇ ସେ ନୀର ଆହାର ନାହିଂ

ଦଶଦ୍ୱାର ରୁନ୍ଧିଣ ବସିଛି ନିସ୍ପୃହୀ।୨୫୩।

ଆପଣାର ପବନ ଆପଣା ଅଙ୍ଗେ ଲଗନ କଲା

ଉଜାଣି ଟେକିଣ ବଜ୍ରସେହ୍ନା ଯେ ଛନ୍ଦିଲା।୨୫୪।

ଖେଚରୀ ଛନ୍ଦରେ ଯେ ବାନ୍ଧିଲା ପଞ୍ଚମୁଦ୍ରା

ନବଘଡ଼ିଟେକି ତୋଳିଲା ନବରନ୍ଧ୍ରା।୨୫୫।

ନିରାକାର ଭଜିଣ ଦୃଢେ ବସିଲା ତପୋବନ୍ତ

ୟେକ ଲୟେ କରି ବସିଲା ଲକ୍ଷେ ବରଷ ପରିଯନ୍ତ।୨୫୬।

ଶରୀର ଯାକ ତାର ଚରିଗଲେ ଉଇପୋକ

କିଛିଦିନେ ମୁନି ହୋଇଗଲେ ଉଇହୁଂକା ୟେକ।୨୫୭।

ସେପରି ରହିଲେ ସେ ବରଷ ନବଲକ୍ଷ

ବଲ୍ମୀକ ରୂପ ଧରି ପୁଣି ହୁଂକା ଯେ ପ୍ରତକ୍ଷ୍ୟ।୨୫୮।

ବାହାର ହୋଇଲା ପୁଣ ବୃକ୍ଷ ଦର୍ବୀଜଟି

ଫୁଟି ଲମ୍ବିତ ଜଟା ପାତାଳ ଭୁବନ କଂଟି।୨୫୯।

ଶୀତ ବାତ ବରଷଣ ଯେବଣ ବହନି

ଆହାର ମଇଥୁନ ନିଦ୍ରା ଉପେକ୍ଷିଲା ତିନି।୨୬୦।

ୟେମାନ ନଭେଦେ ବିଶ୍ୱାମିତ୍ରଂକର କାୟେ

ପୁଣିହିଂ ଦଶଲକ୍ଷ ବରଷ ତପକୟେ।୨୬୧।

ବ୍ରହ୍ମା ଦିନେ ବୋଇଲେ ତୁ ଯାଅଯା ବଶିଷ୍ଠ

ଘେନିଆସ ଯାଇଂଣ ସେ ବିଶ୍ୱାମିତ୍ର ତପିଷ୍ଠ।୨୬୨।

ପିତାର ବଚନେ ସେ ଚଳିଲେ ବ୍ରହ୍ମବେତ୍ତା

ବିଶ୍ୱାମିତ୍ରଂକୁ କହିଲେ ଆକାଶର ବାରତା।୨୬୩।

ଆସହୋ ବିଶ୍ୱାମିତ୍ର ବୋଲି ବୋଇଲେ ବଚନେ

ତପୀଂକର ତୁଲେ ବସ ମହଋଷି ପଣେ।୨୬୪।

ତହୁଂ ବିଶ୍ୱାମିତ୍ର ବୋଇଲେ ତୁ ଶୁଣହୋ ବଶିଷ୍ଠ

ତୋହେ ସମାନ ମୁହିଂକି ହୋଇଲି ତପିଷ୍ଠ।୨୬୫।

ବଶିଷ୍ଠେ ବୋଇଲେ ତୋହୋର ୟେଡ଼େକ ତପକାହୁଂ

ରାଜଋଷି ପଣ ପାଇଲୁ ମେନକାର ତହୁଂ।୨୬୬।

ପୁଣି ତପ କଲାରୁ ହୋଇଲୁ ଯେ ମହଋଷି

ବ୍ରହ୍ମଋଷି ହୋଇଲେଟି ଆମ୍ଭ ସଙ୍ଗେ ବସି।୨୬୭।

ବିଶ୍ୱାମିତ୍ର ବୋଇଲେ ମୁଂ କିମ୍ପାଇଂ ତେବେ ଯିବି

ତୋହୋର ସମାନେ ଋଷି ହେଲେ ତପରୁ ଉଠିବି।୨୬୮।

ବଶିଷ୍ଠ ନେଉଟି ଯାଉଂ ସେ ନିରାଶେ ଭଜିଲା

ପୁଣି ଦଶଲକ୍ଷ ବରଷ ବସିଣ ତପକଲା।୨୬୯।

ମହା ଅନଳରେ ସେ ମାୟେଂସ ଦିୟେ କାଟି

କପୋରାରେ ଭରି ରୁଧିର କରଇ ଯେ ବୃଷ୍ଟି।୨୭୦।

ୟେ ବିଧିରେ ଦେହରୁ ସମସ୍ତ ମାଂସ କାଟି ଦିଲା

ବଶିଷ୍ଠ ସମାନେ ଋଷି ହୋଇବି ବୋଲି ଅଗ୍ନିରେ ଝାସିଲା।୨୭୧।

ଅନଳେ ଶରୀର ଯହୁଂ ଦହନ ନୋହିଲା

ଶତେକ ବରଷ ତହୁଂ ଅଗ୍ନିରେ ସେ ଗଡ଼ିଲା।୨୭୨।

ଅଗ୍ନିକୁଣ୍ଡ ମଧ୍ୟେ ପଶି କରଇ ୟେକଲୟେ

ମନୁ ପରିଯନ୍ତେ ବସିଲା ନିରଞ୍ଜନଂକୁ କରି ଧ୍ୟାୟେ।୨୭୩।

ଅନଳରୁ ପୁଣି ଯହିଂ ହୋଇଲା ବାହାର

ନଖ ମୁଖ ନାସା ହେଲା ଆଗହୁଂ ତେଜକର।୨୭୪।

ମହାମୂର୍ତ୍ତି ହୋଇ ଯହୁଂ ପୁଣି ଉତୁରିଲା

ନିରାକାର ଧ୍ୟାୟି ପୁଣି ଅଗ୍ନିରେ ପଶିଲା।୨୭୫।

ଅଗ୍ନି ବେଢି ଜଳଇ ସେ ତାହାର ଶରୀର

ଯୋଗଲୟେ କରି ବସିଅଛି ସେ ଅଗ୍ନିର ଭିତର।୨୭୬।

ସେହି ସରୂପେ ଅନେକ କାଳ ଗଲା ଯହୁଂ

ପୁଣି ପିତାମହ ବଶିଷ୍ଠଂକୁ ଆଗ୍ୟାଂ ଦିଲେ ତହୁଂ।୨୭୭।

ବ୍ରହ୍ମା ବୋଇଲେ ବଶିଷ୍ଠ ବିଶ୍ୱାମିତ୍ରଂକୁ ୟେବେ ଘେନିଆସ

ଦେବଋଷି ପଣେ ବସନ୍ତୁ ସେ ଋଷିଙ୍କର ପାଶ।୨୭୮।

ଯାଇଂ ବଶିଷ୍ଠେ ବୋଇଲେ ହୋ ବିଶ୍ୱାମିତ୍ର ଶୁଣ

ଆସ ଆମ୍ଭସଙ୍ଗତେ ବସିବ ଦେବଋଷି ପଣ।୨୭୯।

ଆସହୋ ଆକାଶକୁ ଯିବାସି ବହନ

ଶୁଣିଣ ବିଶ୍ୱାମିତ୍ର ତେଜିଲେ ଆସନ।୨୮୦।

ବଶିଷ୍ଠଂକ ସଙ୍ଗତେ ସେ ଚଳିଲେ ମୁନିବର

ଦେବଋଷି ହୋଇଣ ସେ ଯେ ବସିଲେ ସଭାର।୨୮୧।

ଦେବଋଷି ପଣେଯାଇଂ ସ୍ୱର୍ଗରେ ବସିଲେ

ଦଶଲକ୍ଷ ବରଷ ଯେ ସେଠାରେ କଟାଇଲେ।୨୮୨।

ୟେକ ଦିନେ ସେହି ବିଶ୍ୱାମିତ୍ର ଦେବଋଷି

ଦଣ୍ଡ କମଣ୍ଡଳୁ ଘେନି ଯଶୋବନ୍ତୀ ପୁରକୁ ଯାନ୍ତେ ପଶି।୨୮୩।

ପିତାମହଂକ ଦ୍ୱାରପାଳ ଚିତ୍ରକମଳ ବୋଲି ରାଜା

ବିଶ୍ୱାମିତ୍ରଂକୁ ବୋଇଲା ସେ ଭିତରକୁ ନ ଯା।୨୮୪।

ନମାନି ଦ୍ୱାରକୁ ଡିଅଂନ୍ତେ ପକାଇଦିଲା ପେଲି

ମୁହଂମାଡ଼ି ପଡ଼ିଗଲେ ସେ ଧର୍ମ ଧର୍ମ ବୋଲି।୨୮୫।

ଦଣ୍ଡ କମଣ୍ଡଳୁ ଛାଡ଼ି ମୁନି ହୋଇଲେ ଅସାଷ୍ଟମ

ଆରେ ଆରେ ଦ୍ୱାରପାଳ ତୋର ୟେଡ଼େ ଉତକର୍ମ।୨୮୬।

ଆରେ ମୁଂ ଯେବେ ଅଟଇ ବ୍ରହ୍ମ ସମାନେ ଋଷି

ଯାଅରେ ଚିତ୍ରକମଳ ତୁମ୍ଭେ ବ୍ରହ୍ମରାକ୍ଷସ ହୁଅସି।୨୮୭।

ମେଣ୍ଟି ନହେଲା ଯେ ବିଶ୍ୱାମିତ୍ରଂକର ଶାପ

ତକ୍ଷଣେ ଚିତ୍ରକମଳ ହୋଇଲା କଉଣୋପ।୨୮୮।

ରାକ୍ଷସ ହୋଇଣ ଗୋଡ଼ାୟେ ସେ ବିଶ୍ୱାମିତ୍ରଂକୁ

ନଉଡ଼ି ଉଞ୍ଚାଇ ବୋଲଇ ଆହାର ଦିଅ ମୁକୁ।୨୮୯।

ୟେ ବିଧିରେ ପାଞ୍ଚ ଦଶ ବରଷ ଗୋଡ଼ାଇ

ପୁଣି ଦିନେ ମୁନି ବ୍ରହ୍ମା ଭୁବନକୁ ଯାଇଂ।୨୯୦।

ବ୍ରହ୍ମାକଂର ଦ୍ୱାରେ ଥିଲେ ବଶିଷ୍ଠଂକ ଶତେ ପୁତ୍ରେ

ରହ ରହ କାହିଂକି ଯାଉଛୁ ଆହୋ ବିଶ୍ୱାମିତ୍ରେ।୨୯୧।

କଟାକ୍ଷେ ଚାହିଂ ବୋଇଲେ ରେ ୟେଡ଼େକ ଦର୍ପ ବୋଲି

ପଶନ୍ତେ ବିଶ୍ୱାମିତ୍ରଂକୁ ପକାଇଦିଲେ ପେଲି।୨୯୨।

ଅସାଷ୍ଟମ ହୋଇଣ ଯେ ପଡ଼ିଲେ ତପନିଷ୍ଠି

ମୁହଂ ମାଡ଼ି ପଡ଼ିଚେତା ପାଇ ଉଠି।୨୯୩।

କଳ୍ମଷ ପାଦକୁ ମୁନି ଦେଖାଇଣ କର

ବୋଇଲେ ବଶିଷ୍ଠଂକର ଶତେ ପୁତ୍ର କରସି ଆହାର।୨୯୪।

ମୁନିର ଆଗ୍ୟାଂ ପାଇ କଳ୍ମଷ ରାକ୍ଷସ

ବଶିଷ୍ଠଂକ ଶତେ ପୁତ୍ରନ୍ତ ଧରି କଲାକ ସେହୁ ଗ୍ରାସ।୨୯୫।

ୟେଥୁ ଅନନ୍ତରେ ବିଶ୍ୱାମିତ୍ର ଋଷି

ବ୍ରହ୍ମାଂକର ଭୁବନେ ବହନଯାଇଂ ପଶି।୨୯୬।

ବିଶ୍ୱାମିତ୍ର ଆସନ୍ତେ ଭୟ କଲେ ବଶିଷ୍ଠେ

ବ୍ରହ୍ମାଂକର ଆସନେ ବସିଅଛନ୍ତି ଅନେକ ତପୋନିଷ୍ଠେ।୨୯୭।

ପଉଲସ୍ତି ବିଶ୍ରବା ଯେ ସୁଦେବ ଅଗସ୍ତି

ମାରକଣ୍ଡ ସୁମନ୍ତେକ ଉଦ୍ଦାଳକେ ଯତି।୨୯୮।

ଭରଦ୍ୱାଜ କାଶ୍ୟପ ଅଙ୍ଗିରା ମହଋଷି

ୟେମାନେ ବ୍ରହ୍ମାଂକର ସଭାୟେ ଛନ୍ତି ବସି।୨୯୯।

ମଧ୍ୟରେ ପିତାମହ ଯେ ବସିଣ ଅଛନ୍ତି

ୟେମନ୍ତର ସମୟେ ପ୍ରବେଶ ହେଲେ ଯତି।୩୦୦।

ବସ ବୋଲି ତାହାକଇଂ ଯେ ନ ବୋଇଲେ ବ୍ରହ୍ମା

ଅପମାନ ପାଇ ତହୁଂ ସେ ଅଇଲେ ମହାତମା।୩୦୧।

ପୁଣ ପ୍ରତଗ୍ୟାଂ ବିଶ୍ୱାମିତ୍ର କଲେକ ପ୍ରଚଣ୍ଡେ

ୟେଘାନ୍ତି ବ୍ରହ୍ମାପଦ ଘେନିମି ସ୍ରିଜିବି ବ୍ରହ୍ମାଣ୍ଡେ।୩୦୨।

ଲମ୍ବିତ ଜଟା ମୁନିଂକର ଅଙ୍ଗେଣ ଚିରିକୁଟି

ହାଥେ ଶୂଳେକ ଧରି କଟିରେ ବଜ୍ର ଯେ କାଚ୍ଛେଟି।୩୦୩।

ବିଦ୍ୟାଧର ପୁରୁଷେକ ଆସୁଛନ୍ତି ଖେଦି

ତାହାନ୍ତ ଜିଣିଲେ ୟେ ନବସୃଷ୍ଟି ହୋଇବ ସମ୍ପାଦି।୩୦୪।

ସ୍ୱର୍ଗ ମଞ୍ଚ ପାତାଳ ୟେ ତିନି ଭୁବନେ

କାହୁଂ ପଶି ନୁଆରିଲେ ବିଦ୍ୟାଧର ପୁରୁଷମାନେ।୩୦୫।

ସ୍ୱାୟମ୍ଭୁବ ମନୁ କାଳେ ୟେକଇ ସତ୍ୟଯୁଗେ

ବିଶ୍ୱାମିତ୍ରଂକର ଭୟେ ବିଦ୍ୟାଧର ପୁରୁଷେ ରହି ନୁଆରିଲେ ତିନିସ୍ୱର୍ଗେ।୩୦୬।

ସେ ସତ୍ୟଯୁଗରେ ହରିଚନ୍ଦନ ସତ୍ୟବାଦୀ

ଦାନେ ମାନେ ଅବଧାନେ ଶରଣ ସମ୍ପାଦି।୩୦୭।

ବିଶ୍ୱାମିତ୍ରେ ଗୋଡ଼ାନ୍ତି ବିଦ୍ୟାଧର ପୁରୁଷେ ପଳାନ୍ତି ବେଗିବେଗି

ସେ ହରିଚନ୍ଦନ ରାଜାକୁ ଶରଣ ସମ୍ଭାଳ ବୋଲି ଅଭ୍ୟର୍ଥିଣ
ମାଗି।୩୦୮।

ବିଦ୍ୟାଧରେ ବୋଇଲେ ଆମ୍ଭନ୍ତ ଶରଣ ରଖ ହରିଚନ୍ଦନ ରାୟେ

ଲକ୍ଷେ ବରଷ ହୋଇଲା ପଳାଇଲୁ ବିଶ୍ୱାମିତ୍ରଂକର ଭୟେ।୩୦୯।

ଆମ୍ଭନ୍ତ ଧରିଣ ସେ ଯେବେ କରିବ କାର୍ଯ୍ୟ ସିଦ୍ଧି

ତେବେ ସେ ନବ ସୃଷ୍ଟି ଭିଆଇବ ବ୍ରହ୍ମାୟେ ବିବାଦୀ।୩୧୦।

ହରିଚନ୍ଦନ ରାଜା ଯେ ଶରଣ ସମ୍ଭାଳି

ୟେମନ୍ତର ସମୟେ ବିଶ୍ୱାମିତ୍ର ଆସି ମିଳି।୩୧୧।

ବେଦ ଆଧ୍ୟାନ ସେ ଯେ କରନ୍ତି ତପନିଷ୍ଟି

ବେଦଧୁନି ଶବଦେ ସପତ ବ୍ରହ୍ମାଣ୍ଡ ଘୋଟି।୩୧୨।

ରହ ରହ ବ୍ରାହ୍ମଣ ଅସଂଖ୍ୟ ମହିମା ତୋହୋର

ଯେଣେ ତୋହୋର କାର୍ଯ୍ୟ ମାଗ ହୋ ମୁନିବର।୩୧୩।

କୁଶହସ୍ତ ହୋଇଣ ସେ ବିଶ୍ୱାମିତ୍ରେ ବୋଇଲେ

ଆମ୍ଭେ ଦାନ ଘେନିମୁଂ ରାଜା ସତ୍ୟକରି ତୋହୋର ଉପର ହାଥେ ଦିଲେ।୩୧୪।

ଡାହାଣ ବ୍ରତେକ ଶଙ୍ଖେ ଜଳ ତିଳ ଭରି

ଉପର ହାଥେ ଦାନ ଦିଅଇ ଦଣ୍ଡଧାରୀ।୩୧୫।

ସାକ୍ଷ ନିମନ୍ତେ ମୁନି ଦେବତାଂକ ନାମ ଯେ ଉଚ୍ଚାରି

ବିଶ୍ୱାମିତ୍ରେ ଦାନ ଘେନନ୍ତି ତଳହାଥ କରି।୩୧୬।

ଉପର ହାଥେ ହରିଚନ୍ଦନ ରାଜା ଛାଡ଼ନ୍ତେଣ ପାଣି

ତୋହୋର ରାଜ୍ୟଯାକ ଦେବୁ ହୋ ନୃପମଣି।୩୧୭।

ୟେ ତୋର ଧନଭଣ୍ଡାର ରଥ ଗଜ ଅଶ୍ୱ ଯେ ପାଦାନ୍ତି

ନବ ସହସ୍ର ଯୋଜନେ ତୁ ଅଟୁ ଆଧିପତି।୩୧୮।

ଗୋଧନ ଧନଧାନ୍ୟ ସାଧନ ସକଳ ଗୃହବାସ

ଘେନି ସେ ମହାଦାନ ହୋଇଲେ ହରଷ।୩୧୯।

ରାଜା ହରିଚନ୍ଦନ ରାଣୀ ଶବ୍ୟା କୁମାର ରୋହିତାକ୍ଷ

ୟେ ତିନିଜଣଂକୁ ରାଜ୍ୟୁଂ ବାହାର କରି ମୁନିଦକ୍ଷ।୩୨୦।

ରାଜାରାଣୀ ପୁତ୍ର ତିନିଂକି ବାହାର କରିଦ୍ୟନ୍ତେ ବିଶ୍ୱାମିତ୍ରେ

ବୋଇଲେ ମୋର ରାଜ୍ୟେ ଅନ୍ନ ମାଗି ନଖାଇବୁ ନୃପତ୍ୟେ।୩୨୧।

ନବ ସହସ୍ର ଯୋଜନ ଯେ ରାଜ୍ୟ ଆୟତନ

ରାଜାରାଣୀ ଅଶକତ ନପାଇଣ ପାଣିଅନ୍ନ।୩୨୨।

କୁମାର ରୋହିତାକ୍ଷ ଯେ ନୁଆରଇ ଚାଲି

କିମ୍ପେ ନଚାଲୁ ବୋଲି ବିଶ୍ୱାମିତ୍ର ତାକୁ ପକାଇଦିଲେ ପେଲି।୩୨୩।

ସୁକୁମାର କୁମର ସେ ପଡ଼ିଲା ମୁହଂ ମାଡ଼ି

କୋପେଣ ବିଶ୍ୱାମିତ୍ର ନେଇ ପିଟିଲେକ ବାଡ଼ି।୩୨୪।

ମୁଖବାଟେ କୁମରର ବହଇ ଶ୍ରୋଣିତ

ତହିଂର ଉପରେ ମୁନି ମାଇଲେକ ନାତ।୩୨୫।

ବୃନ୍ଦାଅର୍କମାନେ ଥାଇଂ ତାହା ଦେଖୁଥିଲେ ଆକାଶେ

ସହି ନୁଆରି ବୋଇଲେ ବିଶ୍ୱଦେବା ପଞ୍ଚୁ ଯେ ପୁରୁଷେ।୩୨୬।

ବିଶ୍ୱଦେବାୟେ ବୋଇଲେ ତୁହୋ ବିଶ୍ୱାମିତ୍ର ମନ୍ଦ ଅଟୁ

ବାଳୁତ ରାଜକୁମାରକୁ କିମ୍ପାଇ ଯଷ୍ଠି ଘେନି ପିଟୁ।୩୨୭।

ୟେତକ ବୋଲନ୍ତେ ଆପଣେ ହୋଇଲେ ବଇରାଗୀ

କେମନ୍ତେ ନବ ସୃଷ୍ଟି ଭିଆଇବ ବେଗି।୩୨୮।

ୟେ ତୋହର ଅବିଧି ଅଟଇ ମୁନିବର

ଅକାରଣେ ନାଶକରୁ ବାଳୁତ କୁମର।୩୨୯।

କୋପଣେ ବିଶ୍ୱାମିତ୍ର ଯେ ଚାହିଂଲେ କଟାକ୍ଷେ

ଆରେ ଯିସ କରି ପାରିବି ୟେ ମୋହର ଶକ୍ୟେ।୩୩୦।

ମୋହୋର କଥାରେ କିମ୍ପେ ତୁମ୍ଭେ କଥା କହ

ଆରେ ପଞ୍ଚୁଦେବାୟେ ତୁମ୍ଭେ ମାନୁଷେ ଜାତ ହୋଅ।୩୩୧।

ପଞ୍ଚୁ ବିଶ୍ୱଦେବାଂକୁ ଶାପ ଦିଅନ୍ତେ ବିଶ୍ୱାମିତ୍ରେ

ବିଶ୍ୱାମିତ୍ରଂକୁ ସେବା କଲେ ସେ ଶତେବରଷ ପରିଯନ୍ତେ।୩୩୨।

ଶତେବରଷେ ତାହାଂକୁ କଲେକ ସଦୟେ

ମୋହୋର କୋପକୁ ତୁମ୍ଭେ କଲକି ରେ ଭୟେ।୩୩୩।

ମୁହିଂ ତୃପତି ହୋଇଲି ୟେବେ ମାଗ ତୁମ୍ଭେ ବର

ବିଶ୍ୱଦେବାୟେ ବୋଇଲେ ସ୍ୱାମୀ ଆମ୍ଭନ୍ତ ଅନୁଗ୍ରହ କର।୩୩୪।

ଆମ୍ଭେମାନେ ଅଟୁ ଯେ ବିହନ୍ତା ପୁରୁଷେ

କଳ୍ପକଳ୍ପାନ୍ତରେ ଆମ୍ଭେ ଥାଉଂ ଯେ ଆକାଶେ।୩୩୫।

ବାରବ୍ରତ ଯଗ୍ୟାଂଦି ଆମ୍ଭେ ଭାଗ ପାଉଂ ଯେଣୁ

ମର୍ତ୍ତ୍ୟପୁରେ ଜନ୍ମି ରହି ନୁଆରିବୁ ତେଣୁ।୩୩୬।

ଅଳପ ଦୋଷକୁ କଲୁ ମୁନି ବହୁତ ରାଗ

ତୁମ୍ଭେ ଶାନ୍ତି ଭଜିଲେ ଆମ୍ଭେ ଅଳ୍ପକେ ଆସିବୁ ସ୍ୱର୍ଗ।୩୩୭।

ଲେଞ୍ଚେଣ ଜାତ ମୁନି ନକରିବା ଆମ୍ଭନ୍ତ

ଆଗ୍ୟାଂ ଦିଅ ଯେମନ୍ତେ ଉତ୍ତମ କୁଳେ ହେବୁଂ ଜାତ।୩୩୮।

ଦୟାକଲେ ମୁନି ଯେ ଭଗତି ବିକଳେ

ସୋମବଂଶେ ଜାତ ହୁଅ ତୁମ୍ଭେ ପାଣ୍ଡବଂକ କୋଳେ।୩୩୯।

ଦ୍ରୋପଦୀ ଗର୍ଭୁଂ ଜନ୍ମିଣ ପ୍ରମାଦ ଲଭିବ

ଭାରଥ ଯୁଦ୍ଧାନ୍ତେ ଦ୍ରୋଣି ସବୁନ୍ତି ଛେଦିବ।୩୪୦।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ତୁମ୍ଭେ ବୋଇଲେ ଅଦାରାୟେ ଶିର ଚ୍ଛେଦନ କେବଣ ଯୁଗତି।୩୪୧।

ବିଶ୍ୱାମିତ୍ର ଶାପେ ସେ ମାନବେ ଜାତ ହେଲେ

ସାତସାତ ବରଷେ ଶିରଚ୍ଛେଦନ ହୋଇ ସ୍ୱର୍ଗକଇଂ ଗଲେ।୩୪୨।

ତୁ ଯେ ପୁଚ୍ଛାକଲୁ ପାଞ୍ଚାଳୀ କୁମରଂକ କଥା

ବିଶ୍ୱାମିତ୍ର ଶାପେ ବିଶ୍ୱଦେବାୟେ ହୋଇଥିଲେ ୟେସନେକ
ଅବସ୍ଥା।୩୪୩।

ଜୟତୁ ନିରାଲମ୍ବ ମୂର୍ତ୍ତି ନିର୍ମଳ ବାସୁଦେବ

ନିର୍ଗୁଣ ନିରାକାର ଦେବ ତୁ ଶୂନ୍ୟରୁ ସମ୍ଭବ।୩୪୪।

ଆଦ୍ୟ ମଧ୍ୟ ଅନ୍ତେ ଯାର ଅବକାଶ ନାହିଂ

ଶୂନ୍ୟକୁ ଶବଦ ଶୁଭଇ ପାଇବା ଆମ୍ଭେ କାହିଂ।୩୪୫।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ତୁମ୍ଭେ ବ୍ରହ୍ମ

ଅନୁବ୍ରତେ ଫୁରୁ ମୋତେ ଶ୍ରୀରାମଂକ ନାମ।୩୪୬।

ଜପ ମନ୍ତ୍ର ଧ୍ୟାୟେ ଶାହାସ୍ର ଅନୁକ୍ରମେ

ଅନୁକ୍ଷଣେ ସୁମରଇ ଚିତ୍ତେ ମୁଂ ଶ୍ରୀରାମର ନାମେ।୩୪୭।

ସେ ବେନି ଅକ୍ଷର ଯାହାର ନାମ ଗୋଟି

କିଞ୍ଚିତେ ବୋଇଲେ କୋଟିୟେ ବ୍ରହ୍ମାଣ୍ଡ ଯାଇଂ ଘୋଟି।୩୪୮।

ସ୍ୱାମୀ ତବ ଲୟେ ଅନୁବ୍ରତେ କରଇ ମୁହିଂ ଆଶା

ଯମଦଣ୍ଡ ବଞ୍ଚାଇବାକୁ ବଳାଇଲି ମନୀଷା।୩୪୯।

ଦିବାରାତ୍ରେ ତଲୟେ ଶ୍ରୀରାମ ନାମକୁ

ୟେ ଘୋର ସଂସାରୁ ସ୍ୱାମୀ ପାରି କରିବା ମୁକୁ।୩୫୦।

ସ୍ୱାମୀ ମାୟା ଦଉଡ଼ିରେ ବନ୍ଧନ ମୁଂ ବଡ ଅପରାଧୀ

ରାଗ ମୋହ ଅହଂକାର ହିଂସା ଅପବାଦ ବଡ଼ କ୍ରୋଧୀ।୩୫୧।

ଅନିର୍ଯ୍ୟାପ ସଂସାରକୁ ୟେ ସକଳ ସଞ୍ଚା

ମନ ଚଇତନ ନାଥ ତୁ ପ୍ରଳୟ କାଳ ବଞ୍ଚା।୩୫୨।

ମଧ୍ୟରେ ଅଣାକାର ୟେ ପାଷାଣର ଭେଳା

ଭାସିଲି କଳିକାଳେ ନପାଇ ତବ କୂଳା।୩୫୩।

ସ୍ୱାମୀ ତ୍ରଇଲୋକ୍ୟ ଭିତରେ ଯାହା ନାମ ଅଟେ ଶ୍ରେଷ୍ଠ

ଦୟା କରନ୍ତୁ ସେ ରାମ ସହିତେ କନିଷ୍ଠ।୩୫୪।

ଯୋଗୀଜନ ଜୀବନ ନାଥ ପରମ ଜ୍ୟୋତିମୂର୍ତ୍ତି

ତଲୟେ ପ୍ରାପତ ମୋତେ ଭକତି ମୁକତି ଗତି।୩୫୫।

ସ୍ୱାମୀ ଯାବତ ଚନ୍ଦ୍ର ଯେ ଦିବାକର ଆଦି

ଶରଣ ରକ୍ଷଣ ନାଥ ନବ ସୃଷ୍ଟି ସମ୍ପାଦି।୩୫୬।

କାଳ କାମ ନିଦ୍ରା ସ୍ୱାମୀ ସମସ୍ତ କଲୁ ତେଜ୍ୟା

ନିରାକୁଳ ପୁରୁଷ ତୁ ସ୍ୱାମୀ କ୍ଷୀରୋଦ୍ରେ ଅନନ୍ତ ଶଯ୍ୟା।୩୫୭।

ଅଗାଦ ସମାଦ୍ରେ ସ୍ୱାମୀ ଫୁଟିଲା କମଳ

ତୁମ୍ଭ ନାମ ସୁମରି ଯେ ପାଇଲି ଥଳ କୂଳ।୩୫୮।

ଅସଂଖ୍ୟ ଅକଳିତ ସଞ୍ଚିଲା ବାକ୍ୟ ଦେବୀ

ନାଥ ତୁମ୍ଭର ପ୍ରସାଦେ ମୁଂ ଯେ ୟେହାନ୍ତ ବିଘଂସିବି।୩୫୯।

ହୃଦପଦ୍ମରେ ମୋର ଶ୍ରୀରାମ ନାମ ଗୋଟି

ଶ୍ରୀକୃଷ୍ଣଂକ ଚରଣେ ପୁଣ ପୁଣ ଶିର ମମ ଲୋଟି।୩୬୦।

ଅଭୟେ ମଙ୍ଗଳା ମାଗୋ ଯାହାର ନାମ ଶତଶ୍ରିୟା

କମଳ ମାଳ ହୋଇ ଗୋ ବିଘଂସ ମୋର ହିଆ।୩୬୧।

ଦୁରାନ୍ତେକ ସଂସାରୁ ତୁହି ସେ କରୁ ପାରି

ବଦନ୍ତି ସାରୋଳ ଦାସ ଶ୍ରୀହରି ନାମ ଧରି।୩୬୨।

ଶ୍ରୀବାକ୍ୟଦେବୀ ପ୍ରସାଦେ ମୁଂ କଲି ମହାଭାରଥ

ୟେହା ଶୁଣି ନରେ ହୋଇବେ ମୁକତ।୩୬୩।୪୩୬।

 

Unknown

ଶ୍ରୀକୃଷ୍ଣଙ୍କର ଇନ୍ଦ୍ରପ୍ରସ୍ଥ ଆଗମନ, ପାଣ୍ଡବଙ୍କୁ ପାଞ୍ଚାଳୀ ପଞ୍ଚପୁତ୍ର ସହ
ଧୃଷ୍ଟଦ୍ୟୁମ୍ନ ଶିରଚ୍ଛେଦନ ବାର୍ତ୍ତା ପ୍ରଦାନ ଓ ଅଶ୍ୱତ୍ଥମା ଅସ୍ତ୍ର ହରଣ

ମଙ୍ଗଳ ଦଧିବାମନ ଜୟତୁ ବିଘ୍ନରାଜ

ଭଗତ ଦୀନବନ୍ଧୁ ପାର୍ବତୀ ଆତ୍ମଜ।୧।

ସ୍ୱର୍ଗ ମଞ୍ଚ ପାତାଳ ଅନନ୍ତକୋଟି ବ୍ରହ୍ମାଣ୍ଡ

ସକଳ ବିଶ୍ରାମଇଂ ଯାହାର ଉଦରେ ପୃଥ୍ୱୀ ନବଖଣ୍ଡ।୨।

ଯମଦଣ୍ଡ ଫିଟଇ ଯାହାର ନାମ ସୁମରନ୍ତେ

ବିଘ୍ନବିନାଶନ ନାଥ ଚିନ୍ତେ ମମ ହୃଦଗତେ।୩।

ବିସ୍ତାର ହୃଦୟ ଯାହାର ଉଦର ଥନ୍ତଲ କୃଶବାହୁ ପ୍ରଳମ୍ବ

ଅମୃତ ଲଡୁ ଭୁଞ୍ଜୁ ଜୟତୁ ବିଘ୍ନଦେବ।୪।

ଅଇରାବ୍ରତର ନନ୍ଦନ ସୁହସ୍ତା ନାମେ ହାଥୀ

ପୁଷ୍ପଦନ୍ତ ମହାନାଗ ଯାହାର ପଣନାତି।୫।

ସେ ନାଗର ବଦନ ଯାହାର ବକ୍ଷସ୍ଥଳେ

ମେରୁ ଟଳଇ ଯାହାର ନୃତ୍ୟରସ କାଳେ।୬।

କୋଟିୟେ ପର୍ବତ ଯାହାର ଚରଣେ ଘାଘୁଡ଼ି ମାଳ

ଅନନ୍ତ ନାଗ ପଇତା ଯାହାର ବକ୍ଷସ୍ଥଳ।୭।

ଯଜନ ଯାଜନ ଯାର ଚିତା ମାରତଣ୍ଡ

ଅନୁବ୍ରତେ ମଦନେ ଭୋଳ ଭଇରୋବ ନାମ ଯାହାର ପ୍ରଚଣ୍ଡ।୮।

ପ୍ରଶୁ ମୁଦୁଗର ପାଶ ଅଂକୁଶ ତୀକ୍ଷମୁନା

ଭବଭଞ୍ଜନ ନାଥ ହରତାଣ୍ଡବ ରସନା।୯।

କୋଟିୟେ ଯୋଗୀଗଲେ ଯାହାକୁ ଆରାଧି

ଶୂନ୍ୟକଇ କାରଣ ଯାର ନିରଞ୍ଜନ ପ୍ରବୋଧି।୧୦।

ଚରଣେ ନୂପୁର ରୁଣୁଝୁଣୁ ବାଜଇ ଯାର ପାଉଂ

ତବ ବଦନ ଦେଖିଲେ ଦୁଷୁକୃତ ମୋର ଯାଉ।୧୧।

ଶଇଳଜାର ନନ୍ଦନ ତଲୟେ ମମ ହୃଦେ

କାଳ ବିମୋଚନ କରିବି ନାଥ ତୁମ୍ଭର ପ୍ରସାଦେ।୧୨।

ସେ ନାଥର ପାଦ ପଂକଜେ ଅନୁବ୍ରତେ ସେବି

ସାରୋଳା ଦାସ ଇଚ୍ଛଇ ହେବାପାଇଂ କବି।୧୩।

ଜୟ ତୁ ଜୟ ତୁ ଦେବ ଶଶାଂକ ମଉଳି

ଜୟ ତୁ ଜୟ ତୁ ଦେବ ମହାମତ୍ତ ଭୋଳି।୧୪।

ଜୟ ତୁ ଜୟ ତୁ ଦେବ ଅନାଦି ସୁସାଧୁ

ଜୟ ତୁ ଦେବ ଦୀନବନ୍ଧୁ ଜୟ କୃପାସିନ୍ଧୁ।୧୫।

ଜୟ ତୁ ଜୟ ତୁ ଦେବ ଭଗତମତ୍ସଳ

ଭୂଷଣ ହୋଇଛୁଂ ସଦା ବକ୍ଷରେ କପାଳ।୧୬।

ଜୟ ତୁ ଜୟ ତୁ ଦେବ ଅଗ୍ନିସୂର୍ଯ୍ୟଚନ୍ଦ୍ର ନେତ୍ରା

ଜୟ ତୁ ଜୟ ତୁ ଦେବ ଅନନ୍ତ ନାଗ ଯାହାର ପବିତ୍ରା।୧୭।

ସ୍ୱାମୀ ତବ ପଦ୍ମପାଦେ ୟେ ବିନୟେ ଭଗତି

କହିବି ବିଷ୍ଣୁପୁରାଣ ଯେଣେ ସେ ମୁକତି।୧୮।

ଯଙ୍ଖେରପୁର ବାସିନୀ ଅଭୟେ ମଙ୍ଗଳେ

ଜନ୍ମେ ଜନ୍ମେ ଶରଣ ମୁଂ ତୁମ୍ଭ ପଦ୍ମପାଦ ତଳେ।୧୯।

ଅଭେଦ ସ୍ୱର୍ଗକିଳା କଳିକାଳ ଦର୍ପ ଧ୍ୱଂସି

ତାରେଣୀ ବଇଷ୍ଣବୀ ଗୋ କାଳଫାଶି ନାଶି।୨୦।

ଅନୁବ୍ରତେ ଆନନ୍ଦେ ମାଗୋ ପରମ ଅନାଦି

ସୁରସିଦ୍ଧ ମୁନି ଯାର ଚରଣରେ ବନ୍ଦି।୨୧।

ମୁହିଂ ତ ମାନବେ ଜନ୍ମ ଗୋ ସର୍ବ ମଙ୍ଗଳେ

ମମ ଆତ୍ମା ରହୁ ମାଗୋ ତବ ପାଦ କମଳେ।୨୨।

କୁମାରୀ ରୂପେ ମାଗୋ ଖେଡୁ କୂତୁହଳେ

ଭଗତ ଜନ ମଚ୍ଛଳୀ ଗୋ ସଦା ତୁ ମଙ୍ଗଳେ।୨୩।

ସେ ଦେବୀ ଚରଣେ ମୁଂ ଅନୁବ୍ରତେ ସେବି

ମମ ମନ ଅନ୍ତର ଗୋ ନୋହୁ ବାକ୍ୟଦେବୀ।୨୪।

ଯାହା ସେ ମୋତେ ଆଗ୍ୟାଂ ଦିଲେ ଶ୍ରୀଚଣ୍ଡୀ ସାରୋଳେ

ଶୂଦ୍ରମୁନି ସାରୋଳ ଦାସ ଭାବନ୍ତି ହୃଦୟ କମଳେ।୨୫।

ବଇବସୁତ ମନୁ ଯେ ଅଗସ୍ତିଂକି କଲେ ପୁଚ୍ଛା

ସମସ୍ତେ ପଡ଼ିଲେ ଆର କେ କେ ହେଲେ ରକ୍ଷା।୨୬।

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଦ୍ୱାରିକା ଭୁବନରେ ଯେ ପାଣ୍ଡବେ ଅଛନ୍ତି।୨୭।

ରଜନୀ ପ୍ରଭାତେ କୃଷ୍ଣଂକୁ ବୋଇଲେ ଧର୍ମ ରାୟେ

ଭୋ ହରି ଯିବାଚାଲ ଇନ୍ଦ୍ରପ୍ରଶସ୍ତ ଯାୟେ।୨୮।

ଗୋବିନ୍ଦେ ବୋଇଲେ ଦେବ ଆଜକ ରହ ୟେଥ

ମୁହିଂ ଯାଇଂ ବୁଝଇ ମାନଗୋବିନ୍ଦ କଲା କେମନ୍ତ।୨୯।

ସ୍ୱାମୀ ୟେଥିର ଚରିତ ଜାଣି ଆସଇ ଭଲେ

ତୁମ୍ଭନ୍ତ ନେଇ ନୁଆରଇ ଦ୍ରିଯୋଧନ ପ୍ରାଣେ ଥିଲେ।୩୦।

ପାଣ୍ଡବନ୍ତ ସମାର୍ଜି ସେ ଚଳିଲେ ଜନାର୍ଦ୍ଦନ

ବିଜୟେ ଜଗମୋହନ ବଇନେତ୍ର ବାହାନ।୩୧।

ବେଳ ତିନି ଘଡ଼ି ତହିଂ ହୋଇଲେ ପ୍ରବେଶ

ଇନ୍ଦ୍ରପ୍ରଶସ୍ଥେ ଯାଇଂ ପ୍ରବେଶ ହୋଇଲେ ହୃଷିକେଶ।୩୨।

ବାହାନୁଂ ଉତୁରି କରି ପଶିଲେ ଭିତରେ

ଦେଖିଲେ ଭଇରୋବ ରୂପ ରହିଣ ଅଛି ଦ୍ୱାରେ।୩୩।

ସନ୍ନିଧ୍ୟରେ ପ୍ରବେଶ ହୋଇଲେ ଦେବ ହରି

ଭଗ୍ନ ହୋଇଅଛି ଦେଖିଲେ ଗଡ଼ଦକ୍ଷିଣ ଆଡ଼ର ପାଚେରୀ।୩୪।

ଗୋବିନ୍ଦେ ବିଜେ କଲେ ଭଗ୍ନ ଗଡ଼ଦ୍ୱାରେ

ଦେଖିଲେ ବେନି କ୍ଷେଉଣୀ ବଳ ପଡ଼ିଛନ୍ତି ଭିତରେ।୩୫।

ଦେଖି ନାରାୟଣଂକର ନଫୁରଇ କିଛି

ଦେଖିଲେ ଭିତର ଦ୍ୱାରେ ଧୃଷ୍ଟଦ୍ୟୁମନ ପଡ଼ିଅଛି।୩୬।

ମନେ ମନେ ବିଚାରିଲେ ସ୍ୱାମୀ ଦେବରାଜେ

ଉତ୍ତର ଦ୍ୱାରେ ଯାଇଂ ଗୋବିନ୍ଦେ କଲେ ବିଜେ।୩୭।

ଅନ୍ୱେଷି ନାରାୟଣ ଚନ୍ଦ୍ରଶାଳା ପୁରେ

ସ୍କନ୍ଧେ ମୁଣ୍ଡ ନାହିଂ ପଡ଼ିଛନ୍ତି ଦେଖିଲେ ପାଞ୍ଚାଳୀ କୁମରେ।୩୮।

ତହୁଂ ଚଳିଗଲେ ଦେବ ମନରେ ବିସରି

ବ୍ୟାସ ସରୋବର ତୀରେ ଯାଇଂ ବିଜେ କଲେ ଦେବହରି।୩୯।

ଦେଖିଲେ ମାନଗୋବିନ୍ଦ ପଡ଼ିଛି ମହୀଲୋଟି

ଛାମୁରେ ପଡ଼ିଛି ପାଞ୍ଚାଳୀକୁମରଂକ ମୁଣ୍ଡ ପାଞ୍ଚଗୋଟି।୪୦।

ଖଗବର ପିଠିରୁ ଉତୁରିଲେ ଦେବ ଯେ ଶ୍ରୀବଚ୍ଛ

ଦେଖିଲେ ମାନଗୋବିନ୍ଦ ସୀମସ୍ଥାନେ ବସିଛି ଦୃଦକ୍ଷ।୪୧।

ଶ୍ରୀକୃଷ୍ଣଂକୁ ଦେଖି ଦୃଦକ୍ଷ ହୋଇଲା ଅସାଷ୍ଟମ

ଭୋ କୃଷ୍ଣ ବୁଡ଼ିଲା ଓହୋକୁଳ ଧର୍ମ।୪୨।

ହାରିଲେ କଉରୋବେ ଯେ ସାରିଲେ ସଂପଦ

ଜଗଜ୍ଜିତା ପାଣ୍ଡବନ୍ତ କିମ୍ପେ ପଡିଲା ୟେଡ଼େକ ପ୍ରମାଦ।୪୩।

ସ୍ୱାମୀ ପାଞ୍ଚାଳୀ କୁମରଂକର ଦେଖି ମୁଣ୍ଡ ପାଞ୍ଚଗୋଟି

ଶରୀରୁ ଆତ୍ମା ଛାଡ଼ିଲା ରାଜା ଧୃତିରାଷ୍ଟି।୪୪।

ସ୍ୱାମୀ ଅବରଣେ ଶ୍ୱେତ ଦୁବ ଯେ ମଥାରେଣ ଘେନି

ଅଶସ୍ତମା ସେନାପତି ହୋଇଲା ଆଜର ରୟେଣୀ।୪୫।

ଦୁଇକ୍ଷେଉଣୀ ବଳ ଧୃଷ୍ଟଦ୍ୟୁମନକୁ ପକାଇଲା ମାରି

ପାଞ୍ଚାଳୀ କୁମରଂକ ମୁଣ୍ଡ ଆଣିଲା ଭାର କରି।୪୬।

ଧୂରୁ ଦ୍ରିଯୋଧନ ପାଣ୍ଡବଂକ ପ୍ରାୟେ ମଣି

ଅନେକ ପୁରୁଷାର୍ଥ ବଚନ ସେ ଭଣି।୪୭।

ପାଣ୍ଡବଂକ ମୁଣ୍ଡ ବୋଲି ରାଜା ତୋଷ ଯେ ହୋଇଲା

ସନ୍ନିଧେ ଦେଖି ଚିହ୍ନି ସେ ଅନେକ ଶୋକ କଲା।୪୮।

ଅନେକ ଝିଂଘାସ ତାକୁ କଲା କୁରୁରାଜା

ଅଶସ୍ତମା ପାଇଲା ଯେ ବହୁତ ପୁଣ ଲଜ୍ଜା।୪୯।

ପାଞ୍ଚାଳୀ କୁମରଂକ ମୁଣ୍ଡ ଲଗାଇ ହୃଦରେ କୁରୁରାଜା

ହା ହା ବୋଲି କହି ସେ ମନୋଦୁଖେ ପ୍ରାଣକଲା ତେଜ୍ୟା।୫୦।

ଶୁଣିଣ ବିରସ ସେ ଯେ ହୋଇଲେ ନାରାୟଣ

ପୁଣ ପୁଣ ଦୃଦକ୍ଷକୁ ବୋଲନ୍ତି ବଚନ।୫୧।

କୃଷ୍ଣ ବୋଇଲେ ଦୃଦକ୍ଷ ଥାଆ ତୁ ୟେହିଠାରେ

ପାଣ୍ଡବନ୍ତ ଘେନି ମୁଂ ଆସଇଂ ବ୍ୟାସ ସରୋବର ତୀରେ।୫୨।

ବଇନେତ୍ର ପିଠିରେ ଆରୋହି ଚଳିଲେ ଜଗନ୍ନାଥେ

ଦ୍ୱାରିକା ଭୁବନେ ଯାଇଂ ବିଜୟେ ତୁରିତେ।୫୩।

ଅନେକ ସାନନ୍ଦେ ବିଜେ ପାଣ୍ଡବଂକ ସନ୍ନିଧ୍ୟାନେ

କୁଶଳ ବାରତା ଯେ ପୁଚ୍ଛନ୍ତି କୃଷ୍ଣଂକୁ ପଞ୍ଚୁଜନେ।୫୪।

ଗଲୁ ଯେ ବାସୁଦେବ ଭୁବନ ଇନ୍ଦ୍ରପ୍ରଶସ୍ତେ

ଭଲେ ଅଛନ୍ତିଟିକି ପାଞ୍ଚାଳୀ କୁମରେ ଧୃଷ୍ଟଦ୍ୟୁମନ ସହିତେ।୫୫।

ସମସ୍ତ କୁଶଳ ଯେ କହନ୍ତି ମଧୁରିପୁ

ବିଜୟେ କରିବା ୟେବେ ଜଇନ୍ତା ଭୁବନକୁ।୫୬।

ଆସ ଯିବା ବୋଲି ବୋଲନ୍ତି ଜଗମୋହନ

ୟେକାନ୍ତ ହୋଇଲେ ଦେବ ସହଦେବ ସନ୍ନିଧ୍ୟାନେ।୫୭।

ଶ୍ରୀଗୋବିନ୍ଦେ ବୋଇଲେ ହେ ଶୁଣ ସହଦେବ

ଅଶସ୍ତମା ସେନାପତି ହୋଇ ମାଇଲାକ ସର୍ବ।୫୮।

ଦୁଇକ୍ଷଉଣୀ ବଳ ତୁଲେ ଧୃଷ୍ଟଦ୍ୟୁମନକୁ

ଆବର ନାଶକଲା ପାଞ୍ଚାଳୀ କୁମାରଂକୁ।୫୯।

କୃପ ଅଶସ୍ତମା ହୋଇଲେ ୟେକ ସ୍ଥାନ

ତାହାନ୍ତ ଦେଖିତେ ଭୟ ଲାଗିଲା ମୋର ମନ।୬୦।

ଆଜକ ତୁମ୍ଭେ ରହିଣଥାଅ ୟେ ଦ୍ୱାରିକା

କୃପ ଅଶସ୍ତମା ତହିଂକି ମୁହିଂ ଯିବି ୟେକା।୬୧।

ପାଣ୍ଡବେ ରୋଦନ କରନ୍ତି ପାଞ୍ଚାଳୀ କୁମାର ହତ ଶୁଣି

ଗତ ଆଗତ ଦୁଇ କୁଳ ବୁଡାଇଲୁ ନୃପମଣି।୬୨।

ଦ୍ରୋପତୀଂକର କ୍ରୋଧ କହିତେ କିପାରି

ସନ୍ନିଧ୍ୟେ ବସି ସମ୍ବୋଧନା କରନ୍ତି ନରହରି।୬୩।

ମହାକକ୍ଷା କଲେ ଦ୍ରୋପଦ କୁମାରୀ

ଶରୀର ବିସର୍ଜନ ମୋର କରିବି ବନମାଳୀ।୬୪।

ପୁଣ ବୋଲନ୍ତି ହୋ ଶୁଣ ଚକ୍ରପାଣି

ମୋର ପୁତ୍ର ବଇରି ମାରିବୁ ୟେହିକ୍ଷଣି।୬୫।

ଦ୍ରୋପତୀକି ସମ୍ବୋଧନା କରିଣ ଦେବରାଜେ

ବଇନେତ୍ର ବାହାନେ କେଲକ ଦେବ ବିଜେ।୬୬।

ଗରୁଡ଼ ବାହାନେ ଚଳିଲେ ଦେବରାଜେ

ନନ୍ଦୀକେଶ୍ୱର ବନେ ଶ୍ରୀବାସୁଦେବ ବିଜେ।୬୭।

ସେହି ବନେ ଗୁପତ ହୋଇ ରହିଲେ ବଇନେତ୍ରେ

ବ୍ରାହ୍ମଣ ରୂପ ସେ ଯେ ଧଇଲେ ଜଗନ୍ନାଥେ।୬୮।

ଶ୍ରୀବଚ୍ଛଲାଞ୍ଚନ ଦ୍ୱାଦଶ ଶତ ହସ୍ତେ କୁଶ ବିଡ଼ି

ଗୋପ୍ୟାନ ହାଇଣ ଦୋହୋରା କାଖେ ଜାକିଛନ୍ତି ବେଦ ଯେ
କରାଣ୍ଡି।୬୯।

ଶୁକଳ ଧୋତି ଛତା ଗଡୁ ଉତୁରି ପୁରାଣ ଯେ ପୋଥି

ତପୋଧନ ରୂପ ଧରି ବନସ୍ତେ ବୁଲୁଛନ୍ତି।୭୦।

ଅନ୍ଧେକବୋଲିଣକରିୟେକଇନଦୀଗୋଟି

ତହିଂଯାଇଂକୃପଅଶସ୍ତମାକଇଂଭେଟି।୭୧।

ଅଶସ୍ତମା ବୋଇଲେ ପଣ୍ଡାୟେ ତୁମ୍ଭେ କେବଣ ଦେଶୀ

ଆମ୍ଭର ତୁଲେ ତୁମ୍ଭେ ହୋଇଲ ବନବାସୀ।୭୨।

ଗୋବିନ୍ଦେ ବୋଇଲେ ଆମ୍ଭେ ଥାଉଂ ସର୍ବ ତୀର୍ଥେ

ସୁସ୍ଥାନ ସୁସଙ୍ଗ ପାଇଲେ ରହୁ ପଞ୍ଚୁ ଦିବସ ପଞ୍ଚୁ ରାତ୍ରେ।୭୩।

କୃପ ବୋଇଲେ ଆମ୍ଭେ ନୋହୁନା ସୁସଙ୍ଗ

ଅନେକ ପାତକ କଲା ଆମ୍ଭର ୟେହି ଅଙ୍ଗ।୭୪।

ଆମ୍ଭେ ଭାରଥ ଯୁଦ୍ଧେ ହୋଇଥିଲୁ ସେନାପତି

ଗୋହତ୍ୟା ବ୍ରହ୍ମହତ୍ୟା ଆମ୍ଭେ କଲୁ ଅପ୍ରମିତି।୭୫।

ଦ୍ରୋଣଂକ ଶଳା ଆମ୍ଭେ ଆମ୍ଭ ନାମ କୃପବ୍ରହ୍ମା

ଆମ୍ଭର ଭଣଞ୍ଜା ୟେ ନାମ ଅଶସ୍ତମା।୭୬।

ପ୍ରଶୁରାମ ପ୍ରସନ୍ନେ ୟେ ହୋଇଲା ତ୍ରିଜୀବୀ

ମାନଗୋବିନ୍ଦ ବୋଇଲା ମୁଂ ତୋତେ ସେନାପତି କରିବି।୭୭।

ପିତା ନିଧନ ହୋଇଲେ ୟେହାଂକର ଭାରଥ ଯୁଦ୍ଧେ

ଶହସ୍ର ୟେ ତେଜ୍ୟା କଲେ ପିତାଂକର କ୍ରୋଧେ।୭୮।

ଅଦଭୂତେ ଗଲେ ୟେହି ପରଦିନ ରାତ୍ରେ

ସାତ ସାତ ବରଷର ଦ୍ରୋପତୀଂକ ପୁତ୍ରେ।୭୯।

ତାହାନ୍ତ ନାଶକଲା ୟେହୁ ବିନାଯୁଦ୍ଧେ

କୁମ୍ଭୀପାକ ରଉରବ ପାଇ ଅଦୋଷେ ବାଳ ବଧେ।୮୦।

ୟେତେକ ପାତକ ଯେ ଅର୍ଜିଅଛୁଂ ଆମ୍ଭେ

କେମନ୍ତେ ଆମ୍ଭର ତୁଲେ ଥିବଟି ହାଦେ ତୁମ୍ଭେ।୮୧।

କୃପଂକ ବଚନ ଶୁଣି ବୋଲନ୍ତି ଦେବରାୟେ

ତୁମ୍ଭେ ବେଦମନ୍ତ୍ରେ ନିର୍ଜିତ ବ୍ରାହ୍ମଣର ପୋୟେ।୮୨।

ବ୍ରାହ୍ମଣ ହୋଇ ଯେବେ ସାଧିଲ ଛତ୍ରୀ ବିଦ୍ୟା

ସାଂଗ୍ରାମେ ଶିରଚ୍ଛେଦନ ତୁମ୍ଭର ଅଟଇ କିସ ବାଧା।୮୩।

ଶିର ଚ୍ଛେଦନୁଂ ଭୟେ କଲ ଯେ ବେନି

ୟେବେ ଚଳ ତୁମ୍ଭେ ଆମ୍ଭର ବଚନ ଘେନି।୮୪।

ତପର ଫଳ ଯେ ନୋହିଲା ରଜଗୁଣି

ମନ୍ତ୍ର ଅର୍ଥେ ଥିବା କିମ୍ପେ ଶହସ୍ର ଘେନି।୮୫।

ଶହସ୍ର ଥିଲେ ରାଗ ତମେ ହୋୟେ ବାଦ

ରଜଗୁଣେ ଅବଶ୍ୟ ପଡ଼ଇ ପରମାଦ।୮୬।

ପୁଣି ଗୋବିନ୍ଦେ ପ୍ରତିବାକ୍ୟ ଦିଅନ୍ତି କପଟେ

ତୁମ୍ଭର ଧନୁତ୍ରୋଣ ଥୁଅସି ବୃକ୍ଷ କ୍ରୋଟେ।୮୭।

ଗମିବା ଗଙ୍ଗା ଗୟା କୃଷ୍ଣାବେଣୀ ଆଦି କରି

ନର୍ମଦା ସରସ୍ୱତୀ ଗଉତମୀ କାବେରୀ।୮୮।

ନାରାୟେଣୀ ହେମକେଦାର ପ୍ରୟାଗ ବଇତରଣୀ ଗଣ୍ଡୁକୀ

ଲୋକାଲୋକ ଗିରି ଆଦିନାଥ ସେତୁବନ୍ଧ ଯିବା ଦେଖି।୮୯।

କୃଷ୍ଣର ବଚନେ ସେ ହୋଇଲେ ଯେ ବଶ

ଶହସ୍ରମାନ ବୁଡାଇଲେ କପାଳେଶ୍ୱର ତୀର୍ଥ ପାଶ।୯୦।

ମହାଓଡପା ଗଙ୍ଗୋତ୍ତରୀ ସରିତ ଭିତରେ

ସମସ୍ତ ଶହସ୍ରମାନ ବୁଡ଼ାଇଲେ ଅଗାଦ ଗଭୀରେ।୯୧।

ଛାଡ଼ିଲେ ଛତ୍ରୀବୃତ୍ତ କପାଳେଶ୍ୱରେ କରି ସାକ୍ଷୀ

ଗୋମତୀ ତୀର୍ଥେ ତୋଷନ୍ତି ମାତା ପିଙ୍ଗଳାକ୍ଷୀ।୯୨।

ଦିନକେ ଗମିଲେ ସେ ଗଣ୍ଡୁକୀର ତୀର୍ଥେ

ଲୋଡ଼ିଲେ ଶାଳଗ୍ରାମ ବିଷ୍ଣୁପୂଜା ଅର୍ଥେ।୯୩।

ସେ ଗଣ୍ଡୁକୀ ନଦୀ ତୀରେ ରତ୍ନଗିରି ନାମ ପର୍ବତରେ

ବଜ୍ରକୀଟ ନାମେ ପୋକ ଥାନ୍ତି ତା ଭିତରେ।୯୪।

ଶିଳାୟେକ କରଇ ସହସ୍ରେ ବରଷ ମୂର୍ତ୍ତି

ନିବାଡ଼ି ଶିଳା ଗୋଟିୟେ ଯେ କରଇ ଉତପତ୍ତି।୯୫।

ନିରନ୍ତରେ ସେ କୀଟ ଯେ ଶିଳା କରିବାରେ ଲାଗିଥାନ୍ତି

ୟେହିରୂପେ ଶିଳା ସେ ଯେ ନିର୍ବାଣ କରନ୍ତି।୯୬।

ହୀରା ନୀଳା ମାଣିକ୍ୟ ଅଷ୍ଟରତ୍ନେ ନିର୍ମିତ ତାର କାୟେ

ନୟନ ଦିଶଇ ତାର ମର୍କତ ଲିଙ୍ଗ ପ୍ରାୟେ।୯୭।

ଦନ୍ତ ପ୍ରବାଳ ତାର ହୀରା ଝଳି ଜାଣି

ସହସ୍ର ବରଷେ ୟେକ ଶିଳା ନିରିବାଣି।୯୮।

ମହାପ୍ରତାପୀ ସେ ଅଟଇ ବଜ୍ରକୀଟ

ମହାପ୍ରଳୟ କାଳେ ସେ ଥାଇ ପର୍ବତର କ୍ରୋଟ।୯୯।

ଜଳ ଅନଳ ତାରଣ ଯାହାର କାୟେ

ମହାପ୍ରଳୟ ଗଲେ ମଣଇଂ ଦିବସ ଅନ୍ତ ପ୍ରାୟେ।୧୦୦।

ସେ ଶିଳା ନିବାଡ଼ଇ ଯେ ଅନନ୍ତ କୋଟି ମୂର୍ତ୍ତି

ସେହି ସେ ଜାଣଇ ସିନା ଶିଳାଂକର ସଙ୍ଗତି।୧୦୧।

ସେହି ନଦୀକୂଳେ ରହିଲେ କୃପ ଅଶସ୍ତମା ମାଧବ

ରାତ୍ରେଣ ତାହାନ୍ତ ଯେ ଛାଡ଼ିଲେ ବାସୁଦେବ।୧୦୨।

ଗଣ୍ଡୁକୀ ନଦୀର ଈଶାନ୍ୟ ଭାଗେ ଥିଲେ

ସଙ୍ଗ ଛାଡ଼ିହରି ପର୍ବତେ ବିଜେକଲେ।୧୦୩।

ତତକ୍ଷଣେ ସୁମରଣା କଲେ ଖଗେଶ୍ୱରେ ଚକ୍ରଧର

ରମ୍ୟକ ଦ୍ୱୀପରୁ ରାତ୍ର ପାଞ୍ଚଘଡ଼ିରେ ମିଳିଲା ଛାମୁର।୧୦୪।

ବିଜେକଲେ ଭଗବାନ ବଇନେତ୍ରେୟ ପିଠି

କପାଳଲୋଚନ ତୀର୍ଥେ ପାଇଂ ଭେଟିଲେ ଯେ କୂଟକପଟି।୧୦୫।

କୃପ ଅଶସ୍ତମା ଯେତେ ଶହସ୍ର ଥିଲେକ ଲୁଚାଇ

ଜଳେ ବୁଡ଼ିଣ ତାହା ଯେ ଆଣିଲେ ଯଦୁସାଇଂ।୧୦୬।

ଗରୁଡ଼ ପିଠିରେ ନେଇ ଥୋଇଲେ ଧନୁଶର

ଯାଇଂ ରାତ୍ରେ ବିଜେକଲେ ପ୍ରଭୁ ଦ୍ୱାରାବତୀ ପୁର।୧୦୭।

କୃଷ୍ଣ ବିଜେ କରିବାର ଜାଣିଣ ଦ୍ରୋପତୀ

କାନ୍ଦକାନ୍ଦ ହୋଇଣ ସେ ଆସି ମିଳିଲେକ କତି।୧୦୮।

ଗୋବିନ୍ଦେ ବୋଇଲେ ଶୁଣ ଗୋ ଦ୍ରୋପଦ କୁମାରୀ

ଅସ୍ତ୍ର ଆଣିଲି ଗୋ ତୋ ପୁତ୍ରବଇରି ଛଳି କରି।୧୦୯।

ଦ୍ରୋପଦୀ ଛାମୁରେ ଦିଲେକ ଦେବହରି

ଦେଖି ସାନନ୍ଦ ହୋଇଲେ ଯେ ଦ୍ରୋପଦ କୁମାରୀ।୧୧୦।

 

ଶ୍ରୀକୃଷ୍ଣଙ୍କଠାରୁ ନନ୍ଦ ଓ ବସୁଦେବଙ୍କର ମହାଭାରତ
ଯୁଦ୍ଧ ବୃତ୍ତାନ୍ତ ଶ୍ରବଣ

ଶ୍ରୀକୃଷ୍ଣଂକ ବିଜେ ଦେଖି ପୁଚ୍ଛେ ଆନନ୍ଦେ ଉଗ୍ରସେନ

ନନ୍ଦ ବସୁଦେବ ଯାଇଂ ଭେଟିଲେ ସନ୍ନିଧାନ।୧।

ବସୁଦେବ ବୋଇଲେ ଦେଖି ନୁଆରଇ ତୋତେ ଦିବାରାତ୍ରେ

କିମ୍ଭୂତ କାରଣେ ତୁମ୍ଭେ ୟେଡ଼େ ଚିନ୍ତା ଅର୍ଥେ।୨।

ଗୋବିନ୍ଦ ବୋଇଲେ ତାତ କହଇଂ ମୁହି ସାଧ୍ୟେ

ପାଣ୍ଡବ ପ୍ରିୟ ହୋଇ ପଶିଲି ମହାଭାରତ ଯୁଦ୍ଧେ।୩।

ବସୁଦେବ ବୋଇଲେ ମହାଭାରଥ ଯୁଦ୍ଧ କଥା

ସଞ୍ଚପି କହିବା ମୋତେ ଶୁଣିମା ମହାଭାରଥ ବାରତା।୪।

ଆଦି ଅନ୍ତ ମଧ୍ୟେ ତୁମ୍ଭେ ହୋଇଥିଲ ରଥ ବାହୀ

କେତେକ ପଡ଼ିଲେ କେତେ ଛନ୍ତି ରହି।୫।

ଗୋବିନ୍ଦେ ବୋଇଲେ ତାତ ଶୁଣ ସାବଧାନେ

ପ୍ରଥମ ଯୁଦ୍ଧ ମକରମାସ ଶୁକ୍ଳପକ୍ଷ ପ୍ରତିପଦା ଦିନେ।୬।

ବୁଧବାର ସେଦିନ ଧନିଷ୍ଠା ନକ୍ଷତ୍ର

କୁମ୍ଭରେ ଚନ୍ଦ୍ର ମକର ରାଶିରେ ଆଦିତ୍ୟ।୭।

ବାଳବ ନାମେ କରଣ ପରିଘ ନାମେ ଯୋଗ

ତିନି ଊଣା ଶତାଣୋୟୀ ସହସ୍ର ରାଜା ଦ୍ରିଯୋଧନର ଭାଗ।୮।

ତିନି ପଦ୍ମ ରଥୀ ବତିଶ ପଦ୍ମ ହାଥୀ

ବିଶାଶତେ ପଦ୍ମ ଅଶ୍ୱ ତିନି ବାସ୍ତରୀ କ୍ଷଉଣୀ ପାଦାନ୍ତି।୯।

ୟେତେ ସଇନ ସାହା ହୋଇଲେ କଉରବେ

ୟେକ ଉଣା ତିନିସହସ୍ର ନୃପତି ହୋଇଲେ ପାଣ୍ଡବେ।୧୦।

ବାସ୍ତରୀ କ୍ଷଉଣୀ ପାଦାନ୍ତି ମର୍ଭୁତେକ ରଥୀ

ଦୁଇମର୍ଭୁତ ହାଥୀ ଚାରିମର୍ଭୁତ ଅଶ୍ୱହୋଇଲେ ପାଣ୍ଡବଂକର
କତି।୧୧।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଆବର ଅଶସ୍ତମା

ଭୂରିସର୍ବା ସୋମଦତ୍ତ ବାହ୍ଲିକ ଯେ କୃପବ୍ରହ୍ମା।୧୨।

କଉରୋବେ ହୋଇଲେ ତାତ ନବ ମହାରଥୀ

ୟେକା ମହାରଥୀ ଅର୍ଜୁନ ହୋଇଲେ ପାଣ୍ଡବଂକର କତି।୧୩।

ଭୀଷ୍ମ ସେନାପତି ହେଲେ ପ୍ରଥମ ଦିବସେ

ବେନି କ୍ଷଉଣୀ ବଳ ଘେନି ଦୃଦକ୍ଷ ଶରଣ ପଶିଲା ପାଣ୍ଡବଂକର ପାଶେ।୧୪।

ପ୍ରଥମ ଦିନ ଯୁଦ୍ଧେ ଭୀଷ୍ମ ମହାରଥୀ

ପାଣ୍ଡବଂକର କତିରେ ପଡ଼ିଲେ ଦଶସହସ୍ର ରଥୀ।୧୫।

ପଞ୍ଚଦଶ ସହସ୍ର ପଡ଼ିଲେ ମତ୍ତହାଥୀ

କୋଡ଼ିୟେ ସହସ୍ର ଅଶ୍ୱ ଚାଳିଶି ସହସ୍ର ପାଦାନ୍ତି।୧୬।

ପ୍ରଥମ ଯୁଦ୍ଧେ ୟେତେକ ସଇନ ନାଶ ଗଲା

ମାନଗୋବିନ୍ଦର ଥାଠୁଂ ମର୍ଭୁତେକ ରଥୀ ପଡ଼ିଲା।୧୭।

ଦୁଇମର୍ଭୁତ ଗଜ ପାଞ୍ଚ ମର୍ଭୁତେକ ଅଶ୍ୱଯୋଧୀ

ଦଶଲକ୍ଷ ପାଦାନ୍ତି ପଡ଼ିଲେ ୟେ ବିଧି।୧୮।

ପୁଣି ସମର ହୋଇଲା ମକର ମାସ ଶୁକ୍ଳପକ୍ଷ ଦ୍ୱିତୀୟାର ତିଥି।୧୯।

ଶତଭିକ୍ଷା ନକ୍ଷତ୍ର ଯେ ବାର ବୃହସ୍ପତି

କଉଳବ ନାମେ କରଣ ଶିବ ନାମେ ଯୋଗ

ସେ ଦିନ ଅସଂକ୍ଷେପ ହୋଇଲା ରଣଭଙ୍ଗ।୨୦।

କଉରବଂକର ଅଟନ୍ତି ଭୀଷ୍ମ ମହାରଥୀ

ଦ୍ୱିତୀୟ ଦିନ ସମରେ ଭୀଷ୍ମ ପାଡ଼ିଲେ କୋଡ଼ିୟେ ସସ୍ର ରଥୀ।୨୧।

ପାଞ୍ଚ ଅହିବ୍ରତେ ଅଶ୍ୱ ତିନି ମର୍ଭୁତେକ ହାଥୀ

ବେନି କୋଟି ଯୋଦ୍ଧା ଯେ ସମରେ ନିପାତି।୨୨।

ଚାରିକ୍ଷଉଣୀ ପାଦାନ୍ତି ପଡ଼ିଲେ ସମରେ

ୟେତେକ ପଡ଼ିଲେ ଯେ ପାଣ୍ଡବଂକ ଥାଠରେ।୨୩।

ମାନଗୋବିନ୍ଦର ପଡ଼ିଲେ ବେନି କୋଟି ରଥୀ

ନବକୋଟି ଅଶ୍ୱ ପଞ୍ଚକୋଟି ହାଥୀ।୨୪।

ଷୋଳକ୍ଷଉଣୀ ଯେ ପାଦାନ୍ତି ସମରେ ପଡ଼ିଲା

ଦ୍ୱିତୀୟ ଦିନ ସମର ୟେତେକେ ହେଂ ରହିଲା।୨୫।

ଭୋ ତାତ ମକର ମାସ ଶୁକ୍ଳ ପକ୍ଷ ତୃତୀୟା ଭୃଗୁବାର ଦିନ

ପୂର୍ବ ଭାଦ୍ର ନକ୍ଷତ୍ର ଯେ ଅଟଇ ବିଦ୍ୟମାନ।୨୬।

ତଇତିଳ ନାମେ କରଣ ଶିବ ନାମେ ଯୋଗ

ସେ ଦିନ ସମର ଯେ ହୋଇଲା ରଣରଙ୍ଗ।୨୭।

ସମରେ ସେ ଦିନ ସଜ ହୋଇଲେ ଭୀଷ୍ମ ମହାରଥୀ

ପାଣ୍ଡବଂକ ଥାଠେ ଶ୍ୱେତକୁମର ହୋଇଲେ ସେନାପତି।୨୮।

ଲକ୍ଷେକ ରଥ ରଥୀ ଯେ ବେନି ଲକ୍ଷ ହାଥୀ

ଚାରିଲକ୍ଷ ଅଶ୍ୱଯୋଦ୍ଧା ପାଞ୍ଚଲକ୍ଷ ପାଦାନ୍ତି।୨୯।

ଭୀଷ୍ମ ବଧ କଲେ ଯେ ପାଣ୍ଡବଂକ ୟେତେ ବଳ

ବଡ଼ାଇ ସମର କଲା ବିରାଟର ବାଳ।୩୦।

ମାନଗୋବିନ୍ଦର ପଡ଼ିଲା ଯେ ବେନି ଲକ୍ଷ ରଥୀ

ସାତଲକ୍ଷ ଗଜ ନବଲକ୍ଷ ଅଶ୍ୱ ଷୋଳକ୍ଷଉଣୀ ପାଦାନ୍ତି।୩୧।

ସମର କରନ୍ତେଣ ଆଦିତ୍ୟ ଅସ୍ତଗଲା

ଓହୋବଳ ସଇନ ସେଦିନ ସମର ଭୂମିରେ ରହିଲା।୩୨।

ଭୋ ତାତ ମକରମାସ ଶୁକ୍ଳପକ୍ଷ ଚଉଠି ଶଉରି ବାର

ଉତ୍ତର ଭୋଦୁଅ ନକ୍ଷତ୍ର ବିଷ୍ଟି କରଣ ସିଦ୍ଧି ନାମେ ଯୋଗର।୩୩।

ମହାଗୋଳ ସମର ଗୋଟିୟେ ହୋଇଲା ସେ ଦିନର

ଅଷ୍ଟାଦଶ କ୍ଷଉଣୀ ସଇନ୍ୟ ପଡ଼ିଲେ କଉରୋବଂକର।୩୪।

ପାଣ୍ଡବଂକର ପଡ଼ିଲେ ଯେ ସଇନ୍ୟ ପାଞ୍ଚକ୍ଷଉଣୀ

ଶ୍ୱେତକୁମାର ପଡ଼ିଲା ସେ ଦିନର ରୟେଣୀ।୩୫।

ମକର ମାସ ଶୁକ୍ଳପକ୍ଷ ପଞ୍ଚମୀ ରବିବାର

ରେବତୀ ନକ୍ଷତ୍ରକୁ ଭୋଗ୍ୟ ସେ ଦିନର।୩୬।

ବିଷ୍ଟି ନାମେ କରଣ ଯେ ପ୍ରୀତି ନାମେ ଯୋଗ

ଓହୋବଳ ହୋଇଲା ସେ ଦିନ ରଣଭଙ୍ଗ।୩୭।

କଉରୋବଂକ ଅଟନ୍ତି ଭୀଷ୍ମ ମହାରଥୀ

ପାଣ୍ଡବଂକ କତି ସେ ଦିନ ଅର୍ଜୁନ ଯେ ରଥୀ।୩୮।

ପାଣ୍ଡବଂକ କତି ସେ ଦିନ ପଡ଼ିଲେ ପାଞ୍ଚଶତ ନୃପତି

ଅଶି ସହସ୍ର ରଥୀ ବେନି ସହସ୍ର ହାଥୀ।୩୯।

ଚାରିଲକ୍ଷଅଶ୍ୱଯୋଦ୍ଧାପାଞ୍ଚକ୍ଷଉଣୀପାଦାନ୍ତି

ୟେତେ ସଇନ ମାଇଲେ ଭୀଷ୍ମ ମହାରଥୀ।୪୦।

ଦ୍ରିଯୋଧନର ପଡ଼େ ନବଶତ ପାରିଦଣ୍ଡ

ନବ ଲକ୍ଷ ଅଶ୍ୱ ଅହିବ୍ରତେ ହାଥୀ ମୃତ ପିଣ୍ଡ।୪୧।

ଷୋଳ କ୍ଷଉଣୀ ଯେ ସଇନି ନାଶକଲା

ବେଳ ତିନି ପ୍ରହରକୁ ଯେ ସମର ରହିଲା।୪୨।

ଭୋ ତାତ ମକର ଶୁକଳ ହୋୟେ ଷଷ୍ଠୀ ଚନ୍ଦ୍ରବାର

ଅଶ୍ୱିନୀ ନକ୍ଷତ୍ର କଉଳବ କରଣ ଶୁକ୍ଳ ଯୋଗ ସେ ଦିନର।୪୩।

ସେ ଦିନ ସମରକଲେ ଭୀଷ୍ମ ମହାରଥୀ

ପାଣ୍ଡବଂକ ଥାଠେ ମାଇଲେ ଦଶସସ୍ର ରଥୀ।୪୪।

ପାଞ୍ଚ ଅହିବ୍ରତ ହାଥୀ ବେନି ଲକ୍ଷ ହୟେ

ପନ୍ଦର କ୍ଷଉଣୀ ପାଦାନ୍ତି ତିନି ସସ୍ର ରାୟେ।୪୫।

ୟେତେକ ସଇନ ପଡ଼ିଲେ ଯେ କଉରୋବେ

ପାଣ୍ଡବଂକର ପଡ଼ିଲେ ତିନିକ୍ଷଉଣୀ ବଳ ସର୍ବେ।୪୬।

ଭୋ ତାତ ମକର ଶୁକଳ ପକ୍ଷ ସପ୍ତମୀ ଭଉମ ବାର

(ଦ୍ୱିଜା) ଭରଣ ନକ୍ଷତ୍ର ଯେ ଭୋଗ୍ୟ ସେ ଦିନର।୪୭।

ଗର ନାମେ କରଣ ବ୍ରହ୍ମ ନାମେ ଯୋଗ ସେ ଦିନର

ଦଶ ସହସ୍ର ଯୋଦ୍ଧା ପଡ଼ିଲେ କଉରୋବ ଥାଠର।୪୮।

ଲକ୍ଷେକ ରଥୀ ଯେ ବେନି ଲକ୍ଷ ହାଥୀ

ପାଞ୍ଚ ଅହିବ୍ରତ ଅଶ୍ୱ ଚାରି କ୍ଷଉଣୀ ପାଦାନ୍ତି।୪୯।

ୟେତେକ ସଇନ ଯେ ପାଣ୍ଡବଂକର ଭୀଷ୍ମେ ନାଶ କଲେ

ଲକ୍ଷେକ ଯୋଦ୍ଧା କଉରୋବଂକର ପଡ଼ିଲେ।୫୦।

ଚାରି ଲକ୍ଷ ଅଶ୍ୱ ପଡ଼ିଲେ କୋଡ଼ିୟେ କ୍ଷଉଣୀ ପାଦାନ୍ତି

ପାରିଦଣ୍ଡ ପଡ଼ିଲେ ସହସ୍ରେକ ସେନାପତି।୫୧।

ଅଷ୍ଟମୀ ବୁଧବାର କୃତ୍ତିକା ନକ୍ଷତ୍ର

ସେ ଦିନ ଗାଙ୍ଗବେ ପାଡ଼ିଲେ ରଥୀ ବାର ଯେ ସହସ୍ର।୫୨।

ସାତ ସହସ୍ର ତିନି ଅହିବ୍ରତ ନାଗ

ବାର କ୍ଷଉଣୀ ପାଦାନ୍ତି ତିନି କ୍ଷଉଣୀ ତୁରଙ୍ଗ।୫୩।

କଉରୋବଂକର ପଡ଼ିଲା ବାର ସହସ୍ର ପାରିଦଣ୍ଡ

ନବ ଲକ୍ଷ ରଥୀ ପନ୍ଦର ଲକ୍ଷ ଗଜଦଣ୍ଡ।୫୪।

ତିନି କୋଟି ତୁରଙ୍ଗ ବାରକ୍ଷଉଣୀ ପାଦାନ୍ତି

ୟେତେକ ସଇନ ମାରି ରଣ ଜୟକଲେ ଭୀଷ୍ମ ମହାରଥୀ।୫୫।

ଭୋ ତାତ ମକର ମାସ ଶୁକ୍ଳପକ୍ଷ ନବମୀ ଗୁରୁବାର

ରୋହିଣୀ ନକ୍ଷତ୍ର ଅଟଇ ସେ ଦିନର।୫୬।

ବାଳବ ନାମେ କରଣ ବଇଧୃତି ନାମେ ଯୋଗ

ସେ ଦିନ ଭୀଷ୍ମେ ପାଡ଼ିଲେ ନବ ଲକ୍ଷ ତୁରଙ୍ଗ।୫୭।

ତିନି ସହସ୍ର ପାରିଦଣ୍ଡ ଚାରି ସହସ୍ର ରଥୀ

ଲକ୍ଷେକ ଗଜ ଅଶ୍ୱ ଚାରି କ୍ଷଉଣୀ ପାଦାନ୍ତି।୫୮।

ୟେତେକ ପାଣ୍ଡବେ ମାଇଲେ କଉରୋବଂକର କତି

ୟେତେକେ ହେଂ ସମର ରହିଲା ଅଦ୍ୟାପିଟି।୫୯।

ଭୋ ତାତ ମକର ମାସ ଶୁକଳ ପକ୍ଷ ଦଶମୀ ଶୁକ୍ରବାର

ମୃଗଶିରା ନାମେ ନକ୍ଷତ୍ର ବିଷକୁମ୍ଭ ଯୋଗ ତଇତିଳ କରଣ ସେ ଦିନର।୬୦।

କୋଟିୟେ ରଥ ପାଡ଼ିଲେ ଭୀଷ୍ମ ସେନାପତି

ୟେଗାର ସହସ୍ର ଯେ ମାଇଲେ ନୃପତି।୬୧।

ବିଶାଶତ ମର୍ଭୁତ ଯେ ମାଇଲେ ମତ୍ତନାଗ

ବାଇଶି କ୍ଷଉଣୀ ସଇନ ନବ ଲକ୍ଷ ତୁରଙ୍ଗ।୬୨।

ଦଶମୀ ଦିନର ସମରେ ଗଙ୍ଗାର ଆତ୍ମଜା

ଅର୍ଜୁନର ବାଣେ ସେ କଲେ ସମର ଶେଯ୍ୟା।୬୩।

ଭୋ ତାତ ମକର ମାସ ଶୁକଳ ୟେକାଦଶୀ ଶଉରୀବାର

ଆର୍ଦା ନକ୍ଷତ୍ର ପ୍ରୀତି ନାମେ ଯୋଗ ସାର।୬୪।

ୟେ ଦିନ ମୁକୁଟ ବାନ୍ଧି ସେନାପତି ହୋଇଲେ ଗୁରୁଦ୍ରୋଣେ

ଚକ୍ରଭୂଅ ଗୋଟାୟେ କଲେକ ଭିଆଣେ।୬୫।

ସେ ଭୂଅ ଆବୋରି ବହୁତ ସମର କଲା ସୋହୋଦ୍ରା ତନୁ

ପାଞ୍ଚଲକ୍ଷ ରଥୀ ମାଇଲା ୟେକା ଅଭିମନ୍ୟୁ।୬୬।

ଆଠଲକ୍ଷ ଗଜ ଯୋଦ୍ଧା ଦଶଲକ୍ଷ ହୟେ

ଆଠଲକ୍ଷ ପାଦାନ୍ତି ପଡ଼ିଲେ ଅଭିମନ୍ୟୁର ଘାୟେ।୬୭।

ସମରେ ନୁଆରି ଦ୍ରିଯୋଧନ କଲାକ କୂଟ

ଗୋଳ ଯୁଦ୍ଧ କରି ସେ ବେଢ଼ିଲେ ସର୍ବଥାଠ।୬୮।

ଧୁଶାସନ ବଧକଲା ଦେବକୁମାର ଅଭିମନ୍ୟୁକୁ

ଅର୍ଜୁନକୁ ଘେନି ମୁଂ ଗଲି ଜଳନ୍ଧର ଭୁଅକୁ।୬୯।

ଅର୍ଜୁନ ସେଦିନ ଜଳନ୍ଧର ଭୂଅ ଭେଦି

ଚଉଦ ଲକ୍ଷ ସଇନ ସେ ପକାଇଲାକ ଛେଦି।୭୦।

ଭୋ ତାତ ମକର ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ଅର୍କବାର

ପୁନର୍ବସୁ ନକ୍ଷତ୍ର ଯେ ଭୋଗ ସେ ଦିନର।୭୧।

ଶକଟ ଭୂଅ ଗୋଟିୟେ ଭିଆଇଲେ ଦ୍ରୋଣ ସେନାପତି

ଭୂଅ ଭେଦିଗଲା ୟେକା ଅର୍ଜୁନ ମହାରଥୀ।୭୨।

ସାତୁକୀ ଭୀମସେନ ଅଇଲେ ତାହାର ପଛ

ମୁକୁଟ ବନ୍ଧା ଯୋଦ୍ଧା ପଡ଼ିଲେ ତେର ଲକ୍ଷ।୭୩।

ଗଜ ଯୋଦ୍ଧା କୋଟିୟେ ପାଞ୍ଚକୋଟି ଅଶ୍ୱ ଯୋଦ୍ଧା

ଭୂରିସର୍ବାଂକ ତୁଲେ ୟେତେକ ଗଲେ ବଧା।୭୪।

ଭୁଅଦ୍ୱାର କତି ଥିଲେ ବତିଶ ସହସ୍ର ରାୟେ

ୟେତେକ ବଧକଲେ ପାଣ୍ଡବ ଧନୁର୍ଜୟେ।୭୫।

ଯଦ୍ୟରଥ ପଡ଼ିଲାକ ଆଦିତ୍ୟ ଅସ୍ତକାଳେ

ଷୋଳକ୍ଷଉଣୀ ପଡ଼ିଲେ ଯେ ସେ ଦିନର ରୋଳେ।୭୬।

ସେହି ରାତ୍ରେ ପୁଣି ସମର ଯେ ହେଲା

କର୍ଣ୍ଣର ବଜ୍ରଶକ୍ତି ଘାତେ ଘଟଉତ୍କଚ ନାଶଗଲା।୭୭।

ଘଟଉତ୍କଚ ନନ୍ଦନ ଘଟୁକା ମହାଛତ୍ରୀ

ୟେହାର ତୁଲେ ପଡ଼ିଲେ ଦଶସହସ୍ର ରଥୀ।୭୮।

ପାଞ୍ଚାଳ ଦେଶର ରାଜା ଦ୍ରୋପଦେଶ୍ୱର ରାୟେ

ପାଞ୍ଚ ଅହିବ୍ରତ ଯୋଦ୍ଧା ଘେନି ପଡ଼ିଲେ ଦ୍ରୋଣକଂର ଘାୟେ।୭୯।

ତିନିକ୍ଷଉଣୀ ବଳ ସେ ଯେ ଘେନିଣ ସେ ଥାଠ

ପାଞ୍ଚଶତ ପାରାର୍ଦ୍ଧ ତୁଲେ ପଡ଼ିଲା ବିରାଟ।୮୦।

ମରୁତ ଦେଶର ରାଜା ଭୀମ ଚକ୍ରବ୍ରତୀ

କୃପଂକ ସମରେ ସେ ପଡ଼ିଲେ ତୁଲେ ଘେନି ଅହିବ୍ରତେକ ହାଥୀ।୮୧।

ଗୋବିନ୍ଦେ ବୋଇଲେ ତାତ ଗୋଳଯୁଦ୍ଧ ହୋଇଲା ସେ ଦିନର ରାତି

ସମରେ ପଡ଼ିଲେ ତହିଂ ଅନେକ ନୃପତି।୮୨।

ମଙ୍ଗଳ ଦେଶର ରାଜା ମାନଅରଜୁନ

ଅଶସ୍ତମା ସମରେ ସେ ହୋଇଲା ନିଧନ।୮୩।

ପଦ୍ମଦଳ ଦେଶର ରାଜା ପଦ୍ମ ଯେ କେଶରୀ

ଧୁଶାସନ ନାଶକଲା ତୁଲେ ଅଶ୍ୱ ଗଜ ଲକ୍ଷଚାରି।୮୪।

ବୃନ୍ଦାଅର୍କ ଦେଶ ରାଜା ଅଟେ ମନସିଜ

ଦୁର୍ଜୟ ମାଇଲା ତାର ତୁଲେ ନବସହସ୍ର ହାଦେ ଗଜ।୮୫।

ମହ୍ଲାର ଦେଶର ରାଜା ଅଟଇ ତ୍ରିଗର୍ତ୍ତ

କର୍ଣ୍ଣ ମାଇଲା ତାର ତୁଲେ ଅହିବ୍ରତେକ ରଥ।୮୬।

ନିର୍ଝର ଦେଶର ରାଜା ଅଟଇ ଗଣପତି

ଦୃବିନ୍ଦ ନାଶକଲା ତୁଲେ ସାତସହସ୍ର ହାଥୀ।୮୭।

ଶ୍ରୀଗୋବିନ୍ଦେ ବୋଇଲେ ତାତ ଗୋଳଯୁ ଦ୍ଧଘୋର ଯେ ଅନ୍ଧାର ନିଶାରାତି

ପାଣ୍ଡବଂକ ଥାଠେ ପଡ଼ିଲେ ୟେଗାର ଶତ ପଞ୍ଚସ୍ତୋରି ନୃପତି।୮୮।

ମର୍ଭୁତେକ ରଥୀ ଯେ ପାଞ୍ଚମର୍ଭୁତେ ଗଜ

ନବମର୍ଭୁତ ଅଶ୍ୱ ନବକ୍ଷଉଣୀ ପାଦାନ୍ତି ରାଜ।୮୯।

କୃଷ୍ଣ ବୋଇଲେ ହେ ତାତ ମୁଂ ଯେତେକ କହିଲି

ପାଣ୍ଡବଂକ ଆଡେ ୟେତେକ ପଡ଼ିଲା ତୁମ୍ଭ ଆଗେ ବୋଇଲି।୯୦।

ଦ୍ରିଯୋଧନ ପକ୍ଷରୁ ରଣେ ପଡ଼ିଲେ ଯେତେକ ସଇନ

ଥୋକାୟେ କହିବି ତାତ ସାବଧାନେ ଶୁଣ।୯୧।

ଘଟଉତ୍କଚ ସମରେ ପଡ଼ିଲା ଅଳମ୍ବୁଷ

ଅଳାୟୁଧ ତୁଲେ ମଲେ ମର୍ଭୁତେ ରାକ୍ଷସ।୯୨।

ଦ୍ରିଯୋଧନ ଶ୍ୱଶୁର ଅଟଇ ଭୂମନ୍ୟୁ

ସାତସହସ୍ର ରାଜା ତୁଲେ ତ୍ରିଗର୍ତ୍ତ ରାଜା ତେଜିଲାକ ତନୁ।୯୩।

ମାଳବ ଦେଶର ରାଜା ନାମ କୃତବର୍ମା

ନବଲକ୍ଷ ଗୁଞ୍ଜର ଘେନି ପଡ଼ିଲା ତାହାର ହାଥୀ ଅଶସ୍ତମା।୯୪।

ବୀରଭଙ୍ଗ ଦେଶର ରାଜା ବୀରମାଳି

ଲକ୍ଷେକ ଯୋଦ୍ଧା ତୁଲେ ସେ ପଡ଼ିଲାକ ଢଳି।୯୫।

କୁମୁଦ ଦେଶର ରାଜା ଚନ୍ଦ୍ରନଉମୀ

ତିନିସହସ୍ର ରାଜା ସହ ପଡ଼ିଲାକ ଭୂମି।୯୬।

ଚନ୍ଦ୍ରବାହୁ ସୁବାରୁ ଯେ କୁନ୍ଧାଣ ବଙ୍ଗରାୟେ

ପାଞ୍ଚକ୍ଷଉଣୀ ବଳ ତୁଲେ ଯେ ପଡ଼ିଲେ ବେନିରାୟେ।୯୭।

ଅଶସ୍ତମା ହତ ଶୁଣି ପ୍ରଭାତେ ଶସ୍ର ଯେ ଛାଡ଼ିଲେ ଦ୍ରୋଣଗୁରୁ

ଧୃଷ୍ଟଦ୍ୟୁମ୍ନ ଶିର ଛେଦିଲେ ତାହାଂକର ଦୂରୁଂ।୯୮।

ବସୁଦେବ ବୋଇଲେ ପ୍ରଶୁରାମ ସାଦ୍ରିଶେ ଦ୍ରୋଣ ଯୋଧୀ

ବିନା ଯୁଦ୍ଧେକ କିମ୍ପେ ୟେଡ଼େ ଅପରାଧୀ।୯୯।

ଗୋବିନ୍ଦେ ବୋଇଲେ ତାତ ଅନିର୍ଯ୍ୟାପ ହେଲା ଶରବୃଷ୍ଟି

ଅଶସ୍ତମା ଗଜକୁ ଭୀମ ଗଦାୟେ ନେଇ ପିଟି।୧୦୦।

ଅଶସ୍ତମା ହତ ବୋଲି ଓହୋ ବଳେ ଶୁଭିଲାକ ବାଣୀ

ଦ୍ରୋଣଗୁରୁ ଶହସ୍ର ଛାଡ଼ିଲେକ ତାହା ଶୁଣି।୧୦୧।

ଧୃଷ୍ଟଦ୍ୟୁମନଂକର ସେ ପିତାର ବଇରି

ଧାତିକାରେ ଦ୍ରୋଣଂକୁ ସେ ପକାଇଲେ ମାରି।୧୦୨।

ଦ୍ରୋଣଂକର ପଡ଼ନ୍ତେ ଦ୍ରିଯୋଧନ ବଇକୁଲ୍ୟ

ମୁକୁଟ ବାନ୍ଧିଲେ ସେନାପତି କର୍ଣ୍ଣ ମହାମଲ୍ଲ।୧୦୩।

ଶ୍ରୀଗୋବିନ୍ଦେ ବୋଇଲେ ତାତ ମକର ମାସ ଶୁକଳ ପକ୍ଷ ପଉର୍ଣ୍ଣମୀ ବୁଧବାର

ମଘା ଗତେ ପୂର୍ବ ଫାଲଗୁନୀ ନକ୍ଷତ୍ର ଅଟଇ ସେ ଦିନର।୧୦୪।

ବବ ନାମେ କରଣ ଅତିଗଣ୍ଡ ନାମେ ଯୋଗ

ମକର ସଂକ୍ରାନ୍ତିକି ୟେ ଅଠର ଦିନ ଭୋଗ।୧୦୫।

ଯୁଦ୍ଧ ହୋଇଲା ଶେଷ ପଞ୍ଚଦଶ ଦିବସ

ଆର ଦିବସ ସେନାପତି ହୋଇଲା ରାଧେବର ଶିଷ।୧୦୬।

ଷୋଳଦିନରେ ସେ ସେନାପତି ହୋଇଲାକ କର୍ଣ୍ଣ

ଦ୍ରିଯୋଧନର ସତାଣୋଇ ଭାଇ ସାଂଗ୍ରାମେ ମାଇଲେ
ଭୀମସେନ।୧୦୭।

ପଞ୍ଚ ଅହିବ୍ରତ ରଥୀ ଦଶ ଅହିବ୍ରତ ହାଥୀ

ବାଇଶି କ୍ଷଉଣୀ ତାତ ପଡ଼ିଲେ ପାଦାନ୍ତି।୧୦୮।

ପାଣ୍ଡବଂକ କତିରୁ ପଡ଼ିଲା ତିନି ସହସ୍ର ରଥ

ପାଞ୍ଚସସ୍ର ଗଜ ଅଶ୍ୱ ତିନି ଅହିବ୍ରତ।୧୦୯।

ଆର ଦିନ ପୁଣି ସମର କଲା ବୀରକର୍ଣ୍ଣ

ସେ ଦିନର ସମର ଯେ ହୋଇଲା ମହାରଣ।୧୧୦।

ଭୋ ତାତ କୁମ୍ଭମାସ କୃଷ୍ଣପକ୍ଷ ଗୁରୁବାର ଦିନ

ହସ୍ତା ନକ୍ଷତ୍ର ସେ ଦିନ ବିଷ୍ଟି ନାମେ କରଣ।୧୧୧।

ନବଲକ୍ଷ କୁଞ୍ଜର ଘେନି କଳିଙ୍ଗସେନ ଥିଲା

ଭୀମ ଗଦା ବୁଲାନ୍ତେ ଗଗନେ ଉଡ଼ିଗଲା।୧୧୨।

ସାତ କ୍ଷଉଣୀ ବଳ ନବ କ୍ଷଉଣୀ ମାତଙ୍ଗ

ଅଗାଦ ସାଗରେ ଯାଇଂ ସେ ପଡ଼ିଲେକ ବେଗ।୧୧୩।

ସୁହସ୍ତା ହାଥୀ ଚଢିଣ ଭଗଦତ୍ତ ରାୟେ

ଲକ୍ଷେ ଯୋଦ୍ଧା ତୁଲେ ତାକୁ ମାଇଲେ ଧନୁର୍ଜୟେ।୧୧୪।

ଗୁଜ୍ଜର ମଗଧ ସଉରାଷ୍ଟ୍ର ମରହଟ୍ଟା କଉଶିକ

କୁବୁଜ କନାଊଜ ରାଜା ପଡ଼ିଲେ ଅନେକ।୧୧୫।

ୟେମନ୍ତ ସମୟେ ତାତ ବେଳ ପାଞ୍ଚଘଡ଼ି

ଭୀମ ଧୁଶାସନ ଦୁହିଂକର ଭେଟ ପଡ଼ି।୧୧୬।

ଧୁଶାସନ ଭୁଜ ଉପାଡ଼ି ବିକ୍ରୋଦର

ରୁଧିର ବୃଷ୍ଟିକଲା ନେଇ ଦ୍ରୋପତୀର ଶିର।୧୧୭।

ବସୁଦେବ ବୋଇଲେ ଦ୍ରୋପତୀ ପରମଲକ୍ଷ୍ମୀ

ରୁଧିର ସ୍ରାହାନ କିମ୍ପେ କଲାକ ରଣଭୂମି।୧୧୮।

ଶ୍ରୀଗୋବିନ୍ଦ ବୋଇଲେ ଯୁଝେଷ୍ଠି ଦ୍ରିଯୋଧନ ପଶାଖେଡ଼େ

ଶକୁନି କପଟ ଭିଆଇଲା ସଂକୋଡ଼େ।୧୧୯।

ପଶାୟେ ଯୁଝେଷ୍ଠି ହାରିଲେ ରାଜ୍ୟଭାର

ସଭାତଳେ ନେଇ ବସାଇଲା ପାଣ୍ଡବ ପଞ୍ଚୁବୀର।୧୨୦।

ଦ୍ରୋପତୀକି ଆଣ ବୋଲି ବୋଇଲା ମାନଗୋବିନ୍ଦ

ପବନହୁଂ ବେଗେ ଧାଇଂଲା ଧୁଶାସନ ମନ୍ଦ।୧୨୧।

ଲୁଚନ୍ତେଣ ପାଞ୍ଚାଳୀର ଧଇଲା ଯାଇଂ ବାଳ

ଭୂମିରେ ଚରଣ ତାର ନପଡ଼ଇ ତଳ।୧୨୨।

ଜାନୁ ସ୍ତନ ଦେଖିବାକୁ ରାଜା ଆଜ୍ଞା ଦିଲା

ସଭାତଳେ ଦ୍ରୋପତୀଂକି ଧୁଶା ବିବସନ କଲା।୧୨୩।

ବିରଞ୍ଚି ନାରାୟଣ ଦେଖିଲେ ନୟନେ

ସତୀର ଝିଂଘାସ ଦେଖି ଭୟେ କଲେ ମନେ।୧୨୪।

ପାଟେଳୀ ଝୀନବାସ ଯେ ଥିଲା ପଞ୍ଚାଊନ କୋଟି

ଛାୟାକନ୍ୟା ବେଢାଇଲେ ଯେ ଦ୍ରୋପତୀର କଟି।୧୨୫।

ମେରୁତୁଲ୍ୟ ହୋଇ ବସ୍ର ଚାରିଦିଗେ ଚାରିକୁଢ ପଡ଼ି

ପାମର ମୂରୁଖେ କେହି ତା ନୁଆରିଲେ ବାରି।୧୨୬।

ଗୋବିନ୍ଦେ ବୋଇଲେ ଯହୁଂ ଝିଂଘାସ କଲେ କଉରୋବେ

କୋପାନଳ କରି ଦେବୀ ଚାହିଂଲେ ଅପାଙ୍ଗେ।୧୨୭।

ଦୋହରା ଘରୁ ଧାତିକାରେ ଉଠିଲା ବହନି

ଅନେକ ଅବସ୍ଥା ହୋଇଲେ କଉରୋବ କାମିନୀ।୧୨୮।

କେଶ ଧରି ଯେଉଂ ଦିନୁ ଆଣିଲା ଧୁଶାସନ ମହାବଳୀ

ସେହିଦିନୁ କେଶ ଆଉ ନବାନ୍ଧିଲା ଜିଘ୍ନସେନୀ ବାଳୀ।୧୨୯।

ରାଗେଣ ଦ୍ରୋପତୀ ପ୍ରତଗ୍ୟାଂ ବୋଇଲେ ଆରେ ଆରେ ଧୁସା

କାଳସର୍ପ ଚାଳିଲୁରେ ତୋର ୟେଡ଼େକ ଭରସା।୧୩୦।

ଯେବଣ କରେ ଧଇଲୁ ମୋହୋର କବରୀ

ସେ ଭୁଜ ଉପାଡ଼ିଲେ ରୁଧିରେ ସ୍ରାହାନ ମୁହିଂ କରି।୧୩୧।

ତେବେ ସିନା ବାନ୍ଧିବି ସେ ମୋହୋର ୟେ କେଶ

ସେ ରାଗେ କେଶ ନ ବାନ୍ଧିଲେ ଚଉଦ ବରଷ ସାତମାସ।୧୩୨।

ଭୋ ତାତ ଦ୍ରୋପତୀ ବୋଲି ଯେବଣ ଜିଘ୍ନସେନୀ

ଅଗ୍ନିରୁ ଜାତ କଲେ କୋଟିୟେ ଋଷି ଘେନି ବ୍ୟାସମୁନି।୧୩୩।

ଭୋ ତାତ ପଞ୍ଚୁପାଣ୍ଡବେ ତାହାନ୍ତ ଘେନି ଲାଗି

ୟେକଇ ଶରୀର ପାଞ୍ଚକୁ ହିଂ ଦିଅଇ ଅଙ୍ଗ ଭୋଗି।୧୩୪।

ପଞ୍ଚୁପାଣ୍ଡବେ କରନ୍ତି ଭୋଗ ପାଞ୍ଚ ରାତି

ପ୍ରଥମ ଦିବସେ ଶୟନ କରନ୍ତି ଯୁଝେଷ୍ଠିଂକ କତି।୧୩୫।

ରଜନୀ ଭାଗେ ସ୍ୱାମୀକି ଦିଅଇ ଅଙ୍ଗଭୋଗ

ପ୍ରଭାତେ ପଶଇ ଯାଇଂ ମହାଅନଳ ଯୋଗ।୧୩୬।

ସେ କାୟା ଗୋଟି ଦହନ କରଇ ମହାସତୀ

ଆନ କାୟା ଗୋଟିୟେ ଯେ କରଇ ଉତପତ୍ତି।୧୩୭।

ସେ କାୟା ଗୋଟିକ ପୁଣି ଭୀମସେନେ ନିଯୋଗୀ

ଦିବସ ଯାଇଂ ରାତ୍ରେ ଭୀମସେନକୁ କରଇ ଅଙ୍ଗଭୋଗୀ।୧୩୮।

ପୁଣ ପ୍ରଭାତ କାଳେ ପଶଇ ବହନି

ସେ କାୟା ଦହନେ ନବତନ କାୟା ଘେନି।୧୩୯।

ଦିନକୁ ଦିନ ହିଂ ପୁଣ ନବତନ କାୟେ

ଶରୀର ସମର୍ପଇ ସେ ପାଣ୍ଡବ ଧନୁର୍ଜୟେ।୧୪୦।

ସେ ଦିବସେକ ରାତ୍ରରେ ଅର୍ଜୁନ ହୋୟେ ଲାଗି

ପୁଣି ପ୍ରଭାତେ ଅଗ୍ନିରେ ପଶି ଶରୀର ପରିତ୍ୟାଗି।୧୪୧।

ପୁଣି ହିଂ ନବତନ ଶରୀର ପରକାଶି

ନକୁଳେ ଅଙ୍ଗଭୋଗ ଦିଅଇ ଶୁଭ୍ରକେଶୀ।୧୪୨।

ରଜନୀ ପ୍ରଭାତେ ପୁଣି ପଶଇ ବହନି

ସେ କାୟା ଦହନ କରି ନବତନ କାୟା ଘେନି।୧୪୩।

ପୁଣି ଅଙ୍ଗଭୋଗ ଦିଅଇ ସେ ସହଦେବର ତୁଲେ

ପୁଣି ଅଗ୍ନିରେ ପଶଇ ସେ ପ୍ରଭାତକାଳ ହେଲେ।୧୪୪।

ଗୋବିନ୍ଦେ ବୋଇଲେ ଆହେ ଶୁଣ ଦେବତାତ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ମରୁତ ପାଣ୍ଡବ ପଞ୍ଚଭ୍ରାତ।୧୪୫।

ସମସ୍ତ ମହାସତୀ କରନ୍ତି ଜଳରେ ସ୍ରାହାନ

ଅଗ୍ନି ସ୍ରାହାନ ଦ୍ରୋପତୀ କରଇଂ ପ୍ରତିଦିନ।୧୪୬।

ୟେକଇ ରମଣୀ ଆରେକ ଉତିଷ୍ଟ ହୋୟେ ବୋଲି

ତେଣୁ କରି ପିଣ୍ଡକୁ ସେ ଦହନ୍ତି ପାଞ୍ଚାଳୀ।୧୪୭।

ଗୋବିନ୍ଦେ ବୋଇଲେ ଦ୍ରୋପତୀଂକର ୟେସନେକ ମହିମା

ତାହାର କୋପକୁ ଭୟ କରନ୍ତି ଦେବ ବ୍ରହ୍ମା।୧୪୮।

ତାର କେଶ ଧରିବା କୁସାମର୍ଥ ହୋଇଲା ଧୁସା

ମୂଢ କଉରୋବଂକର ୟେଡ଼େକ ଭରସା।୧୪୯।

ତେଣୁ ଭୁଜ ତାର ଉପାଡ଼ିଲା ଭୀମସେନ

ପଂକଜଲୋଚନୀ କଲା ରୁଧିରେ ସ୍ରାହାନ।୧୫୦।

ୟେହା ଶୁଣି ଆଶ୍ରିଜ ହୋଇଲେ କୃଷ୍ଣଂକର ପିତାମାୟେ

ମୂର୍ଖପଣେ ନାଶଗଲେ ଧୃତିରାଷ୍ଟ୍ର ଶତ ପୋୟେ।୧୫୧।

ଧୁଶାସନ ପଡ଼ନ୍ତେ ହୋଇଲା ରଣଗୋଳ

ସେ ଦିନ ଶିରଚ୍ଛେଦ ହୋଇଲା ରାଧେବର ବାଳ।୧୫୨।

କର୍ଣ୍ଣ ତୁଲେ ପଡ଼ିଲେ ତିନିକୋଟି ରଥୀ

ପାଞ୍ଚକୋଟି ଅଶ୍ୱ ଯେ ଚାରିକୋଟି ହାଥୀ।୧୫୩।

ପାଞ୍ଚ କୋଟି ପାଦାନ୍ତି ପଡ଼ିଲେ କର୍ଣ୍ଣ ତୁଲେ

ଆର ଦିନ ସେନାପତି ହୋଇଲେ ରାୟେ ଶଲ୍ୟେ।୧୫୪।

ଯୁଝେଷ୍ଠିଂକ ସମରେ ଯେ ଶଲ୍ୟେ ନାଶଗଲେ

ତିନିଶତ ରାଜା ପାଞ୍ଚଶତ ହାଥୀ ଯେ ପଡ଼ିଲେ।୧୫୫।

ବେନି ଲକ୍ଷ ଅଶ୍ୱ ଚାରିକ୍ଷଉଣୀ ଯେ ବଳ

ୟେତେ ସଇନ୍ୟ ଘେନିଣ ଯେ ପଡ଼ିଲେକ ଶଲ୍ୟ।୧୫୬।

କୁମ୍ଭ କୃଷ୍ଣ ଦ୍ୱିତୀୟା ଦିନର ବାରତା

ସେନାପତି ହୋଇଲେ ଯେ କୃପ ମହାରଥା।୧୫୭।

ଅପାର ସମର ହେଲା ସେହି ଯେ ଦିନର

ୟେକୋଇଶ କ୍ଷଉଣୀ ବଳ ପଡ଼ିଲେ ପାଣ୍ଡବଂକର।୧୫୮।

ଅନେକ କଷ୍ଠୋରେ ସେ ଯେ ସମର କରନ୍ତେ

କୃପକଇଂ ସମରେ ଜିଣିତ ନୁଆରିଲେ ବୀରପଥେ।୧୫୯।

ନୀଳବାଣେ ଭୁଜବାଣ ବୋଲିଣ ଶର ବେନି

କୋପେଣ ପେଶିଲେ ତାହାନ୍ତ ବୀର ଫାଲଗୁନି।୧୬୦।

ବ୍ରହ୍ମଶର ଅଟନ୍ତି ସେ ଅପାଲଟକ ବେନି

କୃପଂକର ଶିର ଛେଦିଲେ ସେ ତତକ୍ଷଣି।୧୬୧।

ଅର୍ଜୁନ ଆଗ୍ୟାଂରେ ସେ କଲେ ବେନିଖଣ୍ଡ

ବ୍ରହ୍ମହତ୍ୟା ନିମନ୍ତେ ମନ କଲେକ ବିଖଣ୍ଡ।୧୬୨।

ମହାମନ୍ତ୍ର ପଢି ଦିଲେ ସେ ମୃତ୍ୟୁ ସଞ୍ଜୀବନୀ

କୃପଂକୁ ଜୀଆଂଇଲେ ନୀଳବାଣ ଭୁଜବାଣ ବେନି।୧୬୩।

ପଳାଇଲେ କୃପ ଯେ ନ ରହିଲେ ସମରେ

ପଳାଇ ପଶିଲେ ଯାଇ ନିର୍ଝର କନ୍ଦରେ।୧୬୪।

ସେ ଦିନ ସମର ତାତ ହୋଇଲା ଶେଷ ଗଦା

ପଡ଼ିଲେ ଓହୋବଳ ହୋଇଲେ ପଦା।୧୬୫।

କଉରବଂକର ଥିଲେ ଯେ ନବଲକ୍ଷ ରଥୀ

ତିନିକୋଟି ତୁରଙ୍ଗ ବେନିକୋଟି ହାଥୀ।୧୬୬।

ବତିଶ କ୍ଷଉଣୀ ପାଦାନ୍ତି ସହସ୍ରେକ ପାରିଦଣ୍ଡ

ଶେଷ ଗଦା ସମରେ ଲୋଟିଲା ରାଜାମାନଂକର ପିଣ୍ଡ।୧୬୭।

ସାତକ୍ଷଉଣୀ ବଳ ପାଣ୍ଡବଂକର ଥିଲା

ପାଞ୍ଚକ୍ଷଉଣୀ ନାଶଗଲା ବେନି କ୍ଷଉଣୀ ରହିଲା।୧୬୮।

ସେଦିନ ସମର କରନ୍ତେ ହୋଇଲେ ଅର୍ଦ୍ଧ ରାତ୍ରି

ରଣ ଜୟ କରି ବାହୁଡ଼ିଲେ ପାଣ୍ଡବ ପାଞ୍ଚ ମୂରତି।୧୬୯।

ରୁଧିର ନଦୀ ଭିତରେ ଦ୍ରିଯୋଧନ ଥିଲା ବୁଡ଼ି

ନିଷତ ହୋଇଣ ପୁଣି ପଳାଇଲା ଛାଡ଼ି।୧୭୦।

ପଳାଇଯାଇଂ ବ୍ୟାସ ସରୋବରେ ପଶିଲା ଶରଣ

ସେ ମହତଲିଙ୍ଗ ତାକୁ କଲାକ ରକ୍ଷଣ।୧୭୧।

ରଣ ଜୟ କରି ପାଣ୍ଡବେ ଗଲେ ଇନ୍ଦ୍ରପ୍ରଶସ୍ତେ

ଅର୍ଘ୍ୟ ଘେନିଣ ବାହାର ହୋଇଲେ ଦେବୀ କୋନ୍ତେ।୧୭୨।

ସମରେ ମାଇଲା କେ ରେ ମାନଗୋବିନ୍ଦକୁ

ଜ୍ୟେଷ୍ଠ ହୋଉ କନିଷ୍ଠ ହୋଉ ଅର୍ଘ୍ୟ ଦେବି ତାକୁ।୧୭୩।

ଦ୍ରିଯୋଧନକୁ ମାରିବାର ନଜାଣନ୍ତି କେହି

ତାହା ଶୁଣି ସର୍ବେ ପୁଣି ବିକ୍ରମି ଧାଇଂଲେ ରଣଭୂଇଂ।୧୭୪।

ମଡ଼ା ନେଉଟାଇ ସେ ଚିହ୍ନିଲେ ସବୁନ୍ତି

ଲୋଡ଼ି ନ ପାଇଲେ କେହି ମାନଚକ୍ରବତୀ।୧୭୫।

ସହଦେବ ବୋଇଲେ ବ୍ୟାସ ସରୋବରେ ଅଛି ପଶି

ଭୀମସେନ ମାଗୁଂ ସିଂଘନାଦ ଦିଲେ କାଶୀ।୧୭୬।

ଭୀମସେନ ସିଂଘନାଦ ଦିଅଇ ଗଳଗାଜି

ରେ ରେ କାର ଶବଦେ ମାନଗୋବିନ୍ଦ ଲକ୍ଷ୍ମୀଂକି ବେଗି ତେଜି।୧୭୭।

ଅନେକ ଯୁଦ୍ଧ ହୋଇଲା ସରୋବର ତୀରେ

ଦ୍ରିଯୋଧନ ଜାନୁଭଙ୍ଗ କଲାକ ବ୍ରିକୋଦରେ।୧୭୮।

ମାନଗୋବିନ୍ଦ ରାଜା ଯହୁଂ ହୋଇଲା ଜାନୁଭଗ୍ନ

ପାଦରେ ମୁକୁଟ ମର୍ଦ୍ଦିଲା ବୀର ଭୀମସେନ।୧୭୯।

ପାଣ୍ଡବେ ଚଳିଲେ ହାଦେ ରଣଜୟ କରି

ପ୍ରବେଶ ହୋଇଲେ ଯାଇଂ ଜୟିନ୍ତା ନାମେ ନଗରୀ।୧୮୦।

ମୁହିଂ ବୋଇଲି ଶୁଣିମା ଯୁଝେଷ୍ଠି ଦେବସ୍ୱାମୀ

ପଞ୍ଚୁ ରାତ୍ର ରହି ନଯୋଗାଇ ରଣଜୟେ ଭୂମି।୧୮୧।

ପାଣ୍ଡବେ ପଞ୍ଚୁଭାଇ ଦ୍ରୋପତୀ କୋଇନ୍ତା ସୁଭଦ୍ରା ଉତ୍ତରାକୁ

ନନ୍ଦିଘୋଷେ ବସାଇ ଆଣିଲି ଦ୍ୱାରକାକୁ।୧୮୨।

ବାଳୁତ ବୋଲି ପାଞ୍ଚାଳୀକୁମାରନ୍ତ ଶୁଆଇ

ଧୃଷ୍ଟଦ୍ୟୁମନକୁ ପୁରରେ ସେ ପୁଅନ୍ତ ଅଇଲୁଂ ଜଗାଇ।୧୮୩।

ତିନିସହସ୍ର ରଥୀ ନବ ସହସ୍ର ହାଥୀ

ବତିଶ ସହସ୍ର ଅଶ୍ୱ ଦୁଇ କ୍ଷଉଣୀ ପାଦାନ୍ତି।୧୮୪।

ୟେତେକ ରଖାଇ ପାଞ୍ଚାଳକୁମରଂକୁ

ସେ ରାତ୍ରେ ସେନାପତି କଲା ମାନଗୋବିନ୍ଦ ଅଶସ୍ତମାକୁ।୧୮୫।

ସେ ଅଶସ୍ତମା ଅଇଲା ମହା ନିଶା କାଳେ

ଦୁଇ କ୍ଷଉଣୀ ସଇନ ସେ ମାଇଲାକ ହେଳେ।୧୮୬।

ଗଜ ଅଶ୍ୱ ଯୋଦ୍ଧା ଯେ ସକଳ ପାରିଦଣ୍ଡ

କୃପାଣ ଧରି ଛେଦିଲା ସେ ସବୁଂକରି ମୁଣ୍ଡ।୧୮୭।

ଧୃଷ୍ଟଦ୍ୟୁମନେ ଦେଖି ତାହାର ପିତାର ବଇରି

ପାଞ୍ଚାଳୀ ଦ୍ୱାରେ ପଶିଣ ତାହାକୁହିଂ ମାରି।୧୮୮।

ପାଞ୍ଚାଳୀକୁମରେ ଶୋଇଥିଲେ ପଲଂକର

ପାଣ୍ଡବେ ବୋଲି ଛେଦିଲା ତାହାଂକରି ଶିର।୧୮୯।

ପାଞ୍ଚଂକରି ମୁଣ୍ଡ ଘେନିଗଲା ଭାରକରି ନିଶାରାତି

ଦ୍ରିଯୋଧନ ଛାମୁରେ ଯାଇଂ ମିଳିଲା ପାହାନ୍ତି।୧୯୦।

ଦେଖିଣ ଅନେକ ହରଷ ହୋଇଲା କୁରୁନାହା

ସାଧୁ ସାଧୁ ଅଶସ୍ତମା ତୋହୋର ବେନିବାହା।୧୯୧।

ଅନେକ ପ୍ରଶଂସା କରୁ ପାହିଲା ରଜନୀ

ପାଞ୍ଜାଳୀକୁମାର ବୋଲି ରାଜା ଦ୍ରିଯୋଧନ ଚିହ୍ନି।୧୯୨।

ହରଷ ଛାଡ଼ି ରାଜା ବିରସ ହୋଇଲା

ଅନେକ ଧିକାର କରି ଅଶସ୍ତମାଂକୁ ବୋଇଲା।୧୯୩।

ପାଞ୍ଚାଳୀକୁମାରନ୍ତ ଚାହିଂ ହୃଦରେ ଲଗାଇଲା

ପାଞ୍ଚମୁଣ୍ଡ ଧରି କୋଳେ ପ୍ରାଣ ବିସର୍ଜିଲା।୧୯୪।

ଶୁଣ ଦେବ ପିତାମହ ପଚାରିଲ ଯାହା

ସାବଧାନ ହୋଇ ତଲ୍ଲେ କରି ମୁଂ କହିଲଇଂ ତାହା।୧୯୫।

କର୍କଶ ମଧୁପିଙ୍ଗଳ ମାନଚକ୍ରବ୍ରତୀ

ଅଷ୍ଟଦିନେ ପ୍ରଦାନ ସେ ହୋୟେ ଭାନୁମତୀ।୧୯୬।

ଅନୁବ୍ରତେ ବରବେଶ ହୋଇଥାଇ କୁରୁବୀର

ଦେବାସୁର ବ୍ରହ୍ମାଂକୁ ନୁହଇ ନମସ୍କାର।୧୯୭।

କୁରୁପାଣ୍ଡବଂକର ତାତ ୟେଡ଼େକ ମହିମାଂ ୟେଡ଼େ ବଡ଼ ବଂଶ

ୟେକା ଦ୍ରିଯୋଧନ ଜଣକେ ଓହୋକୁଳ ଗଲା ନାଶ।୧୯୮।

ଉତ୍ତରେ ୟେକ ଊଣା ଚାଳିଶି ସହସ୍ର ନୃପତି

ପଛିମେ ଦୁଇ ଊଣା ପାଞ୍ଚ ସହସ୍ର ନୃପତି।୧୯୯।

ୟେକ ଊଣା ସାତ ସହସ୍ର ରାଜା ଦକ୍ଷିଣେ

ୟେକ ଊଣା ତିନି ସହସ୍ର ରାଜା ପୂର୍ବ ଦିଗ ଈଶାନ୍ୟ କୋଣେ।୨୦୦।

ବ୍ରହ୍ମ କ୍ଷତ୍ରିୟ ବଇଶ୍ୟ ଶୂଦ୍ର ଦଇତ ପିଚାଶ ରାକ୍ଷସ

କନ୍ଧମହ୍ଲାର ଚାଣ୍ଡାଳ ଆଦି ଯେତେ ବଂଶ।୨୦୧।

ୟେ ବିଧିରେ ଅଷ୍ଟାଦଶ ବଂଶେ ନିମନ୍ତ୍ରଣ ପାଇ ଅଇଲେ ଚାରିଊଣା ଲକ୍ଷେରାଜା

ଯେ ଯାହାର ଅନରୂପେ ଆସିଣ କଲେ ପାଦପୂଜା।୨୦୨।

ଚାରିଦିଗରେ ସତାଣୋଇ ସହସ୍ର ନୃପତି

ୟେତେକ ରାଜା ହୋଇଲେ ମାନଗୋବିନ୍ଦର କତି।୨୦୩।

ଚାରିଦିଗରୁ ଚାରିଊଣା ତିନିସହସ୍ର ରାଜା

ସର୍ବେ ୟେତେକ କଲେ ପାଣ୍ଡେବଂକୁ ପୂଜା।୨୦୪।

ଭୋ ତାତ ପାଞ୍ଚପଦ୍ମ ରଥୀ ବାସ୍ତୋରି ପଦ୍ମ ହାଥୀ

ବିଶାଶତେ ସାଗର ଅଶ୍ୱ ଅଶୀସହସ୍ର ମୁକୁଟବନ୍ଧା ଯୋଦ୍ଧା ମାନଗୋବିନ୍ଦର କତି।୨୦୫।

ଭୋ ତାତ ପାଣ୍ଡବଂକର ତିନି ମର୍ଭୁତ ରଥୀ ବତିଶ ମର୍ଭୁତ ହାଥୀ

ପାଞ୍ଚବୃନ୍ଦ ଅଶ୍ୱ ବାସ୍ତରୀ କ୍ଷେଉଣୀ ପାଦାନ୍ତି।୨୦୬।

ପାଣ୍ଡବଂକ ଥାଠେ ଥିଲେ ୟେତେକ ଯେ ବଳ

ଦୁଇ ବାସ୍ତୋରୀ କ୍ଷଉଣୀ ବଳ ଥିଲେ ମାନଗୋବିନ୍ଦ
ମହୀପାଳ।୨୦୭।

ପୂର୍ବେ ପାଣ୍ଡବେ ଯେ ପଛିମେ କଉରୋବେ

ପ୍ରଥମେ ସେନାପତି ଯେ ହୋଇଲେ ଗାଙ୍ଗବେ।୨୦୮।

ଦଶଦିନ ସମରେ ଶର ଶେଯ୍ୟା କଲେକ ଗାଙ୍ଗବେ

ଦ୍ରୋଣ ଶିରଚ୍ଛେଦ ହେଲେ ପାଞ୍ଚଦିନ ମଧ୍ୟେ।୨୦୯।

କର୍ଣ୍ଣ କୃପ ଶଲ୍ୟ ହୋଇଲେ ତିନି ଦିନ

ଅଷ୍ଟାଦଶ ଦିବସେଣ ହତ ହୋଇଲେ ସର୍ବସଇନ।୨୧୦।

ୟେତେକ ସଇନ ତାତ ଓହୋବଳର ମଲେ

ଆଜଦିନ ସରିକି ତାତ ତେରଜଣ ଯେ ରହିଲେ।୨୧୧।

ବସୁଦେବ ବୋଇଲେ ବାବୁ ଶୁଣ ନାରାୟଣ

ୟେଡ଼େ ବଡ଼ ସମରେ ରହିଲେ କେ କେ ତେରଜଣ।୨୧୨।

ଗୋବିନ୍ଦେ ବୋଇଲେ ତାତ ଶୁଣିମା ସାବଧାନ

ପ୍ରଥମେ ବର୍ତ୍ତିଲେ ଯେ ପାଣ୍ଡବ ପାଞ୍ଚଜଣ।୨୧୩।

ଅଶସ୍ତମା କୃପ ଆଚାର୍ଯ୍ୟ ବିଦୁର ଧୃତରାଷ୍ଟି

ସଞ୍ଜୟେ ମୁହିଂ ସାତୁତି ଦୃଦକ୍ଷ ଦ୍ରିଯୋଧନର କନିଷ୍ଠି।୨୧୪।

ଯୁଝେଷ୍ଠି ତହିଂ ଦୃଦକ୍ଷ ପଶିଲା ଶରଣ

ବିଦୁର ବ୍ରତିଲା ଯେ ନପଶିଲା ରଣ।୨୧୫।

ମୋତେ ଲେଖ ତାତ ତେର ଜଣର ମଧ୍ୟେ

ଆଉମାନେ ସବୁ ଯେ ପଡ଼ିଲେ ଘୋରଯୁଦ୍ଧେ।୨୧୬।

ଶୁଣି ଉଗ୍ରସେନ ବହୁତ କଲା ସ୍ତୁତି

ତୁ ଦେବ ପ୍ରଳୟାନ୍ତେ ସବୁନ୍ତି କଲୁ ଉତପତି।୨୧୭।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଚାରିଖାନି

ଚଉରାଶୀ ଲକ୍ଷ ଜୀବ ଯେ ୟେ ତୋହୋର ସଞ୍ଚଣି।୨୧୮।

ପର୍ବତମାନ ଯେ ଆଠଲକ୍ଷ ଗଣି

ଛପନ କୋଟି ଜୀବଜନ୍ତୁ ୟେତେକେଣ ଗଣି।୨୧୯।

ସ୍ୱାମୀ ଦେବ ଲୋକେ ନବଲକ୍ଷ ତାରକ ବିଧି

ଅଦାରାୟେ ଚତୁର୍ଦ୍ଦଶ ଲୋକ ଜୀବ ସମ୍ପାଦି।୨୨୦।

ବିଶାଶତେ ଲକ୍ଷ ଯେ ଜଙ୍ଗମ ବଖାଣି

ୟେକୋଇଶ ଲକ୍ଷ ସ୍ୱେଦଜ ଯେ ପୁଣି।୨୨୧।

ପାତାଳରେ ନବଲକ୍ଷ ଅଛନ୍ତି ନାଗଲୋକ

ଚତୁଲକ୍ଷ ଜୀବ ଯେ ଅଛନ୍ତି ଯମଲୋକ।୨୨୨।

ୟେକୋଇଶ ଲକ୍ଷ ଯେ ଅଣ୍ଡଜ ଗଣିବଇଂ

ୟେ ବିଧିରେ ବେନି ଲକ୍ଷ ଜୀବ ଯେ ଫୁଟଇ।୨୨୩।

କ୍ଷୀର ପାନେ ଅଷ୍ଟଲକ୍ଷ ଜୀବ ଯେ ଖଟଇ

ତିରଣ ଚରି ବଞ୍ଚଇ ପାଞ୍ଚଲକ୍ଷ ଜୀବଇ।୨୨୪।

ୟେକ ଲକ୍ଷ ଜୀବନ ଜାରଜଖାନି ଅଟଇ

ଆଠଲକ୍ଷ ଜୀବ ଯେ ଜଳରେ ବ୍ରତଇ।୨୨୫।

ନବଲକ୍ଷ ବୃକ୍ଷର ଯେ ନାହିଂ ଗନ୍ଧ ବାସଇଂ

ଚାରିଲକ୍ଷ ବୃକ୍ଷର ଯେ ଗନ୍ଧ ଆମୋଦଇ।୨୨୬।

ମୂଳେ ଥୋକାୟେ ଫଳନ୍ତି ଆଠଲକ୍ଷ ବୃକ୍ଷ

ଡାଳେ ଫଳ ଫଳନ୍ତି ଯେ ୟେକୋଇଶ ଲକ୍ଷ।୨୨୭।

ସ୍ୱାମୀ ଚାରିଖାନି ଯେ ୟେକୋଇଶ ଜୀବଜନ୍ତୁ

ସ୍ୱେଦଜ ଅଣ୍ଡଜ ଉଦ୍ଭିଜ ଜାରଜ ଜାତ କଲୁ ତତ୍ତୁ।୨୨୮।

ସ୍ୱାମୀ ପୃଥୀ ଆପ ତେଜ ଯେ ବାୟିବ ଆକାଶ

ୟେ ପଞ୍ଚଭୂତ ଯେ ତୋର ଶରୀରୁ ପରକାଶ।୨୨୯।

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ଆଦି କରି

ତୁହି ସିନା ସର୍ଜନା ନାଥ କଲୁ ଦେବ ହରି।୨୩୦।

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସୁତଳ ରସାତଳ

ଅତଳ ବିତଳ ତଳାତଳ ମହାତଳ।୨୩୧।

କ୍ଷୀର ବଇକୁଣ୍ଠ ନୀଳ ବଇକୁଣ୍ଠ ଅନନ୍ତ ବଇକୁଣ୍ଠ

ଭୃଗୁ ବଇକୁଣ୍ଠ ସତ୍ୟ ବଇକୁଣ୍ଠ ଶୂନ୍ୟ ଯେ ବଇକୁଣ୍ଠ।୨୩୨।

ଜଳଧର ବଇକୁଣ୍ଠ ଶୁଦ୍ଧ ବଇକୁଣ୍ଠ ମାଧୁର୍ଯ୍ୟ ବଇକୁଣ୍ଠ

ସାଧୁ ବଇକୁଣ୍ଠ ବୁଜ ବଇକୁଣ୍ଠ ସୁମଧ୍ୟ ବଇକୁଣ୍ଠ।୨୩୩।

ଧ୍ରୁବ ବଇକୁଣ୍ଠ ମେରୁ ବଇକୁଣ୍ଠ ଉର୍ଦ୍ଧ୍ୱ ବଇକୁଣ୍ଠ

ଅଧ ବଇକୁଣ୍ଠ ଇଂଦ୍ର ବଇକୁଣ୍ଠ ବଳୟା ବଇକୁଣ୍ଠ।୨୩୪।

ମାଧବ ବଇକୁଣ୍ଠ ଶମନ ବଇକୁଣ୍ଠ ଘୋର ବଇକୁଣ୍ଠ

ସର୍ଜୁ ବଇକୁଣ୍ଠ ଶୋଷେକ ବଇକୁଣ୍ଠ ଯେ ଜଇମିନୀ ବଇକୁଣ୍ଠ।୨୩୫।

କମଳା ବଇକୁଣ୍ଠ ଆବର ଗୋପାଳ ବଇକୁଣ୍ଠ

ୟେ ବିଧିରେ ହୋଇଲା ଯେ ସତାଇଶ ବଇକୁଣ୍ଠ।୨୩୬।

ସତାଇଶ ବଇକୁଣ୍ଠ ତୋ ତହୁଂ ଉତପତ୍ତି

ତୋ ଲୋମ ମୂଳରେ କେତେ ବ୍ରହ୍ମାଣ୍ଡର ସ୍ଥିତି।୨୩୭।

ମତ୍ସ୍ୟ କଚ୍ଛପ କୋଳ ନୃସିଂଘ ବାମନ ପ୍ରଶୁରାମ

ଶ୍ରୀରାମ ବଳରାମ ବଉଧ କଳି ଅନ୍ତେ କଳକୀ ପରଂବ୍ରହ୍ମ।୨୩୮।

କାକ ରୁଦ୍ର ରୂପେ ଦହନ ସଂସାର

ଜାତ ଅନ୍ତ ମଧ୍ୟେ ଅଟୁ କାଳକାମ ସାର।୨୩୯।

ପୁରୁଷଂକ ଉତ୍ତମ ଯେବଣ ସ୍ୱାମୀ ନାମ

କେ ତୋତେ ସଞ୍ଚପି କରିତ ଅଟଇ କ୍ଷମ।୨୪୦।

ତୁଳୁସାର ବଲ୍ଲଭ ତଲୟେ ମମ ହୃଦେ

ବଦନ୍ତି ଶୂଦ୍ରମୁନି ସାରୋଳାଦାସ ପରମଆନନ୍ଦେ।୨୪୧।୭୮୬।

 

Unknown

ପାଣ୍ଡବ ବଧାର୍ଥ ଅଶ୍ୱତ୍‌ଥମାର କାଇଁଶିକା ଶର ପ୍ରୟୋଗ

ବଇବସୁତ ମନୁ ପୁଚ୍ଛାକଲେ ଅଗସ୍ତିଂକି

କୃଷ୍ଣ ଭଣ୍ଡି ଅଇଲେ କୃପ ଅଶସ୍ତମା ଦୁହିଂକି।୧।

ୟେହାନ୍ତ ଲୋଡ଼ିଲେ ଟିକି ରଜନୀ ପ୍ରଭାତେ

ୟେହା ସଞ୍ଚପିଣ କହିବା ମୁନି ମୋତେ।୨।

ବସନ କୁଣ୍ଡଳ ରତ୍ନମାଳ ପାଦ୍ୟ ଅର୍ଘ୍ୟ ଆସନେ

ଗନ୍ଧ ପୁଷ୍ୟ ତାମ୍ବୋଳ ଚତୁସମ ଲେପନେ।୩।

ସାଷ୍ଟାଙ୍ଗେ ପ୍ରଣପତ୍ୟ ଚରଣତଳେ ସହସ୍ରେ ଦଣ୍ଡ

କହିବା ମୁନି ମୋତେ ଅଈଷିକ ପର୍ବଖଣ୍ଡ।୪।

ଶୁଣ ବଇବସୁତ ମନୁ ବଦନ୍ତି ବ୍ରହ୍ମବେତ୍ତା

କୋଟିୟେ କଳ୍ପ ଯେବଣ ମୁନିଗ୍ୟାଂତା।୫।

ବାଳୁତ କାଳେ ମୁନି ଖେଳଇ କୁତୂହୋଳେ

ୟେକା ଚଳୁକେ କ୍ଷୀରୋଦ୍ର ଗଣ୍ଡୂଷ କଲେ ବଳେ।୬।

ସେ ମହାପ୍ରଳୟ କାଳେ ବିଷ୍ଣୁର ଗର୍ଭରେ ପଶଇ

ଜାତ ଅନ୍ତ ମଧ୍ୟେ ସେ ସମସ୍ତ ଭୂତଭବିଷ୍ୟ ଗ୍ୟାଂତା ଅବ୍ୟକତଇ।୭।

ସେ ମୁନିର ମହିମା ନ ସରଇ କହନ୍ତେ

ନମଇ ମାହେଶ୍ୱରୀ ସଦୟ କର ମୋତେ।୮।

ପ୍ରତକ୍ଷେ ହିଙ୍ଗୁଳା ଜଙ୍ଖେର ପୁର ବାସୀ

କଳିକାଳ ଧଂସିନୀ ମାଗୋ ଭଗତ ଜନତୋଷୀ।୯।

ନପଢ଼ି ପଣ୍ଡିତ ମୁଂ ସିଦ୍ଧ ସାରୋଳା ପ୍ରସନ୍ନେ

ଜନ୍ମରୁ ମୂରୁଖ ମୁଂ ଖଣ୍ଡିଲି ତବ ଦରଶନେ।୧୦।

ତେଣୁ କରି ଲେଖନ୍ତେ ମୋତେ ହୋଇଲାକ ଦୃଶ

ତାହାଂକ ପ୍ରସାଦେ ମୁଂ କହଇ ଦିବ୍ୟ ରସ।୧୧।

ସେ ମୁନିର ଆଗ୍ୟାଂୟେ ମୁଂ ତ ଲୟେ କରି ଘେନି

ତୁଳୁସା ବଲ୍ଲଭ ଚରଣେ ଆଶ ସାରୋଳଦାସ ଶୂଦ୍ରମୁନି।୧୨।

ବଇବସୁତ ମନୁ ହୋଇ ଅଛନ୍ତି ଶ୍ରୋତା

ମହାପଣ୍ଡିତ ବ୍ରହ୍ମବେତ୍ତା ଅଗସ୍ତି ସ୍ୱୟେଂ ବକତା।୧୩।

ୟେ ଶ୍ରୀମହାଭାରଥ କର ରାଜା ହେତୁ

ବନ୍ଧନ ଫିଟଇ ମୃତୁ ଫିଟଇ ଶୁଣିଲେ ପୁରାଣ ତତ୍ତୁ।୧୪।

ଯେବଣ ଶାହାସ୍ର ଶୁଣନ୍ତେ ରୋଗ ନ ପୀଡ଼ଇ

ଜରା ମୃତୁ ଖଣ୍ଡଇ ଆବର ପୁତ୍ର ଶୋକ ନ ଲାଗଇ।୧୫।

ଧର୍ମ ଅର୍ଥ କାମ ମୋକ୍ଷ ମିଳେ ଚଉବର୍ଗ

ଯମଦଣ୍ଡ ବଞ୍ଚାଇ ସେ ବସଇ ଅକ୍ଷୟ ସ୍ୱର୍ଗ।୧୬।

ଆୟୁଷ ଧନସମ୍ପଦ ମୋକ୍ଷ କାରଣ ଯେ ଅଛି

ବିଷ୍ଣୁଲୋକେ ବସିବ ହୃଦଗତେ ଯାହାବାଞ୍ଛି।୧୭।

ଆହୋ ଚଇତନ୍ୟ କୃପ ଅଶସ୍ତମା ଭୟେଣ ଅନନ୍ତ

ଦ୍ୱାରକା ପୁରୁଂ ବାହାର କରି ନୁଆରନ୍ତି ପାଣ୍ଡବନ୍ତ।୧୮।

ତେଣୁ ସେ କପଟ କଲେ ଯେ ଦେବ ଦଇତାରି

ତାହାଂକର ଧନୁ ସହସ୍ର ଆଣିଲେ ଚୋରିକରି।୧୯।

ରଜନୀ ପ୍ରଭାତେ କୃପାଚାର୍ଯ୍ୟ ଅଶସ୍ତମା

ପର୍ବତେ ଉଠି ଡାକ ଦ୍ୟନ୍ତି କେଣେ ଗଲ ହୋ ମହାତମା।୨୦।

ରଜନୀ ପ୍ରଭାତରେ ଲୋଡ଼ନ୍ତି ଚଉକତି

ନ ପୁଣ ବିପ୍ରକୁ ବ୍ୟାଘ୍ର ଭାଲୁଂକ ନାଶ କରିଥାନ୍ତି।୨୧।

ପ୍ରେତ ଭୂତ ଦଇତ ଯେ ଦାନବ ରାକ୍ଷସ

ନପୁଣ ବ୍ରାହ୍ମଣ ଗୋଟିକି ପାଇ ହାଦେ କଲେ ନାଶ।୨୨।

ଅପାର ଗହନେ ଯହୁଂ ନପାଇଲେଲୋଡ଼ି

କପାଳ ଲୋଚନ ତୀର୍ଥେ ଆସିଲେ ବାହୁଡ଼ି।୨୩।

ଓଡ଼ପାର ତୁଠେ ଲୋଡ଼ନ୍ତି ଉପନେସି

ଅପାର ପାଦ ସଞ୍ଚା ଅଛି କେ ଅବା ଥିଲା ୟେଥେ ପଶି।୨୪।

ପୁଣ ଦେଖିଲେ ବାହୁଡ଼ ପାଦ ଅଛି ପଡ଼ି

ବିଂଘସିତ ପଦ୍ମ ଚିହ୍ନ ଅଛି ତହିଂ ଜଡ଼ି।୨୫।

କେବଣ ରାଜା ୟେଥି ଭିତରେ ଥିଲା ପଶି

ଆମ୍ଭ ଶହସ୍ରମାନନ୍ତ କେ ଘେନିଗଲା ଆସି।୨୬।

ଧ୍ୟାନ କରି ତାହା ଜାଣିଲେ କୃପ ଯେ ଆଚାର୍ଯ୍ୟ

କପଟେ ଧନୁଶସ୍ର ହରିଲେ ଦେବରାଜ।୨୭।

ସମାଦି ଜାଣିଲେ ଅଶସ୍ତମା ବଡ଼ ଦୋଷୀ

ଅଗ୍ୟାନ ବାଳପୁଅନ୍ତ ଅନମିତେ ନାଶି।୨୮।

କୃପାଚାର୍ଯ୍ୟେ ବୋଇଲେ ଶୁଣ ହୋ ଅଶସ୍ତମା

ପାଞ୍ଚାଳୀ କୁମର ନାଶ କଲୁ ହୋ ମହାତମା।୨୯।

ତେଣୁ କରି ଶ୍ରୀକୃଷ୍ଣଂକୁ ଲାଗିଲା ବଡ଼ ଭୟେ

ଜଗବନ୍ଦନନାଥ ରଞ୍ଚିଲେ ଉପାୟେ।୩୦।

ଆମ୍ଭର ତୁଲେ ଥିଲେ ସେ ବିପ୍ର ରୂପ ଧରି

କପାଳେଶ୍ୱର ତୀର୍ଥରୁ ନେଲେ ଶହସ୍ର ଚୋରି କରି।୩୧।

ଧ୍ୟାନେ ଜାଣିଣ ଯହୁଂ କହିଲେ କୃପବ୍ରହ୍ମା

ରାଗେଣ ଅଧର କାମୋଡ଼ିଲ ଅଶସ୍ତମା।୩୨।

ୟେହେନେକ କୃତ୍ୟ ଯେବେ କଲାକ ଦେବରାଜ

କେବଣ ମତେ ପାଣ୍ଡବନ୍ତ ସେ ରକ୍ଷା କରିବଇ ଆଜ।୩୩।

ମାରିବି ପାଣ୍ଡବନ୍ତ ଶ୍ରୀକୃଷ୍ଣ ସହିତେ

ଦ୍ୱାରିକାପୁର ଆଜ କରିବି ଭଗନସ୍ତେ।୩୪।

କୃପଆଚାର୍ଯ୍ୟେ ବୋଇଲେ ଶୁଣ ଅଶସ୍ତମା

ଶ୍ରୀକୃଷ୍ଣର ତୁଲେ ତୋର କିସ ୟେଡ଼େକ ଗାରିମା।୩୫।

ଅଶସ୍ତମା ବୋଇଲେ ଶୁଣ ମାମୁଂ କୃପ

ଶ୍ରୀକୃଷ୍ଣେ ଆଶ୍ରେ କରି ପାଣ୍ଡବଂକର ୟେଡ଼େ ଦର୍ପ।୩୬।

ଅନେକ ପ୍ରତଗ୍ୟାଂ ଯେ କରଇ ମହାଛତ୍ରୀ

କୃପେ ବୋଇଲେ କିସ ଘେନି କୃଷ୍ଣର ତୁଲେ ୟେଡ଼େକ ଅପ୍ରୀତି।୩୭।

ହାଥେ ନାହିଂ ତୋର ସହସ୍ର ଆୟୁଧ

କିସ ଘେନି କୃଷ୍ଣ ପାଣ୍ଡବ ତୁଲେ କରିବୁ ତୁ ଯୁଦ୍ଧ।୩୮।

କୃପଂକର ବଚନେ ଭାରଦ୍ୱାଦଶଂକ ନାତି

କାଇଂଶ ବୃକ୍ଷ ଗୋଟିଏ ଓପାଡ଼ିଲେ ତତକ୍ଷଣାନ୍ତି।୩୯।

ପବନ ଆଗତ ପ୍ରାୟେ କମ୍ପଇ ତାର କାୟେ

ଆକ୍ରେଷି ଉପାଡ଼ନ୍ତି କାଇଂଶ ଗୋଟାୟେ।୪୦।

ନହେ ଚିରିଣ ତାହା ବେନି ଫାଳ କରି

ବଡ଼ ଫାଳ ଗୋଟିୟେ ଧନୁ କରି ଧରି।୪୧।

ସାନ ଫାଳକରୁ ଅନ୍ତ ଯେ ଛିଣ୍ଡାଇ

ଯତନ କରି ମୋଡ଼ି ଗୁଣ କରି ଚଢ଼ାଇ।୪୨।

ନାରାଜ କଲା ତହିଂ କାଇଂଶ ଅଗ୍ର ଗୋଟି

ସେ ଧନୁରେ ବସାନ୍ତେ ତେଜ ଅଗ୍ନି ପ୍ରାୟେ ଘୋଟି।୪୩।

ମହା ବ୍ରହ୍ମମନ୍ତ୍ର ପଢ଼ିଣ ମହାବଳୀ

ଓଟାରନ୍ତେ ଧନୁ ତେଜ ଘୋଟିଲା ଅଂଶୁମାଳୀ।୪୪।

ଅଶସ୍ତମାବୋଇଲାହୋଯିବୁତୁବ୍ରହ୍ମଶର

ୟେହି କ୍ଷଣି ଶିରଚ୍ଛେଦନ କର ପାଣ୍ଡବ ପାଞ୍ଚ ବୀର।୪୫।

ତାହାନ୍ତ ଯେବେ ଆବୋରଇ ଚକ୍ରଧାରୀ

ତାହାକୁ ସହିତେ ପକାଇବୁ ମାରି।୪୬।

ପୁଣି ବୋଇଲା ଯାଦବ ହରିର ସାତବଂଶ

ସବୁନ୍ତି ଛେଦିପକା ନଥାଉ ତାଂକ ଲେଶ।୪୭।

ଅନେକ ତିଆରି ସେ ପେଷିଲେ ମହାମନ୍ତ୍ର ବଳେ

ଚଳିଲା ନାରାଜ ଯେ ଗଗନ ମଣ୍ଡଳେ।୪୮।

ୟେକା ନିମିଷକେ ଦ୍ୱାରିକାପୁର ଭେଟି

ଗମଇ ଅନ୍ତରୀକ୍ଷେ ଆକାଶ ମଣ୍ଡଳେ ଘୋଟି।୪୯।

ଆହୋ ଚଇତନ ଯେସନେ ଉଲୁକାପାତ ଦିଶଇ ଆକାଶୁଂ

ନବଦ୍ୱୀପ ସପତ ସାଗର ଖଳବଳ ହୋଉଅଛି କାଇଂଶିକା
ଶର ଆସୁଂ।୫୦।

ଶୂନ୍ୟ ଭେଦି ଯେହ୍ନେ ଆସଇ ପୁଣ ପୁଣ

ତିନିଭୁବନ ଘୋଟି ଆସୁଅଛି ଅଶସ୍ତମାର ବାଣ।୫୧।

ପବନ ଫାନ୍ଦିଲା ଆଦିତ୍ୟ ତେଜ ଜ୍ୟୋତି

ଦ୍ୱାରିକା ଲୋକମାନେ ଖଳବଳ ତ ହୋଉଛନ୍ତି।୫୨।

ଭୋ କୃଷ୍ଣ ରଖ ବୋଲି ଅଦଭୂତେ ଶୁନ୍ୟେ ଶୁଭଇ ବାଣୀ

ଆଉଟି ହୋଉଅଛି ସପତ ସିନ୍ଧୁ ପାଣି।୫୩।

ଶ୍ରୀକୃଷ୍ଣ ପଚାରିଲେ ଆହୋ ଶୁଣ ସହଦେବ

ଯୁଗ ଅନ୍ତକାଳେ ପ୍ରାୟେ ଦିଶଇ ଅସମ୍ଭବ।୫୪।

ସହଦେବ ବୋଇଲେ ଶୁଣିମା ମଧୁରିପୁ

ତୁ ଦେବ ସଂସାର ସୟଳ ଆଧିପୁ।୫୫।

କୃପ ଅଶସ୍ତମାର ଯହୁଂ ହରିଲୁ ଧନୁ ତ୍ରୋଣ

ତେଣୁ କୋପେ ଅଶସ୍ତମା ପେଷିଲା କାଇଂଶିକା ବ୍ରହ୍ମବାଣ।୫୬।

ଅଶସ୍ତମାର ମନ୍ତ୍ରେ ସେ ବ୍ରହ୍ମଶର ଅଟଇ

ପଡ଼ିଲେ ଅବଶ୍ୟ ଦେବ ମେରୁ ଗିରି ତୁଟଇ।୫୭।

ଯଦ୍ୟପି ତୋ ଦ୍ୱାରିକାରେ ପଡ଼ିବ ୟେହିକ୍ଷଣି

ଛପନ କୋଟି ଯାଦବ ସାତବଂଶେ ନିମିଷକେ ଯିବ ହାଣି।୫୮।

ଶୁଣିଣ କୋପାନଳ ଦେବ ଯେ ଶ୍ରୀବଚ୍ଛ

ୟେହାକୁ କିସ ଶର ପେଶିବା ସମକଚ୍ଛ।୫୯।

ଶ୍ରୀକରେ କୋଦଣ୍ଡ ଯେ ଧରିଣ ଦେବହରି

ଅଶସ୍ତମାର ଶରକୁ ଶ୍ରୀକୃଷ୍ଣ ପ୍ରତିକଚ୍ଛ ଶରମାରି।୬୦।

ପର୍ବତା ଶହସ୍ରେକ ପେଷିଲେ ବନମାଳୀ

କାଇଂଶିକା ଶର ତେଜେ ଶ୍ରୀକୃଷ୍ଣଂକର ଶର ଗଲା ଜଳି।୬୧।

ଲକ୍ଷେକ ପର୍ବତ ଯହୁଂ ହୋଇଲାକ ଭସ୍ମ

ଦେଖିଣ ବିସ୍ମୟେ ଯେ ହୋଇଲେ ଶ୍ରୀପୁରୁଷୋତ୍ତମ।୬୨।

ଲକ୍ଷେକ ଯୋଜନ ଯେ କାଇଂଶିକା ଶସ୍ର ଥିଲା

ଅଶି ସସ୍ର ଯୋଜନରେ ଆସିଣ ହୋଇଲା।୬୩।

କୋପେଣ କେଶବ ନିର୍ଘାତ ବାଣ ପେଷି

କାଇଂଶିକା ଶରଘାତେ ହୋଇଲା ଭସ୍ମରାଶି।୬୪।

ପୁଣି ପେଷିଲେ ସ୍ୱାମୀ ସହସ୍ର ଧାରା ଶକତି

କାଇଂଶିକା ଶରେ ପଡ଼ି ହୋଇଲା ଭସ୍ମ ଗତି।୬୫।

ଅଶିସହସ୍ରଯୋଜନେ କାଇଂଶିକା ଶର ଥିଲା

ଷାଠିୟେ ସହସ୍ର ଯୋଜନେ ଆସିଣ ମିଳିଲା।୬୬।

ପୁଣ ପେଷିଲେ ଦେବ ଅମୋଘ ଶକତି

କାଇଂଶିକା ଶର ଉପରେ ପଡ଼ି ଦହିଜ ହେଲା ତତକ୍ଷଣାନ୍ତି।୬୭।

ପୁଣ ନାରାୟଣ ଯେ ବିନ୍ଧିଲେ ତୀକ୍ଷମୁନା

କାଇଂଶିକା ଶରେ ପଡ଼ି ହୋଇଲାକ ଚୂନା।୬୮।

ଚାଳିଶ ସହସ୍ର ଯୋଜନେ କାଇଂଶିକା ଶର ଥିଲା

ପୁଣି ଚାଳିଶ ସହସ୍ର ଯୋଜନେ ବିକାଶିଲା।୬୯।

ଚାଳିଶ ସହସ୍ର ଯୋଜନେ କାଇଂଶିକା ରହିଲା

ମହା କ୍ରୋଧଭରେ ତାର ତେଜ ଯେ ଅଚାର୍ଗଳା।୭୦।

କୋପେ କେଶବ ବିନ୍ଧିଲେ ତେଜାନଳ ବାଣ

କାଇଂଶିକା ଶରରେ ପଡ଼ି ଲିଭିଲା ତକ୍ଷଣ।୭୧।

ଚାଳିଶ ସହସ୍ର ଯୋଜନେ କାଇଂଶିକା ଶର ଥିଲା

କୋଡ଼ିୟେ ସହସ୍ର ଯୋଜନେ ଆସିଣ ହୋଇଲା।୭୨।

ବଜ୍ରାବଳୀ ଗଦା ଯେ ଛେଲ ଚକ୍ରକାନ୍ତି

କାଇଂଶିକା ଶରକୁ ଯେ ମାଇଲେ ଶ୍ରୀପତି।୭୩।

ପଡ଼ିଣ ଗଦାଚକ୍ର ଯେ ଧୂଳି ହୋଇଗଲା

ମହାତେଜ ହୋଇଣ ଯେ କାଇଂଶିକା ଶର ଉଠିଲା।୭୪।

କୋଡ଼ିୟେ ସହସ୍ର ଯୋଜନେ କାଇଂଶିକା ଶର ଥିଲା

ଦଶସହସ୍ର ଯୋଜନେ ଆସିଣ ହୋଇଲା।୭୫।

ଆହୋ ଚଇତନ ତୃଣକାଷ୍ଠ ବୃକ୍ଷ ଯେ ଅନେକ ଥିଲା ମହୀସ୍ଥଳି

ଶହସ୍ର ଅଗ୍ନି ତେଜରେ ସମସ୍ତ ଗଲେ ଜଳି।୭୬।

ସହଦେବ ବୋଇଲେ ସ୍ୱାମୀ ନ ଘୁଞ୍ଚଇ ବାଣ

ଦ୍ୱାରିକା ଦହନ ତୋର ହୋଇବ ୟେହିକ୍ଷଣ।୭୭।

ଅପାଲଟକ ବାଣ ଅଟଇ କାଇଂଶିକା

ସମସ୍ତ ଦହନ କରିବ ରହି ନୁଆରିବ ଦ୍ୱାରିକା।୭୮।

ଅଶସ୍ତମା ବୋଇଲେ ପଞ୍ଚୁପାଣ୍ଡବ ବାସୁଦେବ ସହିତେ

ଦ୍ୱାରିକା ସାତବଂଶ ଛେଦିପକାଅ କୋପଚିତ୍ତେ।୭୯।

ଆମ୍ଭନ୍ତ ରକ୍ଷା ଯେବେ କରିବୁ ନାରାୟଣ

ବିଚାରକର କାହାକୁ ଦେବା ୟେକ ଜଣ।୮୦।

ଲକ୍ଷେକ ଯୋଜନେ ସେ ଯେ ବାଣ ରହିଥିଲା

ତୋର ଶହସ୍ର ବିନ୍ଧନ୍ତେ ଦଶସହସ୍ରେ ରହିଲା।୮୧।

ସୟଳ ଚିନ୍ତାମଣି ତୁ ଜାଣୁ ଯେ କାଇଂଶିକା

ରହିଛି ଆକାଶେଣ ବିଚାର ଯେ ୟେକା।୮୨।

ତୁ ଦେବ ଜଗୁଜୀବନ ଚକ୍ରକୂଟ ବୁଦ୍ଧି

ତୋହୋର ବୋଲେ ସେ ଜଣେକେ ହୋଅଇ ପ୍ରବୋଧି।୮୩।

ପାଣ୍ଡବେ ଭିତରୁ ସେ ଜଣେକ ପ୍ରଭୁ ଦେଇ

ସେ ବ୍ରହ୍ମଶରକୁ ଯେ କହିବା ବିନୋୟୀ।୮୪।

ଗୋବିନ୍ଦେ ବୋଇଲେ ହୋ ତୁମ୍ଭେ ପାଞ୍ଚେହେଂ ମୋହୋର ଆତ୍ମା

କାହାକୁ ବିଚାରି ହୋ ଦେବାକ ମହାତମା।୮୫।

ସହଦେବ ବୋଇଲେ ହରି ତୋହୋର ଯେ ବିଚାର

ୟେହିକ୍ଷଣି ବିଳମ୍ବ ନକରିବା ଦାମୋଦର।୮୬।

ଜଣେ ଦିଲେ ଯେବେ ସକଳ ହୋଇବ ରକ୍ଷା

ୟେହାଉଂ ହରି ଆଉ କିସ କରୁ ପୁଚ୍ଛା।୮୭।

ଅଶସ୍ତମା ପେଷିଲାଟି ଯେ ଲୋକ ନାମ ଧରି

ବ୍ରହ୍ମା ରୁଦ୍ର ଇନ୍ଦ୍ର ଚନ୍ଦ୍ର ଦିବାକର ରଖିତ ନୁଆରି।୮୮।

ଗୋବିନ୍ଦ ବୋଇଲେ ଯେ କାହାକୁ ୟେଥେ ଦେବି

କାଇଂଶିକା ଶରକୁ ଦେଖି ନାରାୟଣ ଶର ପେଷିବି।୮୯।

ୟେତେକ ବୋଲିଣ ଦେବ ଜନାର୍ଦ୍ଦନ

ନାରାୟଣ ଶହସ୍ର ଦେବ ପେଷିଲେ ତତକ୍ଷଣ।୯୦।

କାଇଂଶିକା ଶର ତୁଲେ ନାରାୟଣ ଶର ଭେଟି

ବେନି ଶର ଉଚ୍ଚ ସ୍ତରରେ ବ୍ରହ୍ମାଣ୍ଡଯାକ ଘୋଟି।୯୧।

ବିହନ୍ତା ପୁରୁଷ ସେ କହେ ଚତୁରାନନ

ମୃତୁମଣ୍ଡଳ ତୋର ୟେହିକ୍ଷଣି ହୋଇବ ଦହନ।୯୨।

ଅଶସ୍ତମା ପେଷିଛି କାଇଂଶିକା ନାରାଜ

ନାରାୟଣ ସହସ୍ର ପେଷିଲେ ଦେବରାଜ।୯୩।

ଦୁଇ ସହସ୍ର ଭେଟି ହୋଇଲେ ପଡ଼ିତାଳ

ୟେହିକ୍ଷଣି ଦହନ ହୋଇବ ମୃତୁମଣ୍ଡଳ।୯୪।

କାଇଂଶିକା ଶର ପେଷିଲେ ଦ୍ରୋଣଂକର ତନୁ

ସମସ୍ତ ଭୁବନ ଘୋଟିଲା ସେ ଶର ଆଧାନୁଂ।୯୫।

ମନ୍ତ୍ରେଣ ହୋଇଲା ସେ ଦେବ ବ୍ରହ୍ମଶର

ନାରାୟଣ ଶହସ୍ରୁଂ ଅଧିକ ତେଜ ତାହାର।୯୬।

କାଇଂଶିକା ଶର ପ୍ରତକ୍ଷେ ଅଟଇ ବେଦବ୍ରହ୍ମା

ନାରାୟଣ ଶର ପ୍ରତକ୍ଷେ ଅଟଇ ସେ ବିଷ୍ଣୁ ମହାତମା।୯୭।

ଆହୋ ମହାତମା ବ୍ରହ୍ମଶର ବିଷ୍ଣୁଶର ଦୁହେଂ ହୋଇଲେ ୟେକ ମୁଖ

ଶାନ୍ତି ନ ଭଜନ୍ତି ସେ ଦୁହେଂ ଅଟନ୍ତି ମହାତୀକ୍ଷ।୯୮।

ବିହନ୍ତା ପୁରୁଷଂକର ବଚନେ ଅଇଲେ ବେଦପତି

ମରାଳ ବାହାନେ ଦେବ ବିଜେକଲେ ତତକ୍ଷଣାନ୍ତି।୯୯।

ବାମେ ଗୁରୁବଦନ ଡାହାଣେ ଦେବ ଧାତା

ଆଗେ ବ୍ରହ୍ମ ବଦନ ପଛେ ବିରଞ୍ଚି ଦେବତା।୧୦୦।

ବ୍ରହ୍ମାଂକ ବଦନେ ଥାଇ ଋଷି ବେଦଗତି

ଡାହାଣେ ଧାତା ବଦନେ ଯଜୁର୍ବେଦ ଉଚ୍ଚାରନ୍ତି।୧୦୧।

ବାମେ ଗୁରୁ ବଦନେ ଧନୁର୍ବେଦ ସଞ୍ଚି

ଶିଶୁମୁନା ବେଦ ଭାଷଇ ମନେଣ ବିରଞ୍ଚି।୧୦୨।

ୟେ ବିଧିରେ ଚତୁର୍ବଦନେ ବେଦପତି

କାଇଂଶିକା ଶରକୁ ତୁସ୍ତି କରଇ ଅପ୍ରମିତି।୧୦୩।

ତୁମ୍ଭେ ଯେ ବ୍ରହ୍ମଶର ଅଦଭୁତେ ଆୟେ

ଅଣାକାର ବ୍ରହ୍ମ ତୁମ୍ଭେ ଅବ୍ୟୟେ ଅକ୍ଷୟେ।୧୦୪।

ଅନାଦି ପୁତ୍ର ସେ ଯେ ଭରଦ୍ୱାଜଂକର ନାତି

ରାଗେ କାଇଂଶିକା ଶର ପେଷି ହୋଇଲା ଉଗ୍ରମୂର୍ତ୍ତି।୧୦୫।

ଅନିବାରଣ ଶର ତାର ନିବାରଣ ନାହିଂ

ତାର ପ୍ରତିକକ୍ଷା ଶର ନଜାଣନ୍ତି କେହି।୧୦୬।

ଶ୍ରୀକୃଷ୍ଣ ପେଷିଲେ ତୋତେ ଯେ ଅନିର୍ଯାପ ବାଣ

ତାଂକର ଶହସ୍ର ଘାତେ ନୋହିଲୁ ନିବାରଣ।୧୦୭।

କାଇଂଶିକା ଶର ତେଜ ଅଟଇ ଅଦ୍ୟାପି

ବ୍ରହ୍ମାୟେ ତାହାନ୍ତ ଅଜପାୟେ ଜପି।୧୦୮।

ପଞ୍ଚାଉନ ସହସ୍ର ଜପିଲେ ଅଜପା କାଳେ

ଶୁଣି ଶାନ୍ତି ହୋଇଲେ ଦାତାର ମନ୍ତ୍ରବଳେ।୧୦୯।

ବାଚା ଫିଟାଇଣ ସେ କହଇ କାଇଂଶିକା

କିମ୍ଭୂତେ ବେଦବର ମୋତେ କିମ୍ପାଇ ଜଗୁ ୟେକା।୧୧୦।

ଦାତା ବୋଇଲେ ତୁ ଛାଡ଼ କ୍ରୋଧମତି

ତେଜ ଗୋପ୍ୟାନ କର ଭଜି ମେଲ ଶାନ୍ତି।୧୧୧।

ବୋଲଇ କାଇଂଶିକା ମୋହୋର କିସ ଦୋଷଅଛି

ଦ୍ରୋଣଂକର ନନ୍ଦନ ଅଶସ୍ତମା ମୋତେ ଯେ ପେଷିଛି।୧୧୨।

ପଞ୍ଚୁପାଣ୍ଡବ ବାସୁଦେବ ସାତବଂଶ ସହିତେ

ଦ୍ୱାରିକା ନାଶକର ବୋଲି ବୋଇଲା ଅଶସ୍ତମା ମୋତେ।୧୧୩।

ବ୍ରହ୍ମା ବୋଇଲେ ସେ ପେଷିଲା ଅତିରାଗେ

ସେମାନେ ନାଶ ନ ଯାନ୍ତି କେହୁଣସି ଯୋଗେ।୧୧୪।

ପାଣ୍ଡବ ପାଞ୍ଚଭାଇ ଶ୍ରୀକୃଷ୍ଣ ଆଦିକରି

ଭାରାଭାର ନିବାରିବା ନିମନ୍ତେ ଅଛନ୍ତି ମାନବେ ଅବତରି।୧୧୫।

ଦ୍ୱାରିକାର ଲୋକ ଅଟନ୍ତି ଅଦୋଷୀ

ତୁହୋ ବ୍ରହ୍ମଶର କେମନ୍ତେ ତାହାନ୍ତ ଯିବୁ ନାଶି।୧୧୬।

ବହୁତ ବିନୋୟୀ ଯେ ବୋଇଲେ ପଦ୍ମଯୋନି

ଯାଅ ଯାଅ ବାହୁଡ଼ି ତୁ ମୋହୋର ବୋଲ ଘେନି।୧୧୭।

କାଇଂଶିକା ଶର ବୋଲଇ ପଞ୍ଚୁପାଣ୍ଡବନ୍ତ ଛାଡ଼ିଲି ଯେବେ ୟେଣେ

ପାଣ୍ଡବ ସମାନ କରିଦେବାକ ମୋତେ ଜଣେ।୧୧୮।

ଧାତା ବୋଇଲେ ବିରାଟର ଝିଅ ଉତ୍ତୁରୀ

ଅଭିମନ୍ୟୁ ଭାରିଯା ଯେ ହୋଇଛି ଗର୍ଭଧାରୀ।୧୧୯।

ତାହାର ଗର୍ଭେଣ ଅଛି ଯେବଣ ଯେ ବଳା

ତାହା ଛେଦନ କରି ତୁ ବହନ ହୋଇ ପଳା।୧୨୦।

ଧାତା ସ୍ତୁତି କଲେ ପୁଣ ନାରାୟଣ ଶରକୁ

ତୁ ବେଗେ ବାହୁଡ଼ିଯାଅ ଯେ ବଇକୁଣ୍ଠ ଭୁବନକୁ।୧୨୧।

ନମଇ ନାରାୟଣ ଯେ ଅଣାକାର ମୂରତି

ସକଳ ଭୁବନରେ ତୋର ବିକାଶଇ ଜ୍ୟୋତି।୧୨୨।

ନମଇଂ ନାରାୟଣ ପରମ ଦୟାଳୁ

ଚଉଦ ଭୁବନ ଲୋକନ୍ତ ତୁହି ସେ ପ୍ରତିପାଳୁ।୧୨୩।

ନମଇଂ ନାରାୟଣ ଚଉଦ ଭୁବନ ଅଧିପତି

ତୁ ହିସଞ୍ଚିଅଛୁ ନାଥ କେମନ୍ତେ କରିବୁ ବିନଶ୍ୟତି।୧୨୪।

ନମସ୍ତେ ନାରାୟଣ ଯେ ଶରଣ ପଞ୍ଜର

ନମଇଂ ନାରାୟଣ ଯେ କୋପ ଶାନ୍ତିକର।୧୨୫।

ବହୁତ ବିନୋୟୀ କହିଲେ ନାରାୟଣ ଶରକୁ

ସନ୍ତୋଷ ହୋଇଣ ସେ କହିଲେ ବିଧାତାକୁ।୧୨୬।

ବାହୁଡ଼ିଯିବୁ ଆମ୍ଭେ ବଇକୁଣ୍ଠ ଭୁବନକୁ

କାଇଂଶିକା ଶରକୁ ତୁମ୍ଭେ ବାହୁଡ଼ାଇ ନିଅ ନିଜ ପୁରକୁ।୧୨୭।

ପିତାର ବଚନେ ସେ ପଶିଲା ପାତାଳେ

କାଇଂଶିକା ପଶିଲା ଯେ ଉତ୍ତରା ଶିରସ୍ଥଳେ।୧୨୮।

ଆହୋ ଚଇତନ ତାଳୁର ବାଟେ ଅଛି ବ୍ରହ୍ମଦ୍ୱାର

ସେ ଦ୍ୱାର ଭେଦିଲା ଅଶସ୍ତମା କାଇଂଶିକା ଶର।୧୨୯।

ତାଳୁରେ ପଶି ଗର୍ଭେ ପଶି ଫୁଟି

ଗର୍ଭେ ଦେଖିଲା ସେ ଯେ ବାଳୁତ ପୁତ୍ରଗୋଟି।୧୩୦।

ସେ ବାଳକର ତାଳୁରେ ଶର ଗଳି

ଅଷ୍ଟାଙ୍ଗ ଭେଦିଣ ପାଦେଣ ନିକିଳି।୧୩୧।

ବାଣ ପଶିଲା ସେ ଶୂନ୍ୟ ଭୁବନରେ

ମୂର୍ଚ୍ଛାଗତ ହୋଇ ଉତ୍ତରା ପଡ଼ିଲା ଅସାଷ୍ଟମରେ।୧୩୨।

ଆହୋ ଚଇତନ ସାତମାସ ସାତଦିନର ଅଟଇ ସନ୍ତତି

ଅଶସ୍ତମାର ଶର ପଡ଼ି ହୋଇଲା ବିନଶ୍ୟତି।୧୩୩।

ଦ୍ରୋପତୀ କୋଇନ୍ତା ସୋହୋଦ୍ରା ଥିଲେ ଶୋଇ

ଦେଖିଲେ ଉତ୍ତରା ଶରୀରେ ପ୍ରାଣ ନାହିଂ।୧୩୪।

କୋଇନ୍ତା ସୋହୋଦ୍ରା ଉଠିଲେ ତଡ଼ତି

ଦେଖିଲେ ଉତ୍ତରା ତହିଂ ନାହିଂତ ଜୀବତି।୧୩୫।

ସୋହୋଦ୍ରା ବୋଲନ୍ତି ଉଠକିନା ମାୟେ

ସମସ୍ୟା ନପାଇ ସେ ଧରନ୍ତି ନାଟିକାୟେ।୧୩୬।

ଅଚେତନ ଦେଖି ତାକୁ ଧରିଛନ୍ତି କୋଳ ଧରି

ପବନ ଫାନ୍ଦଇ ଦେଖିଣ ବିସରି।୧୩୭।

ମୁଖେ ନେଇଣ ଯେ ଶୀତଳ ଜଳ ସିଞ୍ଚି

କାନ ଫୁକିଣ ଆଲଟେଣ ବିଞ୍ଚି।୧୩୮।

ଦେଖିଲେ ମୃତ ଶବ ହୋଇଛି ଉତ୍ତରା ବାଳୀ

ଅଦଭୁତେ ଶବଦ ପଡ଼ିଲା ବୋବାଳି।୧୩୯।

ଅନ୍ତେଶ୍ୱର ଭିତରେ ଉଚ୍ଚ ସ୍ୱରେ କ୍ରୋଧ ବାଣୀ

ଦେବକୀ ଯଶୋଦା ବିଜେକଲେ ତାହା ଶୁଣି।୧୪୦।

ଗହଳ ଚଞ୍ଚଳ ଅତି କ୍ରୋଧ କଥା

ଦ୍ୱାରିକା ଭୁବନରେ ଯେ ଫୁଟିଲା ବାରତା।୧୪୧।

ସୋହଦ୍ରା ଦେବୀର ଅନେକ ରୋଦନ ଶୁଣି

ବିଜେ କଲେ ଜମ୍ଭୁବତୀ ସତ୍ୟଭାମା ରୁକ୍ମିଣୀ।୧୪୨।

ଅମିୟ ବଚନେ ଯେ ସୁନ୍ଦର ମୁଖ ଗୋଟି

ସୁନ୍ଦର ବଦନ ଆରକ୍ତ ବିମ୍ବାଧର ଓଷ୍ଠୀ।୧୪୩।

ଅନେକ ଶାନ୍ତିକରି ଯେ ଫୁଙ୍କିଲେ ଦେବୀମାନେ

କିଞ୍ଚିତେ ପବନ ବହଇ ନାସାରେଣେ।୧୪୪।

ରୁକ୍ମିଣୀ ବୋଇଲେ ଗୋ କଲୁ ଆଈ କିସ

ବିଷ୍ଣୁବଂଶକୁ ୟେ କଥା ଅଟଇ ଭବିଷ୍ୟ।୧୪୫।

ଶ୍ରୀକୃଷ୍ଣର ବଲ୍ଲଭୀ ଯାଇଂ କୋଳ ସେ କରନ୍ତେ

ଅସାଷ୍ଟମ ଉତ୍ତରା ପାଇଲା ଜୀବିତେ।୧୪୬।

ଅସାଷ୍ଟମ ହୋଇ ଚାହଂଇ ଯେ ନୟନ ଚାଳି

ପବନ ଫାନ୍ଦିଲା ସେ ଉତ୍ତରା ନାମେ ବାଳୀ।୧୪୭।

କୁମାରୀ ସାଷ୍ଟାମେ ଯେ ବହିଲା ରଜ ଧାର

ନିଜ ସ୍ଥାନ ଛାଡ଼ିଲା ଗର୍ଭର କୁମାର।୧୪୮।

ଗର୍ଭରୁ ପଡ଼ିଲା ତାର ଯେବଣ ବାଳୁତ ପୁତ୍ରଗୋଟି

ଶିରର ଶୋଣିତ ଚରଣ ଦେଇଫୁଟି।୧୪୯।

ଆହୋ ଚଇତନ କୁମ୍ଭମାସ କୃଷ୍ଣପକ୍ଷ ପଞ୍ଚମୀ ଗୁରୁବାର

ସ୍ୱାତୀ ନକ୍ଷତ୍ର ଯେ ଭୋଗ ସେ ଦିନର।୧୫୦।

ତତ୍ତୁଲ୍ୟ ନାମେ କରଣ ଧ୍ରୁବ ନାମେ ଯୋଗ

ନବମେ ଚନ୍ଦ୍ର ପଞ୍ଚମେ ରାହୁ ଭୋଗ।୧୫୧।

ପ୍ରଥମ ଚାରିଦଣ୍ଡ ଯେ ଗୁରୁକଇଂ ବେଳା

କୁମ୍ଭ ଲଗ୍ନେ ଜାତ ଯେ ଅଭିମନ୍ୟୁ ବଳା।୧୫୨।

ସପ୍ତମେ ଶୁଭସ୍ଥାନେ ପାପ ଗ୍ରହ ନାହିଂ ସର୍ବଶୁଭ

ମୃତପିଣ୍ଡ ପଡ଼ିଲା ଶରୀରେ ନାହିଂ ଜୀବ।୧୫୩।

ପବନ ଫାନ୍ଦଇ ଯେ ଚକ୍ଷୁ ନ ଚଳଇ

ହସ୍ତ ପାଦ ନିଶ୍ଚଳେ ଯେ ପଡ଼ିଣ ଅଛଇ।୧୫୪।

ଦେବକୀ ଯଶୋଦାରେ ନିରେଖିଣ ଚାହିଂ

ବୋଇଲେ ଯେ ପୁତ୍ରଗୋଟିର ତ ଶରୀରେ ପ୍ରାଣ ନାହିଂ।୧୫୫।

ପୁତ୍ରର ମୃତ ପିଣ୍ଡ ଦେଖିଣ ଉତ୍ତରା ଯେ ବାଳୀ

ଆରେ ଆରେ ନନ୍ଦନ ବୋଲି ଦିଲାକ ବୋବାଳି।୧୫୬।

ବାବୁ ସୁଜାଣି ସୁଠାଣି ପୂର୍ଣ୍ଣମୀ ଚାନ୍ଦ ଗୋଟି

କାଳିନ୍ଦୀ ସରୋବରେ ଯେହ୍ନେ ପଦ୍ମ ଫୁଟି।୧୫୭।

ଲୀଳାରେ ଖଞ୍ଜଣୀ ଚିକୁରେ କବରୀ

ତହିଂର ଅପାଦରେ ପଡ଼ୁନା ମୋହୋର ଉପରି।୧୫୮।

ବାବୁ ଝଳିତ ରତ୍ନପ୍ରାୟେ ତୋହୋର ଲଲାଟ ପାଟି

ତହିଂର ଅପାଦରେ ପଡ଼ୁ ୟେ ମୋହୋର ଦୃଷ୍ଟି।୧୫୯।

ବାବୁ ଚଞ୍ଚଳ ଆକୃତି ଲୋଚନ ତୋର ବେନି

ତହିଂର ଅପାଦ ମୁଂ ଯାଇଂକିନା ଘେନି।୧୬୦।

ମୋହୋର କଷ୍ଟ ଦେଖି ନଚାହୁଂ ନୟନେ ତୁହିକିନା

ତୋହୋର ଦୃଷ୍ଟିପାତେ ଶରୀର ମୋହୋର ଥିବ ସିନା।୧୬୧।

ଗରୁଡ଼ ଉପମା ବାବୁ ତୋହୋର ନାସିକା

ତହିଂର ପରିମୁଣ୍ଡା ଯାଇଂକିନା ୟେକା।୧୬୨।

ବାବୁ ଶୁଦ୍ଧ ଘଟଣ ଜାଣି ତୋହୋର କର୍ଣ୍ଣହିଂ

ତହିଂର ଅପାଦରେ ମୁହିଂ ଘେନିଯାଇଂ।୧୬୩।

ଅମୂଲ୍ୟ ଅତୁଲାଇତ ତୋହୋର ବେନି ଓଷ୍ଠ

ରଙ୍ଗକୁସୁମ ଜାଣି ଚହଟଇ ଚଉପାଶ।୧୬୪।

ଦ୍ରହସିତ ହୋଇ କହୁକିନା କଥା

ତୋହୋର ଆପଦରେ ପଡ଼ୁ ମୋହୋର ମଥା।୧୬୫।

ବାବୁ ଅନେକ ଅବସ୍ଥାରେ ରୋଦନ କରଇ ବାଣୀ

ତୋହର ନିଉଂଛଣା ଯାଇଂକିନା ୟେହିକ୍ଷଣି।୧୬୬।

ଅତିଅନ୍ତ ସୁଘଟଣ ଅଟଇ ଗଣ୍ଡସ୍ଥଳ

ତହିଂର ଆପଦ ପଡ଼ୁ ମୋହୋର କପୋଳ।୧୬୭।

ଗଜ ମସ୍ତକ ଜାଣି ତୋହୋର ବେନି କନ୍ଧ

ନୀଳାରେଖ ରୋମାବଳୀ ବଇଡୁର୍ଯ୍ୟ ତାଳୁ ବୋଧ।୧୬୮।

କରୀକର ପ୍ରାୟେ ଅଟଇ ତୋହୋର ବାହୁ

ପଦ୍ମଫୁଲ ନୟନ ଗୋଟି କିମ୍ପା ଯେ ନଚାହୁଂ।୧୬୯।

ଶତଦଳ ପଦ ପ୍ରାୟେ ତୋହୋର ପାପୁଲି

କନକ ଚମ୍ପା କଢ଼ି ଜାଣିଣ ଆଙ୍ଗୁଳି।୧୭୦।

ୟେଡ଼େକ ଲକ୍ଷଣ ବାବୁ ପାଇବଇଂ କାହିଂ

ୟେଡ଼େ ଶ୍ରୀବନ୍ତ ପୁତ୍ରଗୋଟି ଜୀବନ୍ତେ ତ ନାହିଂ।୧୭୧।

ବାବୁ ବେନି ଭୁଜେ ଧରିରେ ଭିଡ଼ି ମୋହୋର ହିୟା

ହୃଦେ ଲୁଳୁ ମୋର କମଳମାଳ ରେହା।୧୭୨।

ସୁଘଟଣ ଚଉରସ ତୋହୋର ବକ୍ଷସ୍ଥଳ

ତହିଂର ଅପାଦରେ ପଡ଼ୁ ମୋହୋର କପାଳ।୧୭୩।

ବାବୁ ପୁରୁଣୀପତ୍ର ପ୍ରାୟେ ତୋହୋର ପେଟଗୋଟି

ମୁଂ ତହିଂର ଘେନଇଂରେ ଅପାଦ ଗୋଟି।୧୭୪।

ହେମଝଳିତ ତୋହୋର ହୃଦୟ ଯେ ଗୋଟି

ଅତିଅନ୍ତ ଶୀତଳ ରେ ତୋହୋର କଟିଗୋଟି।୧୭୫।

ପ୍ରବୋଧ କପାଳରେ ତୋହୋର ବେନିଜାନୁ

ତହିଂର ଅପାଦରେ ମଥାରେ ମୋର ଘେନୁ।୧୭୬।

ବାବୁ ବାଳୁତ ଚଞ୍ଚଳରେ ଆଦିତ୍ୟାଞ୍ଚଳ ଗୋଟି

ସ୍ଫଟିକ ପୋୟେଳା ଜାଣି ତୋହୋର ଅଙ୍ଗୁଷ୍ଠି।୧୭୭।

ବାବୁ ବିରାଜ ବଧୁକ ପ୍ରାୟେ ତୋହୋର ଓଷ୍ଠଗୋଟି

ୟେ ତୋହୋର ଦେଖିଲି ମୁହିଂ ରେ ବଡ଼କଷ୍ଟି।୧୭୮।

ବାବୁ ଚରଣ ହଲାଇରେ କିମ୍ପାଇ ନ କାନ୍ଦୁ

ଦୁଖୀର ସଂଘାତରେ ମୋହୋର ପ୍ରାଣବନ୍ଧୁ।୧୭୯।

ବାବୁ ଅଭୟେ ସୋମବଂଶ ବୋଲିରେ ଆଶ କଲି

ଦଇବର ଯୋଗରେ ତୋତେ ମୁଂ ପାଇଲି।୧୮୦।

କେବଣ ଗୁରୁଜନର ପଡ଼ିଲାନା ମୋତେ ଶାପ

ଅଶସ୍ତମା ଶର ତୋତେ ପେଟରେ ନାଶିଲାରେ ବାପ।୧୮୧।

ଅଷ୍ଟମାସ ପରିଯନ୍ତେ ଧଇଲି ତୋତେ ଗର୍ଭେ

କୋଳରେ ଧରିତେ ତୋତେ ନୁଆରିଲି ୟେବେ।୧୮୨।

ଆହୋ ଚଇତନ ଉତ୍ତରାର କ୍ରୋଧ କହିତ କିପାରି

ସୋମବଂଶ କୁଳଦୀପର ଯେ ଗର୍ଭଧାରୀ।୧୮୩।

ପୁତ୍ରକଇଂ କୋଳେ ଧରିଣ ସଉଭଦ୍ରା

ବୋଇଲେ କିମର୍ଥେ ପୁତ୍ରରେ ଭଗ୍ନକଲୁ ମୁଦ୍ରା।୧୮୪।

ଉତ୍ତରାକଇଂ କୋଳେ ଯେ ଧଇଲେ ରୁକ୍ମିଣୀ

ମାଗୋ ମତ୍ସଦେଶର କନ୍ୟା ସୋମବଂଶ କୁଳର ମଣ୍ଡଣୀ।୧୮୫।

ଅଦ୍‌ଭୁତେ ମରଣ ମା ଗୋ କାହୁଂ ଅଇଲାକ ୟେଥ

କେବଣ ଦଇବ ତୋତେ ବିହିଲା ୟେଡ଼େ କୃତ୍ୟ।୧୮୬।

ପୁତ୍ର ମୁଖ ଦେଖିଣ ଯେ ଶ୍ରୀକୃଷ୍ଣର ଭଗ୍ନୀ

ଜନ୍ମ ହୋଇଲୁ ପୁତ୍ର ତୁରେ ମୃତୁକୁ ସଙ୍ଗେ ଘେନି।୧୮୭।

ସୋମବଂଶ ମଣ୍ଡନରେ ଅନାସ୍ତର ବଳା

ଉଭୟ କୁଳକୁ ବାବୁ ଲଗାଇଲୁ କଳା।୧୮୮।

ବାବୁ ତୋହୋରଠାରୁ ବଂଶ ବୁଡ଼ିଲାରେ ବାଳ ବଚ୍ଛି

କେଉଣ ପାତକରୁ ମୋତେ ଛାଡ଼ିଲାରେ ଲଚ୍ଛୀ।୧୮୯।

ବାବୁ ଶତେ ଚନ୍ଦ୍ରବଦନର ଯାଇଂ ମୁଂ ନିଉଂଛୁଣା

ଉଭୟ କୁଳର ବାବୁରେ ଅଟୁ ତୁ ଦୁଲଣା।୧୯୦।

ଦଶଦିଗ ଅନ୍ଧାର କଲୁରେ ମୋତେ ବଳା

ଅଗାଦ ସମୋଦ୍ରେ ମୋର ବୁଡ଼ାଇଲୁ ଭେଳା।୧୯୧।

କେବଣ ପାତକ ମୁଂ ଯେ କରିଅଛି ପୂର୍ବେ

ଅଶସ୍ତମା ଶର କିମ୍ପେ ପଶିଲା ତୋର ଗର୍ଭେ।୧୯୨।

ବାବୁ ସୋମବଂଶ ରକ୍ଷା ଫଳକ ଗଲୁ କାହିଂକି

ମୁଖେ ମୁଖ ଲଗାଇ କ୍ରୋଧେ ଗରୁ ଡାକି।୧୯୩।

ବାବୁ କେବଣ ଗୁରୁଜନ ଯେ ଶାପ ମୋତେ ଦିଲା

ତେଣୁ ସେ ନନ୍ଦନ ମୋର ପ୍ରାଣତ୍ୟାଜ ହୋଇଲା।୧୯୪।

ସୋହୋଦ୍ରା ରୁକ୍ମିଣୀ ସତ୍ୟଭାମା ଜମ୍ବେୋବତୀ

କାଳିନ୍ଦୀ ସତ୍ୟା ଲକ୍ଷ୍ମଣାଦି ସମସ୍ତେ ରୋବନ୍ତି।୧୯୫।

ଆରେ ମୋର ଦୁଖୀର ସଙ୍ଖାଳି ଅନାଥର ବନ୍ଧୁ

ମଉନ ବ୍ରତେ ଶୁତିଲୁ ତୁ କିମ୍ପାଇଂ ନ କାନ୍ଦୁ।୧୯୬।

ଅକାଳେ କିମ୍ପାଇଂ ବାବୁରେ କଲୁ ମୃତୁ ଶଯ୍ୟା

ମନକଷ୍ଚ ଦେଖି ପୁତ୍ର ରେ କରିବୁ ନା ନିଦ୍ରା ତେଜ୍ୟା।୧୯୭।

ବାଳୁତ ପୁତ୍ର ହୋଇ ତୁ ୟେଡ଼େକ ନିର୍ଦ୍ଦୟା

କାହାର ମୁଖ ନ ଚାହୁଂରେ ପାଷାଣ ତୋର ହିୟା।୧୯୮।

ମୁଖେ ମୁଖ ଲଗାଇ କର୍ଣ୍ଣରେ ଦିଅନ୍ତି ଯେ ଫୁଙ୍କି

ବାବୁ ସୋମବଂଶ ତେଜ୍ୟା କରିଗଲୁରେ କାହିଂକି।୧୯୯।

ରସାଣିଲା ପତ୍ର ପ୍ରାୟେ ତୋ ଲଲାଟ ପାଟି

ତରଳ ତରଙ୍ଗ ପ୍ରାୟେ ତୋହୋର ଚକ୍ଷୁ ବେନିଗୋଟି।୨୦୦।

ପଂକୁ ବିମ୍ବଫଳ ଜାଣି ତୋହୋର ଓଷ୍ଠବେନି

ୟେ ତୋର ଅପାଦ ଯାଇଂକିନା ମୁହିଂ ଘେନି।୨୦୧।

ବାବୁ ରୋଦନ ଶୁଭନ୍ତା ତୋର ଅଣ୍ଡିର କୋକିଳ ଜାଣି

ଦ୍ୱାରିକା ଉଚ୍ଛବ ହୋଉ ତୋହୋର ରୋଦନ ଶୁଣି।୨୦୨।

ବିସ୍ତାର ବକ୍ଷସ୍ଥଳ କଟି ବିକ୍ରମ କେଶରୀ

ବାବୁ ବାହାନାଦ ଦେଇ ପୁତ୍ର ଉଠ ମୂର୍ତ୍ତିବନ୍ତ ହୋଇକରି।୨୦୩।

ସୟଳ ଜନ ତାରଣ ଅଟନ୍ତି ଯୁଝେଷ୍ଠି

ତାହାଂକର ପୁଣ୍ୟ ଘେନି ପୁତ୍ର ଚାହୁଂକିନା ଦୃଷ୍ଟି।୨୦୪।

ୟେକ ଆତ୍ମା ଅଚ୍ଛେଦ ଯେ ଶ୍ରୀକୃଷ୍ଣ ଫାଲଗୁନି

ତାହାଂକ ଆୟିଷ ଘେନି ପୁତ୍ର ହୋଇଲୁ କିମ୍ପେ ତୁନି।୨୦୫।

ପଦ୍ମନାଡ଼ ଜିଣି ତୋର ଭୁଜ ଦୁଇଗୋଟି

ଚମ୍ପକ କଢ଼ି ଜାଣି ତୋହୋର ଅଙ୍ଗୁଷ୍ଠି।୨୦୬।

ଅତି ଅଲୋକିତ ଶୋଭାବନ କାୟେ

ଆମ୍ଭର ଅବସ୍ଥା ଦେଖି କିମ୍ପାଇ ନ ବସଇ ତୋର ଦୟେ।୨୦୭।

ଓଲଟ-କଦଳୀ ଜାଣି ଦିଶଇ ତୋହୋର ବେନିଜାନୁ

ନୀଳାରେଖ ରୋମାବଳୀ ଶୋଭିତ ତୋର ତନୁ।୨୦୮।

ମୃତୁ ପିଣ୍ଡ ପୁତ୍ର ଗୋଟି ତୁ ମୋହୁଛୁ ଜଗତ

ରାଢ଼ଦେବତା ଯମ, ତୋତେ ନେବାକୁ ବଳିଲା କେହ୍ନେ ଚିତ୍ତ।୨୦୯।

ରୁକ୍ମିଣୀ ସୋହୋଦ୍ରାଂକ ଶୁଣି ଅନେକ ଶୋକବାଣୀ

ତହିଂ ବିଜୟେ କଲେ ଦେବ ଚକ୍ରପାଣି।୨୧୦।

ଖଣ୍ଡେ ଦୁରୁଂ ସୋହୋଦ୍ରା ଶ୍ରୀକୃଷ୍ଣଂକୁ ଦେଖି

ବଜ୍ରାଘାତ ଜାଣି ପଡ଼ିଲା ଶଶିମୁଖୀ।୨୧୧।

ସୋହୋଦ୍ରା ମୂର୍ଚ୍ଛାଗତ ଶ୍ରୀକୃଷ୍ଣର ଆଗେ

ତୋହୋର ବୋଲେ ମୁଂ ନଧଇଲି ପୁତ୍ର ଶୋଗେ।୨୧୨।

ହରି ତୋହୋର କଥାୟେ ୟେବେ ଜାଣିଲି ୟେତେ କୂଟୀ

କପଟ ଯୁଦ୍ଧେ ମରାଇଲୁ ଚଉଦ ବରଷ ପୁତ୍ରଗୋଟି।୨୧୩।

କେଉଂ ଦୋଷ କଲି ମୁଂ ତୋତେ ହୋ ଶ୍ରୀପତି

ୟେବେ କିମ୍ପା କପଟରେ ମରାଇଲୁ ମୋହୋର ନାତି ଗୋଟି।୨୧୪।

ଶ୍ରୀକୃଷ୍ଣ ବୋଇଲେ ମା ଗୋ ରହ ରହ ସୋହୋଦ୍ରା

ମୃତୁଗତ ନୋହୋଇ ପୁତ୍ର ଅସାଷ୍ଟମ ନିଦ୍ରା।୨୧୫।

ସଦା ମଙ୍ଗଳ ୟେ ମୋହର ପୁରୀ

ଆନନ୍ଦ ଛାଡ଼ି କିମ୍ପାଇଂ ଅନମିତେ କ୍ରୋଧ କରି।୨୧୬।

ସୋହୋଦ୍ରା ପ୍ରଣପତ୍ୟ କୃଷ୍ଣ ପଦ୍ମପାଦେ

ଯାବତ ଅବସ୍ଥା ହରି ତୋହୋର ପରସାଦେ।୨୧୭।

ମୁହିଂ ଯେ କାହାରି ବୋଲ ନକଲି

କକ୍ଷାବରୀ ହୋଇ ଲଜ୍ଜା ଉପେକ୍ଷିଲି।୨୧୮।

ମୁହିଂ କାହିଂ ଅର୍ଜୁନ କାହିଂ ମୋତେ ୟେକଠାବ କଲୁ

ମଧ୍ୟେ ଯଦୁବଂଶ ଅନେକ ଗଞ୍ଜାଇଲୁ।୨୧୯।

ଆଗହୁଂ ତ ଭାଙ୍ଗିଥିଲେ ବଳଦେବ ୟେହା

ବଂଶିକ ବୋଲି ଅର୍ଜୁନକୁ ମୋତେ କଲେ ବେହା।୨୨୦।

ହରି ଅର୍ଜୁନର ଓପ୍ରୋଧେ ନ ବୋଇଲୁ ମୋତେ କିଛି

ବିଶ୍ୱାସଘାତକୀ ମୋତେ କରାଇଲୁ ଶ୍ରୀବତ୍ସି।୨୨୧।

ସଂସାର କାରଣ ଦେଉଛନ୍ତି ତୋହୋର ପରସାଦେ

ପାଣ୍ଡବନ୍ତ ବିହିଲୁ ୟେଡ଼େକ ପରମାଦେ।୨୨୨।

ହରି ଶତଧନୁ ବିବାଦେ ଅର୍ଜୁନ ତୋତେ ଜିଣି

ତେଣୁ ହୃଦରେ କୂଟ ଧଇଲୁକି ପୁଣି।୨୨୩।

ହରି ସତ୍ୟଭାମା ପେଷି ମୋତେ କଲୁ ୟେତେ ଯୋଗ

ତୋହୋର ସାହାରେ ପାଣ୍ଡବନ୍ତ ୟେଡ଼େକ ବିୟୋଗ।୨୨୪।

ହରି ବୋଇଲୁ ଯେ ସୋମବଂଶରେ ଉପୁଜିଲେ ପୁତ୍ରଗୋଟି

ସେହି ସେ ଧାରଣ ହୋଇବ ନା ନବସୃଷ୍ଟି।୨୨୫।

ଅର୍ଜୁନ ପ୍ରଦାନ କରାଇଲୁ ୟେସନେକ ଭାଳି

ୟେବେକି ତାହା ତୁ ପାସୋରିଲୁ ବନମାଳୀ।୨୨୬।

ହରି ସଂସାରେ ବୋଲନ୍ତି ଯେ ପାଣ୍ଡବେ ବିଷ୍ଣୁ ଆଶ୍ରୟରେ

ଉଭୟ କାଳକୁ ନାଶ କଲୁ ହୋ ଅବିଚାରେ।୨୨୭।

ଅତିନିଷ୍ଠୁର ତୁ ତୋହୋର କିସ ବହେଣୀ ଭଣଞ୍ଜା

ହୃଦରେ ହିଂସା ଧରି ବୋଲାଉ ଦେବରାଜା।୨୨୮।

ଯଶୋଦା ଦେବୀଂକର ମୁହିଂ ଯେ ଦୋହିତା

ଉତ୍ତରା ମୋହୋର କୁଳବଧୂ ଘେନିଲୁ ତାହାର ହତ୍ୟା।୨୨୯।

ୟେବେ ପାଇଲୁ ହରିହୋ ବାଳୁତ ହତ୍ୟା ଦୋଷ

ଇହଲୋକେ ଅପଖ୍ୟାତି ପରଲୋକେ ଅପଯଶ।୨୩୦।

କାଳେ ଜାଣିଲି ତୋର ଅର୍ଜୁନକୁ ଅଭାବ

କେଉଂଣ ଦ୍ରୋହ କଲେ ତୋତେ ପଞ୍ଚଇଂ ପାଣ୍ଡବ।୨୩୧।

କଉରବ ବଂଶ ହରି ନାଶକଲୁ କୂଟେ

ପାଣ୍ଡଂବକ ବଂଶ ୟେବେ ମରାଇଲୁ କପଟେ।୨୩୨।

ଶ୍ରୀକୃଷ୍ଣ ବୋଇଲେ ମା ଗୋ ନବୋଲ ମୋତେ ୟେହା

ଶୁଣିଲେ କୋପ ମୋତେ କରିବେ ତୋର ନାହା।୨୩୩।

ସୋହୋଦ୍ରା ବୋଇଲେ ହରି ପାଣ୍ଡବନ୍ତ ଯେବେ ତୋର ଭୟେ

ସୋମବଂଶ ବୁଡ଼ିଲା ହରି କିସ ତୋହୋର ଉପାୟେ।୨୩୪।

ସୋହୋଦ୍ରା ବଚନ ଶୁଣି ଶ୍ରୀକୃଷ୍ଣ ବୋଇଲେ

ଯେ ଯାହାର ବଂଶ ତାର ପାତକେ ନାଶ ଗଲେ।୨୩୫।

ସୋହୋଦ୍ରା ବୋଇଲେ ହରି ତୋର ନାମ ଜଗତ ତାରଣ

ତେଣୁ କରି ପାଣ୍ଡବେ ତୋହୋରେ ପଶିଲେ ଶରଣ।୨୩୬।

ହରି ସୁଦ୍ରିଶେନ ଚକ୍ର ଯେ ସହସ୍ରେକ ଧାର

ଦିବା ରାତ୍ରେ ବୁଲୁଥାଇ ଦ୍ୱାରାବତୀ ପୁର।୨୩୭।

ମାଛି ତିରଣ ପଡ଼ିଲେ ଯେ ସହସ୍ରେକ ଖଣ୍ଡ

ତେଣୁ ୟେ ଭୁବନେ ନ ପଶଇ ଯମରାଜାର କାଳଦଣ୍ଡ।୨୩୮।

ନିରୋଗ ପୁର ୟେ ହରି କାହାର ନାହିଂ ୟେଥି ମୃତୁ

ନାତିଗୋଟି ନାଶକଲୁ କହ କେଉଂ ହେତୁ।୨୩୯।

ଅନନ୍ତ କୋଟି ବ୍ରହ୍ମାଣ୍ଡେ ତୁ ଅଟୁ ଅଧିକାରୀ

ତୋ ବିନା ଆଗ୍ୟାଂରେ ଯମ ପାରଇ କି ହରି।୨୪୦।

ହରି ଚଉଦ ବରଷର ପୁତ୍ର ଅଭିମନ୍ୟୁ

ରଣଭୂଅ କରାଇ ମାଇଲୁ ମୋର ତନୁ।୨୪୧।

ହରି ସମସ୍ତେ କାରେଣି ହେଲେ ଦ୍ୱାରିକାର ଜନ

ମୁହିଂ ସେ କେବଣ ପାପ କଲିଟି ହାଦେ ପୁଣ।୨୪୨।

ସବୁ ସ୍ତିରୀମାନେ ୟେଥି ଅହେଓ ସୁଲକ୍ଷଣୀ

ହୀନସ୍ତିରୀ ସଙ୍ଗତେ ମୁଂ ହୋଇଲିତ ଗଣି।୨୪୩।

ହରି ପୁତ୍ରପୁତ୍ରୀଠାରେ ନାହିଂ ମୋହୋର ଯେ ଆଶ

ନାତିଗୋଟିକି ଆଶ କରିଥିଲି ସେ ହୋଇଲା ବିନାଶ।୨୪୪।

ବିଜେ କର୍ଣ୍ଣକଟାର ଘେନିଣ ସଉଭଦ୍ରେ

ବେକେ କୋଠାର ବସାନ୍ତେ ଧଇଲେ କୃଷ୍ଣଚନ୍ଦ୍ରେ।୨୪୫।

ଶ୍ରୀକୃଷ୍ଣ ବୋଇଲେ ମା ଗୋ ଛାଡ଼ସି କ୍ରୋଧବାଣୀ

ଗର୍ଭରୁ ମୃତ ଜାତକେ ଜୀଆଇଂ ଦେବ ପୁଣି।୨୪୬।

ସୋହୋଦ୍ରା ବୋଇଲେ ହରି ତୋହୋର ଯେବେ ପାଣ୍ଡବନ୍ତ ନିକଳଂକ

କିଞ୍ଚିତ ପ୍ରସାଦେ ତୋହୋରେ ଜୀବଇଂ ବାଳକ।୨୪୭।

କିଞ୍ଚିତେ କରି ଯେବେ ତୁମ୍ଭେ ଦେବ ଅମୃତ ଯେ ଦୃଷ୍ଟି

ୟେହିକ୍ଷଣି ଜୀଇଂବ ହରି ବାଳୁତ ପୁତ୍ରଗୋଟି।୨୪୮।

ଆଦିହୁଂ ଯେ ବୋଲ ସୋମବଂଶର ପୁତ୍ରଗୋଟି

ତୁମ୍ଭେ ଦୟା କରିବ ଯଦି ସୋମବଂଶର ଚାରିଯୁଗେ ଥିବଟି।୨୪୯।

ୟେହେନେକ କରି କରାଇଲୁ ତୁ ନିରାଶ

ବାଚା ବିଚଳିତ ୟେବେ କରୁଛୁ ପୀତବାସ।୨୫୦।

ସୋହୋଦ୍ରା ବିକଳ ଦେଖି ସୟଳ ଜନ ଭାଷି

ୟେବେ ପାଣ୍ଡବନ୍ତ ନିର୍ମୋହ ହୋଇଲେ ହୃଷିକେଶୀ।୨୫୧।

ତୁ ଦେବ ଜଗତ କାରଣ ଜନାର୍ଦ୍ଦନ

ତୁହି ସୃଷ୍ଟିକରତା ତୁହି ସେ ଜଗତ ଜୀବନ।୨୫୨।

ଯଦି ଅସ୍ଥିମାୟେଂସ ଯାଇ ପଡ଼ଇ ହାତେ ଲୋଟି

ଅମୃତ ଦୃଷ୍ଟିରେ ଚାହିଂଲେ ଜୀଅଂଇ ପୁତ୍ରଗୋଟି।୨୫୩।

ଆହୋ ଚଇତନ ବାରତା ପାଇଲେ ଦ୍ରୋପତୀ କୋଇନ୍ତୀ

ସେ ଯାଇଂ ପ୍ରବେଶ ହୋଇଲେ ସୋହୋଦ୍ରାର କତି।୨୫୪।

ଆହୋ ଚଇତନ କୋନ୍ତା ଦ୍ରୋପତୀ ଯଶୋଦା ଦେବୀଂକ କ୍ରୋଧବାଣୀ

ପର୍ବତୁଂ ପାଷାଣ ଝଡ଼ିବ ତାହାଂକ ରୋଦନ ଶୁଣି।୨୫୫।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ତହିଂ ପ୍ରବେଶିଲେ ଯାଇ ପଞ୍ଚୁ ଯେ ପାଣ୍ଡବ।୨୫୬।

ଯାଇଂ ଦେଖିଲେ ପୁତ୍ର ପ୍ରାଣତ୍ୟାଗ କୁଳବଧୂ

ପାଣ୍ଡବେ ମୂର୍ଚ୍ଛାଗତ ଯେ ସୋହୋଦ୍ରା କାନ୍ଦୁକାନ୍ଦୁ।୨୫୭।

ଯୁଝେଷ୍ଠି ଭୀମ ଅର୍ଜୁନ ସହଦେବ ନକୁଳ

ସବୁଂକରି ନୟନୁ ବହେ ଅଶ୍ରୁଜଳ।୨୫୮।

ଯୁଝେଷ୍ଠି ବୋଇଲେ ଦଇବ ତୋହୋର ୟେହେନେକ ଗତି

ଧର୍ମେ ଆଶ୍ରେକରି ମୁଂ ନଦେଖିଲି ପୁତ୍ର ନାତି।୨୫୯।

ହରି ସୋଦରନ୍ତ ନାଶକଲୁଂ ରାଜ୍ୟଭାର ନିମନ୍ତେ

ଆମ୍ଭର ବଂଶ ବୁଡ଼ିଲା ହରି ଜୀବନ କିସ ଅର୍ଥେ।୨୬୦।

ଯୁଝେଷ୍ଠି ଦେବ ବୋଇଲେ ତୁମ୍ଭେ ଶୁଣ ନାରାୟଣ

ଜନ୍ମେ ଜନ୍ମେ ଆମ୍ଭେ ତୋହୋରେ ଶରଣ।୨୬୧।

ହରି ଦୟାସାଗର ତୁ ଯେ ଭକତମତ୍ସଳ

ତୋହୋର ଆଶ୍ରେକ ହରି ଆମ୍ଭର ବଳଦର୍ପ ସର୍ବକାଳ।୨୬୨।

ହରି କେଉଣ ଅଭଗତେ ହେଲୁ ତୁ ନିର୍ଦ୍ଦୟେ

ତେଣୁ ସେ ଆମ୍ଭର ଯେ ବଂଶ ଗଲା କ୍ଷୟେ।୨୬୩।

ଅର୍ଜୁନ ବୋଇଲେ ଆମ୍ଭନ୍ତ ଘେନି ଅଇଲୁ ରକ୍ଷା କରିବୁ ବୋଲି

ତୋତେ ଆଶ୍ରେକରି ହରି ବଂଶ ନାଶକଲି।୨୬୪।

ମୃତୁପିଣ୍ଡ ଗୋଟି କୋଳେ ଧଇଲେ କୋଇନ୍ତୀ

ବଦନ ନିରୋପି ବାହୁନନ୍ତି ଦ୍ରୋପତୀ।୨୬୫।

ଦେବକୀ ଯଶୋଦା ଯେ ଅନେକ କ୍ରୋଧ କରି

ନନ୍ଦ ଉପନନ୍ଦ ଉଗ୍ରସେନ ଆଦି କରି।୨୬୬।

କୃଷ୍ଣର ବତିଶ ସହସ୍ର ନାରୀ ଅଷ୍ଟ ପାଟବଂଶୀ

ମହା କ୍ରୋଧଭରେ ଯେ ବେଢ଼ିଲେ ସର୍ବେ ଆସି।୨୬୭।

ସମସ୍ତେ ବିଚାର କରନ୍ତି ମନେ ମନେ ଗୁଣି

କେବଣ ବିଚାରି ୟେହା କଲେ ଚକ୍ରପାଣି।୨୬୮।

ଯେବଣ ଭୁବନରେ ନାହିଂ ଜରା ରୋଗ ବ୍ୟାଧି

ୟେତେକାଳେ ଯମ ୟେଥି କିମ୍ପେ କଲାକ ଅବିଧି।୨୬୯।

ସମସ୍ତେ ରୋଦନ ଯେ କରନ୍ତି ବିକଳେ

ଦ୍ୱାରିକା ପୁର ଛାଡ଼ିବା ହୋ ବିପତ୍ତି ପଡ଼ିଲା ୟେତେ କାଳେ।୨୭୦।

ବହୁତ କୁଟୁମ୍ବ ଯହୁଂ ଦ୍ୱାରିକାରେ ବ୍ୟୂହ

ତେଣୁ କରି ହରି ଦ୍ୱାରିକାକୁ ଛାଡ଼ିଲୁ ସେନେହ।୨୭୧।

କିଅବା କେବଣ ମାୟା କଲେ ପୁରୁଷୋତ୍ତମ

ପୂରାଅ ମହତ ବାଚା ଉଦିତ ହୋଉ ଧର୍ମ।୨୭୨।

କେ ବୋଲଇ କୃଷ୍ଣର କୋପ ଅଛଇ ପାଣ୍ଡବନ୍ତକୁ

କେ ବୋଲଇ ମାୟାଧର ମାୟା କରିଅଛି ମନ ବିଡ଼ିବାକୁ।୨୭୩।

କେ ବୋଲଇ କୃଷ୍ଣର ଅର୍ଜୁନକୁ ଅଛି କୋପ

ଶତଧନୁ ରଖି ହରିଲା ଯେ ନାରାୟଣ ଦର୍ପ।୨୭୪।

କେ ବୋଲଇ ଅର୍ଜୁନ ସୋହୋଦ୍ରାକୁ ହରିନେବାର ବେଳେ

ବହୁତ ଅପମାନ ତହିଂ ପାଇଲେ କାମପାଳେ।୨୭୫।

ଶ୍ରୀକୃଷ୍ଣର ନାମେ ସମସ୍ତେ ଦିଲେ ଅପଚ୍ଛାତି

ୟେ ମାୟାକୃତଯାକ ଯେ ଅଟଇ ଶ୍ରୀପତି।୨୭୬।

ସେ ରାଗଖଣ୍ଡିକ ହରି ଧରିଅଛି ହୃଦେ

ତେଣୁ କରି ପୁତ୍ର ମୃତୁଗତ ହାଦେ।୨୭୭।

ଅନେକ କାଳର ଭୁବନ ଦ୍ୱାରାବତୀ

ଗୋବିନ୍ଦଂକ ନାମେ ସମସ୍ତେ ଦିଲେ ଅପଚ୍ଛାତି।୨୭୮।

ସୋହୋଦ୍ରା ବୋଇଲେ ହରି ସାବଧାନେ ଶୁଣ

ତୋହୋର କଲା କୃତ ପୁଣ ନୋହୋଇ ସେ ଆନ।୨୭୯।

ନନ୍ଦ ବସୁଦେବ ଉଗ୍ରସେନ ଯାଦବ

ସବୁରି କ୍ରୋଧ ବଇକୁଲ୍ୟ ଦେଖନ୍ତି ବାସୁଦେବ।୨୮୦।

ସକଳ ଜନ କ୍ରୋଧ ଦେଖି ଅର୍ଜୁନ ବୋଇଲା

କୁରୁ ପାଣ୍ଡବ ଯୁଦ୍ଧେ ଅନେକ ସଇନ ମଲା।୨୮୧।

ଘଟଉତ୍କଟ ପଡ଼ିଲା ମଲା ଅଭିମନ୍ୟୁ

ଲକ୍ଷ୍ମଣକୁମାର ପଡ଼ିଲା ପାଞ୍ଚାଳୀର ପାଞ୍ଚ ତନୁ।୨୮୨।

ୟେ ପୁତ୍ରର ପ୍ରାଣତ୍ୟାଜ ହୋଇଲା ଯେତେବେଳେ

ରବି ତଳେ ବୁଡ଼ିଲା ସୋମବଂଶ ଇହକାଳେ।୨୮୩।

ସ୍ୱାମୀ ଉଭୟ କୁଳକୁ ଯେ ପଡ଼ିଲା କଷଣ

ୟେ କଷଣୁଂ ରଖନ୍ତା ତୁହି ସେ ନାରାୟଣ।୨୮୪।

ଅର୍ଜୁନ ବୋଇଲା ସ୍ୱାମୀ ବାଚା ୟେକ ଫିଟୁ

ନିଦ୍ରାଗତ ପ୍ରାୟେକ ହୋଇ ବାଳୁତ ପୁତ୍ର ଉଠୁ।୨୮୫।

ଯୁଝେଷ୍ଠି ଦେବ ବୋଇଲେ ହରି ଅଗୋଚର ନୁହେଂ ତୋତେ

ରକ୍ଷାକରିବୁ ବୋଲି ଯେ ଦ୍ୱାରିକାକୁ ଆଣିଲୁ ମୋତେ।୨୮୬।

ଆନ ଠାବେ ଯେବେ ହୋଅନ୍ତାନା ମୃତୁ

ଜନ ମୁଖେ କିମ୍ପେ ଅପଚ୍ଛାତି ଶ୍ରୀକୃଷ୍ଣ ପାଆନ୍ତୁ।୨୮୭।

ତୋ ଅଶକ୍ୟ ଯେବେ ହୋଇଲାକ ହରି

ଆବର ପାଣ୍ଡବନ୍ତ ପାଇବୁ କାହିଂ ଲୋଡ଼ି।୨୮୮।

ଯୁଝେଷ୍ଠି ଦେବ ବୋଇଲେ କର ଚିତା ଆରୋପଣ

ପୁତ୍ର ଘେନି ଆମ୍ଭେ ଦହନ ହୋଇବୁଂ ପାଞ୍ଚଜଣ।୨୮୯।

ଛାଡ଼ିଲୁ ରାଜ୍ୟ ଭାର ହୋଇଲୁଂ ନିରାଶ

ନିକଟ ନୋହୋଇ ସମୋଦ୍ର ନୋହିଲେ ଦିଅନ୍ତୁ ଝାସ।୨୯୦।

ସ୍ୱାମୀ ପନ୍ନଗ ଭକ୍ଷଣେ ଗରେଡ଼ିଆ ମୁଖ ଚାହିଂ

ତେସନେକ ପ୍ରାୟେ ଦେବ ହୋଇଅଛୁ ତୁହି।୨୯୧।

ସ୍ୱାମୀ ସୟଳ ସଂସାରେ ସମସ୍ତେହେଂ ହୋଇବେ ମୃତୁ

ୟେବେ ତୋହର ଆଗ୍ୟାଂରେ ବାଳୁତ ପୁଅ ବଂଚୁ।୨୯୨।

ୟେଥକୁ ଯେବେ ଚିନ୍ତା ନ କରିବୁ ଦେବରାଜ

ଆମ୍ଭର ବଂଶ ବୁଡ଼ିଲେ ତୁମ୍ଭନ୍ତ ହୋଇବ ଲାଜ।୨୯୩।

ଆମ୍ଭେ ଯେବେ ଇନ୍ଦ୍ରପ୍ରଶସ୍ତେ ରହିଥାଆନ୍ତୁ

ପାପହିଂ ହୋଉ କି ପୁଣ୍ୟହିଂ ହୋଉ କର୍ମ ବୋଲି ଆଦରନ୍ତୁ।୨୯୪।

ଭଗ୍ନିଜାର ପୁତ୍ର ତୋର ଗର୍ଭୁଂ ମୃତୁଜାତ

ସଂସାରେ ଅପଚ୍ଛାତି ତୋତେ ଯେ ବହୁତ।୨୯୫।

ତାରଣ କର ନାଥ ଅନ୍ଧପଟଳ ଫିଟୁ

ଅମୃତ ଦୃଷ୍ଟିରେ ଚାହିଂ ପୁତ୍ର ମୋ ଜୀଇଂ ଉଠୁ।୨୯୬।

ଯୁଝେଷ୍ଠି ଦେବ ବଇକୁଲ ଦେଖିଣ ଜଗନ୍ନାଥେ

ବଦନ ହେଠମାଥ ଦେବ ଦୃଷ୍ଟି ଅନୁମତେ।୨୯୭।

ଅର୍ଜୁନ ବୋଇଲେ ସ୍ୱାମୀ ଛାଡ଼ିମେଲ ମୋହୋର ରାଗ ଦୋଷ

ଅନୁଗ୍ରହକର ନାଥ ରକ୍ଷାକର ମୋରବଂଶ।୨୯୮।୧୦୮୩।

 

ଶ୍ରୀକୃଷ୍ଣଙ୍କ ଦ୍ୱାରା ପରୀକ୍ଷିତଙ୍କ ଜୀବଦାନ

ଶ୍ରୀକୃଷ୍ଣ ବଦନ ଚାହିଂ ଦେବକୀ ବୋଇଲେ

ହରି ତୋହୋର ନାୟେ ଯେ ସମସ୍ତେ ଅପଚ୍ଛାତି ଦିଲେ।୧।

ବାବୁ ୟେ ବାଳୁତ ବ୍ରତିବାକୁ ଅଛି ଯେବେ ବୁଦ୍ଧି

ଶୂନ୍ୟେ ବୃଷ୍ଟି ହୋଉ ଅମର ମଉଷଧି।୨।

ଆପଣା କୋଳେ ଲାଇ ଚାହାଂ ଅମୃତ ଦୃଷ୍ଟି

ସଂସାରେ ଧନି ହୋଉ କୁମର ବସୁ ଉଠି।୩।

ମାତାଂକ ବଚନେ ସନ୍ତୋଷ ଦେବସ୍ୱାମୀ

ବିଚାରିଲେ କେଶବ, ମୋତେ ଅପଚ୍ଛାତି ଦିଲେ ଆଣି।୪।

ଯୁଝେଷ୍ଠି ବଇକୁଲ୍ୟ ଦେଖିଣ ଦେବହରି

ମୃତପିଣ୍ଡ ଗୋଟିକି ଯେ କୋଳକରି ଧରି।୫।

ଆପଣେ କେଶବ ତୋଳି ଧଇଲେକ କୋଳେ

ଅଧର ଆଉଂଷୁଛନ୍ତି ଦେବକୀର ବାଳେ।୬।

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ସମସ୍ତଂକ ବଚନେ କୃଷ୍ଣ ହୋଇଲେ ପରମ ଶାନ୍ତି।୭।

କୋଳରେ ଧଇଲେ ପ୍ରଭୁ ମୃତୁ ପିଣ୍ଡଗୋଟି

ଶରୀର ଆଶ୍ୱାସନା କରି ଚାହିଂଲେ ଅମୃତଦୃଷ୍ଟି।୮।

ବଦନ ଦିଶଇ ତାର ନିର୍ମଳ ଚନ୍ଦ୍ରଜାଣି

ୟେକ ଲୟେ କରି ଚାହିଂଲେ ଦେବ ଚକ୍ରପାଣି।୯।

ସୁମରନ୍ତି ଦଧିବାବନ ଅଣାକାର

ଯେବେ ମୃତୁ ମଣ୍ଡଳେ ମୋର ମନୁଷ୍ୟ ଅବତାର।୧୦।

ଯେବେ ମୁହିଂ ବିପ୍ରରେ ଭଗତି ନାମ କର୍ମେ

ମୋର ନିତି କର୍ମେ ଥାଇ ଭାଷଇ ଯେବେ ଧର୍ମେ।୧୧।

ପର ଉପୁଗାର ଯେବେ ମୁହିଂ କରଇ ଚିତ୍ତେ

ପର ଦାରା ପର ଉପହାସ ନାହିଂ ଯେ ଯୁଗତେ।୧୨।

ବେଦ ମନ୍ତ୍ର ଶାସ୍ରେ ଯେବେ ଆନନ୍ଦିତ କର୍ମେ

ଯେବେ ମୋତେ ଧୀର ଜନ ଭଗତି କରି ମର୍ମେ।୧୩।

ମୁହିଂ ଯେବେ ଗୋବର୍ଦ୍ଧନ ଧରଇ ସର୍ବକାଳେ

ଯେବେ ଗୋବର୍ଦ୍ଧନଧାରୀ ନାହିଂଟି ସୟଳେ।୧୪।

ଯେବେ ତ୍ରଇଲୋକ୍ୟ ଆତଯାତ କରଇ ମହୀଭାର

ତେଣୁକରି ନାମ ଗୋଟି ଯେବେ ମହୀଧର।୧୫।

ଯେବେ ମୁହିଂ ନରେ ନାରାୟଣ ମମ ନାମ

ଯେବେ ମୋର ବ୍ରାହ୍ମଣେ ଆନନ୍ଦିତ ମନ।୧୬।

ଯେବେ ମୁହିଂ ନିରାକାରେ ରାତ୍ର ଦିବସ ଭଜଇ

ମମ କର୍ମେ ଯେବେ ପରେ ନିରାଶ ନ କରଇ।୧୭।

ମୁହିଂ ଯେବେ ହିଂସା ପରେ ନକରଇ

ଯେବେ ବେଦ ମନ୍ତ୍ର ଶାହାସ୍ରେ ଆନନ୍ଦିତ ଅଟଇ।୧୮।

ଯେବେ ମୁଂ ନିନ୍ଦଇ ପାପୀ ଲୋକ ମନ୍ଦକର୍ମ ଗତି

ଯେବେ ମୁହିଂ ଧିରଜନ ପଣ୍ଡିତେ ଭଗତି।୧୯।

ଜପୀ ତପୋଧନେ ଆନନ୍ଦିତ ମନ

ସାବଧାନ ସୁଗ୍ୟାନେ ନ ପଶନ୍ତି ଯେବଣ ଜନ।୨୦।

ତାହାଂକୁ ହୃଦେ ଯେବେ ଅଛିଟି ମମ ଗ୍ୟାନ

ପ୍ରାତକାଳେ ସ୍ରାହାନ କରନ୍ତି ଯେବଣ ଜନ।୨୧।

ତାହାକଂର ହିତେ ଥାଇ ଯେବେ ବସି

ଯେବଣ ଜନ ହୋଅନ୍ତି ତୀର୍ଥବାସୀ।୨୨।

ସେ ଲୋକ ମୋହୋର ହୃଦରେ ପଶନ୍ତି

ମୁକତ ଗତି ଅର୍ଥେ ଯେବେ ହୁଅନ୍ତି ପଥଶ୍ରାନ୍ତି।୨୩।

ତାହାନ୍ତ ଯେବେ ସୁଲଭ ଥାଇଟି ମୋର ମନେ

ହରି ଉପବାସ କରନ୍ତି ଯେବଣ ଜନେ।୨୪।

ଅନୁବ୍ରତେ ଚିନ୍ତା ଯେ କରଇ ମମ ଗ୍ୟାନେ

ସେ ଲୋକ ଯେବେ ମୋ ପଞ୍ଚ ଆତ୍ମାନେ।୨୫।

ବିବାଦ କର୍ମେ ନ ଲଂଘନ୍ତି ସୀମା

ବେନି ବାଦେ ଯେହ୍ନେ ନୋହଇ ଆଗଳିମା।୨୬।

ମେଢ଼ ମଣ୍ଡୋପ ପୁଷ୍କରିଣୀ ଯେହୁ ଦିଅନ୍ତି

ସେ ଲୋକଂକଠାରେ ଯେବେ ଥାଇ ଚିତ୍ତ ବୃତ୍ତି।୨୭।

ବ୍ରାହ୍ମଣ ହୋଇ ତି ଶୂଦ୍ର ହୋଉ ଅବା

ଭିକ୍ଷୁକ ହୋଉ ଯେବେ ମୋରଠାରେ ସେବା।୨୮।

ଦୁଷ୍ଟଜନନ୍ତ ଦେଖି ଯେବେ କରଇଂ ଭୟେ

ଧର୍ମ ଶାହାସ୍ର ପଣ୍ଡିତ ଜନନ୍ତ ଯେବେ କରଇ ସଦୟେ।୨୯।

ସତୀ ପ୍ରସଙ୍ଗେ ଯେବେ ମମ ପ୍ରକୃତି

ରଜ ମୁଖେ ଯେବେ ଚଳଇ ପୃଥୀ।୩୦।

ହୃଦରେ ଚିନ୍ତା ମୋହୋର ପ୍ରତିଲୋକନ୍ତ ନିତି।୩୧

ଅବଦକେ ଯେବଣ ଲୋକେ କରନ୍ତି ବାସ୍ତରି ଉପବାସ

ସେ ଲୋକନ୍ତ ଦେଖିଲେ ମନେ ପାଇ ଥାଇ ପ୍ରାସ।୩୨।

ମମ ନାମ ସଂକେତ ଯେହୁ କରଇ ଚିନ୍ତା

ଆହାର ମଇଥୁନ ନିଦ୍ରା ନାହିଂ ସେ କରନ୍ତା।୩୩।

ଜନନ୍ତ ଆଦରଣେ ଯେବେ ଜନାର୍ଦ୍ଦନ ନାମ

ପୁରୁଷମାନନ୍ତ ପାର କରଇ ପୁରୁଷୋତ୍ତମ ମୋର ନାମ।୩୪।

ନରକ ତାରଣ ମୋର ନାରାୟଣ ନାମ

ପରମାଦିଂ ତାରଇ ଯେବଣ କୃଷ୍ଣ ନାମ।୩୫।

ପରଂକୁ ଶିରୀ ଦେଇ ଯେବେ ଶ୍ରୀରାମ ମୋର ନାମ

ପରଦୁଖେ କରେ ମୁଂ ପରକୁ ପରସନ୍ନ।୩୬।

ପର ଦୁଖ ଯେବେ ମୁଂ ନୁଆରଇ ଦେଖି

ସଦୟେ ଚିନ୍ତା ମୁହିଂ କରଇ ନିରିମାଖୀ।୩୭।

କରମେ ଯେବଣ ଜନେ ହୁଅଇ ଆବଦ୍ଧ

ମୁହିଂ ବିଶ୍ରାମଇ ଯେ ତାହାଂକର କନ୍ଧ।୩୮।

ନିମର୍ଯ୍ୟାଦାରେ ଯେବେ ନଛାଡ଼ଇ କ୍ଷଣେ

ଅଚ୍ଛବ ଲୋକଂକର ତୁଲେ ମୁଂ ଥାଇ ତେଣେ।୩୯।

ଜଗତ ଉଦ୍ଧାରି ଜଗନ୍ନାଥ ମୋର ନାମ

ମୁହିଂ ପାଳଇ ଯେବେ ସକଳ ଲୋକ ଧର୍ମ।୪୦।

ମୁହିଂ ଯେବେ ଅଟଇ ଜଗତ ଜନ ବନ୍ଧୁ

ଭଗବାନ ନାମ ମୋର ପ୍ରଳୟ ତାରଣ ସିନ୍ଧୁ।୪୧।

କୀର୍ତ୍ତି କରମ କରଇ ଯେବେ ଅକୀର୍ତ୍ତି ଜନେ

ୟେତେ କଥାରେ ଥାଇ ଯେବେ ମୋର ମନେ।୪୨।

ମୁହିଂ ଯେବେ ଗୋଧନ ତାରଇ ସର୍ବକାଳେ

ଗୋବର୍ଦ୍ଧନ ନାମ ମୋର ଅଟଇ ସୟଳେ।୪୩।

ମୁହିଂ ଯେବେ ଆତଯାତ କରଇ ସମସ୍ତ ମହୀର

ତେଣୁକରି ନାମ ମୋର ଅଟଇ ମହୀଧର।୪୪।

ସାଧୁୟେ ମନେ ଯେବେ ଚିନ୍ତନ୍ତି ସର୍ବକାଳେ

ତେଣୁ ମାଧବ ନାମ ମୋର ବିଦିତ ସୟଳେ।୪୫।

ମୁହିଂ ଯେବେ ସଂସାର ଜନ ଚିନ୍ତାୟେ ଥାଇଟି

ତେଣୁ ମୁଂ ବହଇ ସୁଦ୍ରିଶେନ ଚକ୍ର ଗୋଟି।୪୬।

ଚକ୍ରଧର ନାମ ଯେବେ ମୋହୋର ସତ

ଲେଉଟି ଜୀବନ ପଶୁ ଜୀଉଂ ୟେ ବାଳୁତ।୪୭।

ଆହୋ ଚଇତନ ପୁତ୍ର କୋଳେ ଧରି ଦିଅନ୍ତି ଚୁମ୍ବନ

ଅମୃତ କରିଣ ଯେ ଚାହାନ୍ତି ନୟନ।୪୮।

ହେ ପିତାମହ ବିଚାର ତୁମ୍ଭେ ୟେହା

ବଂଶ ବୁଡ଼ିଲା ସଂସାରେ ରଞ୍ଚିବୁ ତୁ କାହା।୪୯।

ମୁହିଂ ଯେବେ ତୋହୋର ବଚନେ ପ୍ରଜାପତି

ଦିଗପାଳ ହୋଇ ଯେବେ ମୁଂ ମାନବେ ଉତପତ୍ତି।୫୦।

ମୁଂ ଯେବେ ଉତପତ୍ତି ଭାରା ନିବାରଣେ

ଜନ୍ମେ ଜନ୍ମେ ଜାତ ହୋଇ ନର ନାରାୟଣେ।୫୧।

ଯେବେ ମୁହିଂ ମଚ୍ଛ କୁର୍ମ ବରେହା ଅବତାର

ନୃସିଂଘ ବାମନ ପ୍ରଶୁରାମ ଆବର କୋଦଣ୍ଡଧର।୫୨।

ଯେବେ ମୁଂ ଅବତାର ଅବନୀର ଛଳେ

ଯେବେ ମୋ ଦଶଅବତାର ସର୍ବକାଳେ।୫୩।

ଯେବେ ମୋହୋର ପିତା ଭଗତି ସର୍ବଦାୟେ

ଅଣାକାର ନାଥକୁ ଯେବେ ମୋହୋର ଥାୟେ ଧ୍ୟାୟେ।୫୪।

ମୁହିଂ ଯେବେ ସକଳ ଦେବଂକର ମୁଖ୍ୟପାନ

ଯୋଗୀଜନଂକର ମୁଂ ଧ୍ୟାନରେ ଦରଶନ।୫୫।

ଯେବେ ମୋ ଦେବ ବ୍ରାହ୍ମଣେ ଅଛଇ ଭଗତି

ଯେବେ ସଂସାର ଜନନ୍ତ ପାଳଇ ମୁଂ ନିତି।୫୬।

ଯେବେ ମୁଂ ପୃଥୀକି ଅନୁବ୍ରତେ କରେ ଚିନ୍ତା

ଯେବେ ମୁଂ ଭଗତ ଜନନ୍ତ ଉଦ୍ଧାରନ୍ତା।୫୭।

ଜପମନ୍ତ୍ର ଧର୍ମେ ତ ବ୍ରତନ୍ତି ଯେତେ ପ୍ରାଣୀ

ଯେବେ ମୁହିଂ ତାହାଂକର ଅପାଦ ଯେ ଖଣ୍ଡଇ ବେଳ ଜାଣି।୫୮।

ଯେବେ ମୁଂ ଥାଇଟି ଜନ୍ତୁ ହୃଦଗତେ

ପର ଦୁଖେ କାତର ମୁଂ ସର୍ବଦା ଯେବେ ନିତ୍ୟେ।୫୯।

ଯେବେ ମୁଂ ରକ୍ଷଭକ୍ଷକୁ ମାଇଲି ଧର୍ମଯୁଦ୍ଧେ

ହେତି ପ୍ରହେତି ନାଶିଲି ପିତାମହର କ୍ରୋଧେ।୬୦।

ଆକାଶ ମନ୍ଥିଲେ ଯେବେ ମାଳୀ ଯେ ସୁମାଳୀ

ମୁହିଂ ତାହାନ୍ତ ବଧ କରି ଉଦ୍ଧରିଲି ମହୀସ୍ଥଳୀ।୬୧।

ଜଗୁଜନ ସୋଦର ଯେବେ ଜଗନ୍ନାଥ ମୋର ନାମ

ଧର୍ମ ଅର୍ଥ କାମ ମୋକ୍ଷ ଯେବେ ଦିଅଇ ଚତୁବର୍ଗ ଧର୍ମ।୬୨।

ପୃଥୀ ଉଦ୍ଧାରଣ ନିମନ୍ତେ ଯେବେ ଧରଣୀ ଧରଇ ମୁହିଂ

ସୟଳ ଜନ ନିମନ୍ତେ ଯେବେ ଭାରାଭର ବହି।୬୩।

ପୃଥୀ ଆପ ତେଜ ବାୟବ ଆକାଶ

ୟେ ପଞ୍ଚଧାତୁକୁ ଯେବେ ମୋହୋର ପ୍ରକାଶ।୬୪।

ଜନ୍ମେ ଜନ୍ମେ ଯେବେ ଦୁର୍ଜନ ଲୋକଂକ ଗର୍ବଗଞ୍ଜା

ଭଗତ ଜନ ମତ୍ସଳ ମୁଂ ଯେବେ ଦେବାଧିଦେବ ରାଜା।୬୫।

ମୁହିଂ ଯେବେ ନିକଳଂକ ୟେକାଦଶ ବେଦୀ

ମମ ଅର୍ଥେ ଭଗତରେ ଯେବେ କାର୍ଯ୍ୟ ଅଟଇ ସିଦ୍ଧି।୬୬।

ଯେବେ ମୁହିଂ ୟେକ ମାତା ୟେକ ପିତାୟେ ଜାତ

ଯେବେ ମୁହିଂ ମାତା ପିତାୟେ ଗୁରୁଜନରେ ଭଗତ।୬୭।

ନର୍କୁଂ ଉଦ୍ଧାରଣ ଯେବେ ଅଟଇ ନାରାୟଣ

ଅନାସ୍ତ ଜନଂକର ଯେବେ ଭଗତି କାରଣ।୬୮।

ଅଥବା ଯେ ଯାହାର ବ୍ରତେ ଧର୍ମେ ବ୍ରତନ୍ତି ଯେତେ ପ୍ରାଣୀ

ତାହାଂକର ଚିନ୍ତା ଘେନି ମୋ ନାମ ଚିନ୍ତାମଣି।୬୯।

ଯେବେ ମୁହିଂ ପିତାମହ ବିକଳେ ଶଙ୍ଖାସୁର ଦର୍ପ ଗଞ୍ଜି

ଅବନୀ ଛଳେ ଯେବେ ହିରଣ୍ୟ ହିରଣାକ୍ଷ୍ୟ ପକାଇଲି ପିଞ୍ଜି।୭୦।

ମୁହିଂ ଯେବେ ପାତାଳେ ଚାପିଲଇଂ ବଳି

ଜଗୁଜନ ମୋହୋନ ନାମ ମୋର ଯେବେ ବନମାଳୀ।୭୧।

ଯେବେ ମୁଂ ପ୍ରଶୁରାମ ରୂପେ ଦୁର୍ଭାର ବଳ ଗଞ୍ଜି

ଜାନକୀ ହରଣେ ଯେବେ ବିଶ୍ରବା ସୁତ ପିଞ୍ଜି।୭୨।

ମୁଂ ଯେବେ ରଙ୍ଗା ଅବତାର ହୋଇଲି ମେଦିନୀ

ଅଷ୍ଟମଲ୍ଲ ମୂଳେ କଂସର ପ୍ରାଣ ଘେନି।୭୩।

ଯେବେ ମୋତେ ଯୋଗୀଜନ ମୁନି କରନ୍ତି ଧ୍ୟାୟେ

ବଇକୁଣ୍ଠେ ଠାବ ଦିଆଇ ସଦା ଯେ ବିନୟେ।୭୪।

ଯେବେ ମୋତେ ଭଗତି ଯୁଝେଷ୍ଠି ମହାତମା

ଯେବେ ପାଣ୍ଡବେ ମୋହୋର ଅଟନ୍ତି ପଞ୍ଚୁଆତ୍ମା।୭୫।

ଯେବେ ମୋହୋର ପାଣ୍ଡବନ୍ତ ଅଟଇ ନିକଳଂକ

ଅର୍ଜୁନ ମନ ଆତ୍ମା ଅଟଇ ଯେବେ ମୋର ୟେକ।୭୬।

ଯେବେ ମୁହିଂ ନିକଳଂକ ଚିତ୍ତେ ପ୍ରଦାନ କରାଇଲି ସୋହୋଦ୍ରାକୁ

ନିକଳଂକେ ସେବା ଯେବେ ବଳଦେବ ଠାକୁରଂକୁ।୭୭।

ଶ୍ରୀବନ୍ତ ଲୋକନ୍ତ ଯେବେ ମୋହୋର ହୃଦେ ସୋହୋଦର ଅଛି

ତେଣୁକରି ନାମ ମୋର ଅଟଇ ଶ୍ରୀବଚ୍ଛି।୭୮।

ଜନଜନ୍ତୁ ରଞ୍ଜନରୁ ଯେବେ ନ ରୁଚଇ ଆନ

ତେଣୁ କରି ନାମ ମୋର ଅଟଇ ଭଗବାନ।୭୯।

ଯଦି ମୁହିଂ ତୁଳସା ବହଇ ମମ ହୃଦେ

ଯଦି ମୁହିଂ ବଳିକି ମାଗିଲି ନବଦ୍ୱୀପା ପୃଥୀ ସପ୍ତପାତାଳ ୟେକ ପାଦେ।୮୦।

ଯେବେ ମୋହୋର ଭୁବନକୁ ନାହିଂଟି ଅପାଦ

ଭଗତ ଜନଂକୁ ଯେ ଧଂସଇ ତାହାକୁ ହୃଦରେ ବିଷାଦ।୮୧।

ଯେବେ ୟେମାନ ହାଦେ ଅଟଇ ସତ୍ୟସତ୍ୟ

ୟେଥକୁ ସାକ୍ଷ୍ୟ ମୁଂ କଲଇ ବିହନ୍ତା ପୁରୁଷନ୍ତ।୮୨।

ଭୋ ଦଶଦିଗପାଳ ତୁମ୍ଭେ ସମସ୍ତେ ହୋଅ ସାକ୍ଷୀ

ପର ଦୁଖେ ମୁହିଂ ଯେ ସର୍ବଦା ଦୀନଦୁଖୀ।୮୩।

ସର୍ବଦା ପ୍ରାଣୀ ହିଂସା ନକରେ ମମହୃଦେ

ତାହା ମୁଂ ନ ସହଇ କଥାର ପ୍ରସ୍ତାବେ।୮୪।

ଭାରଥ ଯୁଦ୍ଧ ହିଂ ମୋର ପାଣ୍ଡବଂକ ହିତେ

ବ୍ରହ୍ମ ଛତ୍ରୀ ବଇଶ୍ୟ ଶୂଦ୍ର ବଧ ୟେହାଂକର ଅର୍ଥେ।୮୫।

ଯେବେ ସେ ୟେମାନ ମୋହୋର ଅଟଇ ସତ୍ୟସତ୍ୟ

ମମ ଆଷ୍ୟ ଘେନି କରି ବ୍ରତୁ ୟେ ବାଳୁତ।୮୬।

ଶୁଣ ଆହୋ ଚଇତନ କୃଷ୍ଣର ୟେସନ ବାକ୍ୟ ଶୁଣି

ଜୀବ ଦାନ ପାଇଲା କୁମର ଚୂଡ଼ାମଣି।୮୭।

ଜୀବନ୍ୟାସ କରି ତାକୁ ଚାହିଂଲେ ଅମୃତ ଯେ ଦୃଷ୍ଟି

କାୟା ମୋଡ଼ି ଦେଇ ପୁତ୍ର ତତକ୍ଷଣେ କାନ୍ଦିଉଠି।୮୮।

ନୟନ ନିରୋପି ଯେ ଚାହିଂଲାକ ବାଳ

କର ଚରଣ ହଲାଇ ଯେ ତୋଳଇ ବକ୍ଷସ୍ଥଳ।୮୯।

ଦେଖିଣ ଚକିତ ହୋଇଲେ ସର୍ବଲୋକ

ଆତ୍ମା ବିଘଂସିତ ଛାଡ଼ିଲେ ସର୍ବଶୋକ।୯୦।

ପୁତ୍ରଗୋଟି କୋଳେ ବସାଇ ଜଗତ ଜନ ବନ୍ଧୁ

ତ୍ରଇଲୋକ୍ୟ ଶୁଭିଲା କୃଷ୍ଣ ମହିମା ସାଧୁ ସାଧୁ।୯୧।

ସାଧୁ ସାଧୁ ଧୁନି ଉଠିଲା ସର୍ବମୁଖେ

ହରଷ ଧୁନି ଉଠିଲା ପାର ଗଲା ସର୍ବଦୁଖେ।୯୨।

ଆହୋ ଦେଖିଣ ସାନନ୍ଦ ହୋଇଲେ ସଉଭଦ୍ରେ

କୁମର ଦେଖିବା ନିମନ୍ତେ ବିଜୟେ ଶ୍ରୀରାମଚନ୍ଦ୍ରେ।୯୩।

ବଳଦେବ ବୋଲନ୍ତି ଶ୍ରୀକୃଷ୍ଣର ଅଗୋଚର ମାୟା

ଜଗବନ୍ଦନନାଥ ଯେ କଲେକ ସୁଦୟା।୯୪।

ମୃତୁପିଣ୍ଡ ବ୍ରତିଲା ସେ ସୋମବଂଶ ହେବ ମୋକ୍ଷ

ପରୀକ୍ଷାରୁ ଉତୁରିଲା ୟେହାର ନାମ ଯେ ପରୀକ୍ଷ।୯୫।

ଆହୋ ଅନେକ ପରୀକ୍ଷ ଯହୁଂ କହିଲେ ଶ୍ରୀବଚ୍ଛ

ସେ ପୁତ୍ରର ହରି, ନାମ ଦିଲେକ ପରୀକ୍ଷ।୯୬।

ବ୍ରତି ଉଠିଲା ସେ ଅର୍ଜୁନର ନାତି

ନୟନ ଦୃଷ୍ଟି କରି ଚାହିଂଲେ ଶ୍ରୀପତି।୯୭।

ପୁତ୍ରର ନିଧନ ଯେ ଉତ୍ତରା ମୋହ ଯାଇଥିଲା

ପୁନରପି ଜୀବ ତାର ନେଉଟି ନ ପଶିଲା।୯୮।

ବ୍ରହ୍ମଶର ଘାୟେ ସେ ଯେ ହୋଇଲା ଅଚେତ

ତେଣୁକରି ପ୍ରାଣ ତାର ହୋଇଲା ନିହତ।୯୯।

ଗଙ୍ଗାନଦୀ କୂଳେ ଜୂଇ ଆରୋପଣ କଲେ ପଞ୍ଚୁବୀରେ

ମୁଖ ଅଗ୍ନି ଦିଲେ ସେ ପରୀକ୍ଷ କୁମରେ।୧୦୦।

ବାହୁଡ଼ି ପ୍ରବେଶ ହୋଇଲେ ଦ୍ୱାରାବତୀ ପୁରେ

ଅର୍ଜୁନର କ୍ରୋଧ କହିଲେ ନସରେ।୧୦୧।

ବଧୂ ବଧୂ ବୋଲି ସୋହୋଦ୍ରା କୋନ୍ତା ଦ୍ରୋପତୀ ରୋଦନ

ପ୍ରବୋଧ କରନ୍ତି ଯେ ପ୍ରଭୁ ଭଗବାନ।୧୦୨।

ପୁତ୍ରକୁ ଦେଖି ପ୍ରବୋଧ ହୋଇଲେ ଯୁଝେଷ୍ଠି

ସାଧୁ ସାଧୁ ବାସୁଦେବ ତବ ନାମ ଗୋଟି।୧୦୩।

ସୟଳ ଜନ ଚିନ୍ତାମଣି ପୁରୁଷଂକ ଉତ୍ତମ

ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାହାର ଉଦରେ ବିଶ୍ରାମ।୧୦୪।

ଭୂତ ଭବିଷ୍ୟ ବ୍ରତମାନ ସମସ୍ତ ତୁ ଜାଣି

ଉପାୟେ ଭାରାଭର ତୁ ନାଶିଲୁ ଚକ୍ରପାଣି।୧୦୫।

ଯଦୁବଂଶ ଶିରୋମଣି ତୁ ଦୁଖୀ ଜନଂକର ଚିନ୍ତା

ପରମ ଆନନ୍ଦ ସ୍ୱାମୀ ତୁ ଦୁରିତ ଦହନ୍ତା।୧୦୬।

ଗଙ୍ଗା ଗୟା ଗୋଦାବରୀ ଗଣ୍ଡୁକୀ ବଇତରଣୀ

ତୋର ନାମ ଗୋଟି ସକଳ ତୀର୍ଥେଣ ଚିନ୍ତାମଣି।୧୦୭।

ଦିବା ନିଶି ସାଧୁଜନେ ତୋର ନାମକୁ କରନ୍ତି ଲୟେ

ପରମଗତି ଦେଇ ଯେ ତୋତେ କରଇ ଧ୍ୟାୟେ।୧୦୮।

ଶ୍ରୀବାସୁଦେବଂକର ଚରଣେ ଦଇନି

ବଦୟନ୍ତି ସାରୋଳା ଚଣ୍ଡୀ ଦାସ ଶୂଦ୍ରମୁନି।୧୦୯।

ଜୟ ତୁ ଜଗବନ୍ଦନ ଜୟ ତୁ ପୀତବାସ

ଜଗତ ଜନ ତାରଣ ଜୟ ହୃଷୀକେଶ।୧୧୦।

ଜୟ ତୁ ମାଧବ ଯମ ଦର୍ପଗଞ୍ଜା

ଜୟ ତୁ ମାଧବ ପ୍ରସନ୍ନେ ଦେବାଧିଦେବରାଜା।୧୧୧।

ଜୟ ତୁ ମାଧବ ପୁରୁଷଂକର ଉତ୍ତମ

ଜୟ ତୁ ମାଧବ ପ୍ରସନ୍ନ ପରବ୍ରହ୍ମ।୧୧୨।

ଜୟ ତୁ ମାଧବ ହୋ ଶରଣ ଉଦ୍ଧାରି

ଜୟ ତୁ ମାଧବ ସଦୟ ଦଇତାରି।୧୧୩।

ଜୟ ତୁ ମାଧବ ଶରଣ ରକ୍ଷଣ

ଜୟ ତୁ ମାଧବ ଜଗତ କାରଣ।୧୧୪।

ଜୟ ତୁ ମାଧବ ମଧୁକଇଟଭ ଦର୍ପଗଞ୍ଜା

ଜୟ ତୁ ମାଧବ କୃତାନ୍ତେକ ବଳଭଞ୍ଜା।୧୧୫।

ଜୟ ତୁ ମାଧବ ତ୍ରଇଲୋକ୍ୟର ଆଧିପତି

ଜୟ ତୁ ମାଧବ ହୋ ଦଧିବାମନ ମୂରତି।୧୧୬।

ଜୟ ତୁ ମାଧବ ଯାବତ ଜନ ଜୀବଦାତା

ଜୟ ତୁ ମାଧବ ହୋ ଜଗତ ଜନ ଉଦ୍ଧାରନ୍ତା।୧୧୭।

ଜୟ ତୁ ମାଧବ ଯୋଗୀ ପରମଯୋଗୀ

ଜୟ ତୁ ମାଧବ ହୋ ସକଳ ଜନଭୋଗୀ।୧୧୮।

ଜୟ ତୁ ମାଧବ ଅନନ୍ତ ନାମ ଗୋଟି

ଶୂଦ୍ରମୁନି ସାରୋଳା ଦାସ ତବ ଚରଣେ ଲୋଟି।୧୧୯।୧୨୦୨।